ତୃପ୍ତିମୟୀ ପଣ୍ଡା ଅପହରଣ ଓ ହତ୍ୟା‌ ମାମଲା : ୩ ବର୍ଷ ପରେ ପୁଲିସ କବ୍‌ଜାରେ ଚିଙ୍କାରା

ଛତ୍ରପୁର : ଖଲ୍ଲିକୋଟ କଲେଜ ଏମ୍‌ସିଏ ଛାତ୍ରୀ ତୃପ୍ତିମୟୀ ପଣ୍ଡା ଅପହରଣ ଓ ହତ୍ୟା ଘଟଣାରେ ଚିଙ୍କାରା ବେହେରା ଏବେ ଛତ୍ରପୁର ପୁଲିସ କବ୍‌ଜାରେ। ଚିଙ୍କରା ଓ ତା’ର ଦୁଇ ସହଯୋଗୀ ଛତ୍ରପୁର ଜାତୀୟ ରାଜପଥ ନିକଟରେ ଥିବା ଖବର ପାଇ ପୁଲିସ ଚଢାଉ କରି ଏହି ସଫଳତା ପାଇଛି। ଆନ୍ଧ୍ର ଏବଂ ଓଡିଶା ପୁଲିସ ଆଖିରେ ଧୂଳି ଦେଇ ୩ବର୍ଷ ହେଲା ଫେରାର ରହିଥିଲା ଚିଙ୍କାରା ବେହେରା(୩୦)। ଚିଙ୍କାରା ଅଟକ ଥିବା ବେଳେ ତା’ର ଦୁଇ ସହଯୋଗୀଙ୍କୁ ପୁଲିସ ଛାଡ଼ି ଦେଇଛି।

ପୁଲିସ ସୂଚନା ଅନୁଯାୟୀ, ଛତ୍ରପୁର ନିଉ ପୁଲିସ କଲୋନୀର ବିବେକାନନ୍ଦ ପଣ୍ଡାଙ୍କ ୨୧ ବର୍ଷୀୟ କନ୍ୟା ତୃପ୍ତୀମୟୀ। ସେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏମ୍‌ସିଏରେ ପଢୁଥିଲେ। ବ୍ରହ୍ମପୁର ଅନନ୍ତ ନଗର ଦ୍ବିତୀୟ ଲେନ୍‌ ସ୍ଥିତ ଏକ ଘରୋଇ ହଷ୍ଟେଲରେ ସେ ରହୁଥିଲେ। ୨୦୧୬ ଅଗଷ୍ଟ ୨୫ତାରିଖରେ ତୃପ୍ତି ମାର୍କେଟିଂ କରି ଫେରୁଥିବା ବେଳେ ଖଲ୍ଲିକୋଟ କଲେଜ ନିକଟରୁ ଏକ ବୋଲେରୋ ଗାଡିରେ କିଛି ଯୁବକ ତାଙ୍କୁ ଅପହରଣ କରି ‌ନେଇଥିଲେ। ଆନ୍ଧ୍ର ପ୍ରଦେଶର ସୋମପେଣ୍ଠ ମଣ୍ଡଳ ଅନ୍ତର୍ଗତ ବାରୁଆ ଥାନା ଦେଶୀ ରାମଚନ୍ଦ୍ରପୁରମ୍‌ ନିକଟ ଜାତୀୟ ରାଜପଥ କଡ଼ରେ ହତ୍ୟା କରି ଫୋପାଡ଼ି ଦେଇଥିଲେ। ତୃପ୍ତିମୟୀଙ୍କ ଶବ ଜାତୀୟ ରାଜପଥ କଡ଼ରୁ ଅଗଷ୍ଟ ୨୬ରେ ମିଳିଥିଲା। ସେହି ସ୍ଥାନରୁ ଭୁବନେଶ୍ବରରୁ ପ୍ରକାଶ ପାଉଥିବା ଏକ ଖବରକାଗଜ ମଧ୍ୟ ପୁଲିସ ପାଇଥିଲା। ଅଗଷ୍ଟ ୨୮ତାରିଖରେ ସୋମପେଣ୍ଠ ଓ ବାରୁଆ ଥାନାର ୪ଜଣ ଅଧିକାରୀ ମୃତ ଯୁବତୀଙ୍କ ପରିଚୟ ଠାବ କରିବାକୁ ବ୍ରହ୍ମପୁର ଆସିଥିଲେ। ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶ ପାଇବା ପରେ ମୃତ ଯୁବତୀଙ୍କ ବାପା ବିବେକାନନ୍ଦ ପଣ୍ଡା ସୋମପେଣ୍ଠ ପୁଲିସକୁ ସାକ୍ଷାତ କରି ଶବ ଚିହ୍ନଟ କରିଥିଲେ। ବାରୁଆ ଥାନାରେ ଏକ ହତ୍ୟା ମକଦ୍ଦମା ରୁଜୁ ହୋଇଥିଲା। ବାରୁଆ ପୁଲିସ ଏକ କେସ୍‌ର ତଦନ୍ତ କରି ଚିଙ୍କାରା ଏହି ହତ୍ୟାକାଣ୍ଡରେ ଜଡ଼ିତ ଥିବା ଜାଣି ପାରିଥିଲା। କିନ୍ତୁ ଚିଙ୍କାରାର ପତ୍ତା ପାଉ ନ ଥିଲା ପୁଲିସ। ତା ନାଁରେ ଲୁକ୍‌ ଆଉଟ ସର୍କୁଲାର ଜାରି କରିଥିଲା। ତାକୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରିଥିଲା ବାରୁଆ ପୁଲିସ। କିନ୍ତୁ ୩ବର୍ଷ ହେଲ ଆନ୍ଧ୍ର ଓ ଓଡ଼ିଶା ପୁଲିସ ଆଖିରେ ଧୂଳି ଦେଇ ଛତ୍ରପୁର ଇଲାକାରେ ଘୁରି ବୁଲୁଥିଲା ଚିଙ୍କାରା। ଅଟକ ଚିଙ୍କରାକୁ ଛତ୍ରପୁର ଥାନା ପୁଲିସ ଖୁବଶୀଘ୍ର ଆନ୍ଧ୍ର ପୁଲିସକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଛତ୍ରପୁରର ସିପିଆଇ ନେତା ସ୍ବର୍ଗତ ସାକୁରା ବେହେରାଙ୍କ ଭାଇ ହେଉଛି ଚିଙ୍କାରା। ସାକୁରାଙ୍କୁ ୨୦୧୪ ଜୁଲାଇ ୨୩ରେ ଦୁର୍ବୃତ୍ତ ମାନେ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର