ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାର୍ଗଦର୍ଶିକା ଓଡ଼ିଶାକୁ ବିଶ୍ୱ ସ୍ତରରେ ନିନ୍ଦିତ କରିଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଅରୁଣ କୁମାର ସାହୁ, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଓ ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଜୁଲାଇ ପ୍ରଥମ ସପ୍ତାହରୁ ବିଜୁ ମହିଳା ଜନତା ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଥିଲେ।
ଏକ ବର୍ଷର ବିଜେପି ଶାସନରେ ଓଡ଼ିଆ ଅସ୍ମିତା ଭୂଲୁଣ୍ଠିତ
ରାଜ୍ୟପାଳଙ୍କ ମନ୍ତବ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି
ବିଧାୟକ ଶ୍ରୀ ସାହୁ କହିଲେ, ରାଜ୍ୟ ବିଜେପି ସରକାର ପ୍ରତ୍ୟେକ କ୍ଷେତ୍ରରେ ଚରମ ଅବହେଳା କରୁଥିବାରୁ ଓଡ଼ିଶା ଆଜି ବିଶ୍ୱରେ ଲଜ୍ଜିତ ଓ ନିନ୍ଦିତ ହେଉଛି। ଆମେରିକାର ରାଷ୍ଟ୍ରପତିଙ୍କ ତରଫରୁ ନିକଟରେ ଜାରି କରାଯାଇଥିବା ଏକ ଭ୍ରମଣ ମାର୍ଗଦର୍ଶିକାରେ ଓଡ଼ିଶା ସମେତ ଭାରତର ୬ଟି ରାଜ୍ୟକୁ ଯିବାକୁ ସେମାନଙ୍କ ନାଗରିକମାନଙ୍କୁ ବାରଣ କରାଯାଇଛି। ଏହି ରାଜ୍ୟଗୁଡ଼ିକରେ ଅଧିକ ସଂଖ୍ୟାରେ ମହିଳାମାନେ ଦୁଷ୍କର୍ମର ଶିକାର ହେଉଥିବା ଓ ଉଗ୍ରବାଦ ଉପଦ୍ରବ ଅଞ୍ଚଳ ଭାବେ ଚିହ୍ନିତ ହୋଇଥିବାରୁ ଏଭଳି ମାର୍ଗଦର୍ଶିକା ଜାରି କରାଯାଇଛି। ଏହା ଆମ ରାଜ୍ୟ ପାଇଁ ଲଜ୍ଜା ଓ ଅପବାଦ ଆଣିଛି। ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଓ ଏକ ବର୍ଷ ପୂର୍ତ୍ତିରେ ନିଜ ସଫଳତାର ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେପି ସରକାରଙ୍କ ମୁହଁରେ ଏହା କାଳି ବୋଳି ଦେଇଛି। ଓଡ଼ିଆ ଅସ୍ମିତା ଭୂଲୁଣ୍ଠିତ ହୋଇଛି। ରାଜ୍ୟର ମନ୍ତ୍ରୀମାନେ ଆମେରିକାର କଥାକୁ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି। ଟ୍ରମ୍ପଙ୍କ କଥାକୁ ବିଜେପି ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ବେଳେ ଏବେ ଏହି ମାର୍ଗଦର୍ଶିକାକୁ ନେଇ କେନ୍ଦ୍ର ସରକାର ଚୁପ୍ କାହିଁକି? ରାଜ୍ୟରେ ଏକ ଦୁର୍ବଳ ସରକାର ଥିବାରୁ ଅପରାଧୀମାନେ ନିର୍ଭୟରେ ଅପରାଧ ଘଟାଉଛନ୍ତି।
ଶ୍ରୀ ଦାସବର୍ମା କହିଥିଲେ, ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସା ସାଉଁଟିଥିବା ବେଳେ ଏବେ ବିଜେପି ସରକାର ରାଜ୍ୟ ପାଇଁ ନିନ୍ଦା ଓ ଅପବାଦ ଆଣୁଛନ୍ତି। ଆଜି ଏକ ସମୀକ୍ଷା କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଇଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସରକାରୀ ଯୋଜନା ବାବଦରେ ସରକାରୀ କର୍ମଚାରୀମାନେ ମଧ୍ୟ ଅବଗତ ନାହାନ୍ତି ବୋଲି ରାଜ୍ୟପାଳଙ୍କ ମନ୍ତବ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି।