ୟୁଟା: ଡୋନାଲ୍ଡ ଟ୍ରମ୍ପଙ୍କ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ଆନ୍ଦୋଳନର ସମର୍ଥକ ଚାର୍ଲି କିର୍କଙ୍କୁ ବୁଧବାର ୟୁଟା ଭ୍ୟାଲି ୟୁନିଭର୍ସିଟିରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ଭାଷଣ ଦେବା ସମୟରେ ଗୁଳିକରି ହତ୍ୟା କରାଯାଇଛି। ଏହି ମୁହୂର୍ତ୍ତଟି କ୍ୟାମେରାରେ କଏଦ ହୋଇଥିଲା ଏବଂ ଜନତା ଚିତ୍କାର କରି ଭୟଭୀତ ହୋଇ ପଳାୟନ କରୁଥିବା ଦେଖାଯାଇଥିଲା। ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
‘ଟର୍ଣ୍ଣିଂ ପଏଣ୍ଟ ୟୁଏସ୍ଏ’ର ୩୧ ବର୍ଷୀୟ ପ୍ରତିଷ୍ଠାତା ବନ୍ଧୁକ ହିଂସା ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଥିଲେ, ଯେତେବେଳେ ଗୁଳି ଫୁଟିଥିଲା। କିର୍କଙ୍କ ବେକ ଦେଇ ଧାରଧାର ରକ୍ତ ବୋହିଗଲା। କିଛି ସମୟ ପାଇଁ ସେ ମାଇକ୍ରୋଫୋନକୁ ଜାବୁଡ଼ି ଧରିଥିଲେ, ତା’ପରେ ତଳେ ପଡ଼ିଗଲେ। ଏହି ଘଟଣା ପରେ ଉପସ୍ଥିତ ୩,୦୦୦ରୁ ଅଧିକ ଜନତା କିଏ କୁଆଡେ ଛିନ୍ନଛତ୍ର ହୋଇ ପଳାଇଗଲେ। ଏହି ହତ୍ୟାକାଣ୍ଡକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି। ଟ୍ରମ୍ପ ଏହାକୁ ଆମେରିକା ପାଇଁ ଏକ ଅନ୍ଧକାର ମୁହୂର୍ତ୍ତ ବୋଲି କହିଛନ୍ତି ଏବଂ ରାଜନୈତିକ ହିଂସା ଉପରେ କଟକଣା ଲଗାଇବାକୁ ଶପଥ ନେଇଛନ୍ତି। ଆଜି ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ଚାର୍ଲି କିର୍କଙ୍କୁ ମରଣୋତ୍ତର ଭାବେ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପ୍ରେସିଡେନ୍ସିଆଲ୍ ମେଡାଲ୍ ଅଫ୍ ଫ୍ରିଡମ୍’ ପ୍ରଦାନ କରିବେ। ପେଣ୍ଟାଗନରେ ଏକ ସମାରୋହରେ ଟ୍ରମ୍ପ ଏହି ଘୋଷଣା କରିବା ସହ କିର୍କଙ୍କୁ ଆମେରିକାର ସ୍ବାର୍ଥ ପାଇଁ ଲଢ଼ୁଥିବା ଜଣେ ମହାନ ଯୋଦ୍ଧା ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/12/untitled-22-2025-09-12-07-35-27.jpg)