ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ସତ୍ୟବାଦୀରେ କାଳିମାଡ଼ ପରେ ଏହାକୁ ନେଇ ପାଣ୍ଡିଆନ ଟ୍ବିଟ୍ କରି କହିଛନ୍ତି ଯେ କିଛି ପରିବର୍ତ୍ତନ କରିବାକୁ ହେଲେ ଅନେକ ସମସ୍ୟା, ଅନେକ ବାଧାବିଘ୍ନ ଦେଖାଦେବ। କିନ୍ତୁ ତାହାକୁ ଅଣଦେଖା କରି ଆଗକୁ ବଢ଼ିବାକୁ ପଡ଼ିବ। ଯେତେବେଳେ ପରିବର୍ତ୍ତନ ଆସିବ ସେତେବେଳେ ନୂଆ ପରିଚୟ ସୃଷ୍ଟି ହେବ। ଏହାସହ ସେ ଆଉ ଏକ ଟ୍ବିଟ୍ରେ ଏହା ବିରୋଧୀଙ୍କ କାର୍ଯ୍ୟ ଦର୍ଶାଇବାକୁ ଯାଇ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଦ୍ବାରା ହେଉଥିବା ଉନ୍ନତି ଓ ବିକାଶର ମହାଅଭିଯାନକୁ ବିରୋଧୀ ସହ୍ୟ କରିପାରୁନାହାନ୍ତି। ଯାହାଦ୍ବାରା ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏଭଳି କରିବା ଦ୍ୱାରା ବିକାଶ କାର୍ଯ୍ୟର ଧାରା କେବେ ରହିଯିବ ନାହିଁ। ସେହି ସତ୍ୟବାଦୀ ମାଟି ରହିଲା ସାକ୍ଷୀ, ପୁଣି ନବୀନ ବାବୁ ପିନ୍ଧିବେ ମୁଖ୍ୟମନ୍ତ୍ରୀ ଟୋପି।
ସେହିପରି ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଟ୍ବିଟ୍ କରିଛନ୍ତି ଯେ ମା’ମାନେ ମୁହଁ ପୋଛି କାଳି ସଫା କରିଥିଲେ। ଭଲ ପାଇବା ଓ ସମର୍ଥନ ଜଣାଇଥିଲେ। ଓଡ଼ିଶାବାସୀ ଶାନ୍ତି ଓ ସଦ୍ଭାବନାରେ ବିଶ୍ବାସ ରଖନ୍ତି। ଏଭଳି ଘଟଣା ଓଡ଼ିଶାବାସୀ କେବେ ସହିପାରିବେ ନାହିଁ। ନାରୀଶକ୍ତି ଏହାକୁ ତୀବ୍ର ବିରୋଧ କରିଛି। ବିଜେଡି ନେତା ଲେଲିନ ମହାନ୍ତି କହିଛନ୍ତି ପଞ୍ଚସଖାର ମାଟି ତଥା ସାହିତ୍ୟର ମାଟି ସତ୍ୟବାଦୀରେ ୫ଟି ସଚିବଙ୍କ ଉପରକୁ କାଳିମାଡ଼ କରାଯିବା ଘଟଣା ନେଇ ମୁଁ ମର୍ମାହତ। ସୁସ୍ଥ ମସ୍ତିସ୍କ ଥିବା ଲୋକ ଏଭଳି ଘୃଣ୍ୟ କାମ କରିପାରିବ ନାହିଁ। ସେ ଓଡ଼ିଶାର ଉନ୍ନତି ପାଇଁ କାମ କରୁଛନ୍ତି। ଓଡ଼ିଶାର ପ୍ରଗତିକୁ ଯେଉଁମାନେ ସହି ପାରୁ ନାହାନ୍ତି, ସେହି ଲୋକମାନେ ହିଁ ଏଭଳି କାମ କରୁଛନ୍ତି। ଏହାସହ ବିଜେଡିର ବହୁ ନେତା ଟ୍ବିଟ୍ କରି ଘଟଣାର ନିନ୍ଦା କରିଛନ୍ତି।
ଅପରପକ୍ଷେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ କହିଛନ୍ତି ଯେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ଆମ ଘରର ହାଲଚାଲ’ ପରେ ଏହା ବିଜେଡିର ଏକ ପ୍ରାୟୋଜିତ କାର୍ଯ୍ୟ। ଶ୍ରୀ ପଟ୍ଟନାୟକଙ୍କ ଲେଖା ପାଣ୍ଡିଆନଙ୍କୁ ଅଡ଼ୁଆରେ ପକାଉଛି। ଏଣୁ ଏପରି ଖେଳ ଖେଳିଛି ବିଜେଡି। ଏପରି କହିବାର ଅର୍ଥ ହେଉଛି ଯେ- ଯେତେବେଳେ ତାଙ୍କୁ କାଳି ମାଡ଼ ହେଲା ସେତେବେଳେ ତାଙ୍କ ପ୍ରତିକ୍ରିୟା ସାଧାରଣ ଥିଲା। ସେ ହସୁଥିଲେ, ଯାହାକି ଅସ୍ବାଭାବିକ ଥିଲା। ଏହାସହ ସଙ୍ଗେ ସଙ୍ଗେ କିଛି ମହିଳା ତାଙ୍କ ପଣତରେ କାଳି ପୋଛି ଦେଉଥିଲେ। ଏହାସହ କାଳି ମାରିଥିବା ଯୁବକ ପୂର୍ବରୁ ବିଜେଡିରେ ସାମିଲ ଥିଲା। ତେଣୁ ଏହା ସମ୍ପୂର୍ଣ୍ଣ ଏକ ପ୍ରାୟୋଜିତ ଘଟଣା।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ମୁଁ ଏହାକୁ ନାପସନ୍ଦ କରୁଛି। ଯେତେବେଳେ ଗଣତନ୍ତ୍ର ପ୍ରତି ବିପଦ ଦେଖାଯାଏ,ଅଗଣତାନ୍ତ୍ରିକ ଉପାୟରେ ଶାସନ ଚାଲେ ସେତେବେଳେ ଲୋକେ ପ୍ରତିବାଦ କରନ୍ତି। ପ୍ରତିବାଦ ସ୍ୱାଗତଯୋଗ୍ୟ, ହେଲେ ଅହିଂସା ଉପାୟରେ କରିବା ଉଚିତ। ଅନୁସନ୍ଧାନ କଲେ ଏହା ପ୍ରାୟୋଜିତ କି ନୁହେଁ ତାହା ଜଣାପଡ଼ିବ। ଏହି ଘଟଣା ପରେ ରାଜ୍ୟ ଓଏଏସ୍ ସଂଘ ସଭାପତି ଜ୍ୟୋତିରଞ୍ଜନ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏଭଳି ଅଶୋଭନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରାଯାଉ। କାଳିମାଡ଼ ଘଟଣା ଦୁର୍ଭାଗ୍ୟଜନକ। ଓଡ଼ିଶା ପ୍ରଶାସନିକ ସେବା ସଂଘ ଏହାର ଦୃଢ଼ ନିନ୍ଦା କରୁଛି। ଏଭଳି ଆଚରଣ କେବଳ ଏକ ଅସୁସ୍ଥ ବାତାବରଣ ସୃଷ୍ଟି କରୁନି ବରଂ ସରକାରୀ କର୍ମଚାରୀଙ୍କୁ ଜନସେବା କରିବା ଦିଗରେ ନିରୁତ୍ସାହିତ କରିବା ସହ ସେମାନଙ୍କ ମନୋବଳ ହ୍ରାସ ଘଟାଇବ। ସେହିପରି ଓଡ଼ିଶା ସୂଚନା ସେବା ସଂଘ ଏହାକୁ ନିନ୍ଦା କରିଛି। ସଂଘର ଉପସଭାପତି ସୁଚେତା ପ୍ରିୟଦର୍ଶିନୀ କହିଛନ୍ତି ଏଭଳି ଅଶୋଭନୀୟ ଆଚରଣ ଲୋକଙ୍କ ବିକାଶ ପାଇଁ କର୍ତ୍ତବ୍ୟରତ ସରକାରୀ ଅଧିକାରୀମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟନିଷ୍ଠା ଓ ପ୍ରତିବଦ୍ଧତା ପ୍ରତି କୁଠାରଘାତ ସଦୃଶ।