ଷ୍ଟାର ପରିବାର ଭିଡିଓ ମାମଲା: କୃଷ୍ଣପ୍ରିୟାଙ୍କ ପରେ ଏତଲା ଦେଲେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି, ଥାନାରେ ୨ଟି ମାମଲା ରୁଜୁ

ଭୁବନେଶ୍ବର: ଅଭିନେତା ବାବୁସାନ, ତାଙ୍କ ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଖାରବେଳନଗର ଥାନାରେ ୨ଟି ମାମଲା ରୁଜୁ ହୋଇଛି। ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ରଙ୍କ ତରଫରୁ ପ୍ରଥମ ମାମଲା ତୃପ୍ତିଙ୍କ ବିରୋଧରେ ରୁଜୁ କରିଛନ୍ତି। ସେହିପରି ବାବୁସାନ୍‌ଙ୍କ ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦ୍ବିତୀୟ ମାମଲା ପ୍ରକୃତିଙ୍କ ବିରୋଧରେ ରୁଜୁ ହୋଇଛି। ତୃପ୍ତି ପୁଲିସ ନିକଟରେ ଅଭିଯୋଗ କରିବା ବେଳେ ସାଥୀରେ ଶାଶୁ ଅପରାଜିତା ମହାନ୍ତି ଉପସ୍ଥିତ ଥିଲେ।

ନିଜର ଅଭିଯୋଗରେ ତୃପ୍ତି ଆଜିର ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ଜୀବନ ଓ ପୁଅର ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି। ସେହିପରି ବାବୁସାନଙ୍କୁ ତୃପ୍ତି ହଇରାଣ କରୁଛନ୍ତି ବୋଲି କହିଛନ୍ତି। ତେବେ ଉଭୟ ମାମଲାରେ ପୁଲିସ ତୃପ୍ତିଙ୍କ ସହିତ ଅନ୍ୟମାନଙ୍କର ବୟାନ ରେକର୍ଡ କରିଛି। ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଯାଞ୍ଚ କରିଛି।

ଥାନାରେ ପ୍ରଥମ ମାମଲା ରୁଜୁ ହେବା ପରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ପୂର୍ବରୁ କହିଥିଲେ ଯେ, ପ୍ରମାଣ ଆଧାରରେ ଘଟଣାର ତଦନ୍ତ ହେବ। ପ୍ରକୃତି ମିଶ୍ରଙ୍କ ମା’ କୃଷ୍ଣପ୍ରିୟା ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି ଯେ ଝିଅ କାମକୁ ଯିବା ସମୟରେ କିଛି ଲୋକ ତା’ ଗାଡ଼ିକୁ ଅଟକାଇଥିଲେ। ଝିଅକୁ ମାନସିକ ଓ ଶାରୀରିକ ଆଘାତ ଦେଇଥିଲେ। ଏନେଇ ଥାନାରେ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ହେବ। ପ୍ରମାଣ ଆଧାରରେ ତଦନ୍ତ ପରେ ସବୁ କଥା ଜଣାପଡ଼ିବ।

ସମ୍ବନ୍ଧିତ ଖବର