ପୁରୀ: ପୁରୀ ଜିଲ୍ଲାର ସତ୍ୟବାଦୀ ବିଧାନସଭା ଆସନ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ କରଛଡ଼ା ପରେ ଏହି ଆସନ ନେତୃତ୍ବଶୂନ୍ୟ ହୋଇପଡ଼ିଛି। ସ୍ଥିତି ଏପରି ହୋଇଛି ଯେ କଂଗ୍ରେସ ଟିକେଟ୍ରୁ ଲଢ଼ିବାକୁ ଏଠାରେ କେହି ପ୍ରାର୍ଥୀ ମିଳୁନାହାନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୬ ଜିଲ୍ଲା ପରିଷଦ ଜୋନ୍ କଂଗ୍ରେସ ପ୍ରାର୍ଥୀଶୂନ୍ୟ ଥିଲା। ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ନଦେବାରୁ ଦଳୀୟ କର୍ମୀ ଓ ସମର୍ଥକ ବିକଳ୍ପ ଦଳକୁ ପସନ୍ଦ କରିନେଇଛନ୍ତି। ଏଭଳି ସ୍ଥିତିରେ ପ୍ରସାଦ ଏଥର ଲଢ଼ିବାକୁ ମନା କରିଦେବା ପରେ ଏଥର ସତ୍ୟବାଦୀରେ ବିଧାୟକ ପ୍ରାର୍ଥୀ ସଙ୍କଟ ଦେଖାଦେଇଛି।
ସ୍ବାଧୀନତା ପୂର୍ବରୁ ଓଡ଼ିଶାରେ କଂଗ୍ରେସର ଉତ୍କଳ ପ୍ରଦେଶ ଶାଖା ଗଠନ ବେଳେ ଶାଖାର ପ୍ରଥମ ସଭାପତି ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ତାଙ୍କ ସମୟରେ ହିଁ ସୁଆଣ୍ଡୋରୁ କଂଗ୍ରେସର ପଦଧ୍ବନୀ ଆରମ୍ଭ ହୋଇଥିଲା। କାଦୁଆ ତାଙ୍କର କର୍ମକ୍ଷେତ୍ର ଥିଲା। ଏଣୁ କଂଗ୍ରେସ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଅନେକ ଥର ବିଧାୟକ ପଦ ଅକ୍ତିଆର କରିଛି। ସ୍ବାଧୀନତା ପରେ ୧୯୫୧ ପରଠାରୁ ୧୪ ଥର ନିର୍ବାଚନ ହୋଇଛି, ଯେଉଁଥିରୁ କଂଗ୍ରେସ ୮ଥର ବିଧାୟକ ପଦ ଦଖଲ କରିଛି। ସତ୍ୟବାଦୀରୁ କଂଗ୍ରେସର ପ୍ରଥମ ବିଧାୟକ ଥିଲେ ପଞ୍ଚସଖାଙ୍କ ଭିତରେ ଅନ୍ୟତମ ପଣ୍ଡିତ ନୀଳକଣ୍ଠ ଦାସ। ସର୍ବଦା ଏଠାରେ କଂଗ୍ରେସ ସହ ସ୍ବାଧୀନ ପ୍ରାର୍ଥୀ ଅବା ଜନତା ଦଳ ମଧ୍ୟରେ ଜୋରଦାର ଟକ୍କର ହୋଇଆସିଛି। ରବୀନ୍ଦ୍ର କୁମାର ଦାସଙ୍କ ପରେ ପ୍ରସାଦ ହରିଚନ୍ଦନ ଏଠାରେ କଂଗ୍ରେସ ମଙ୍ଗ ଧରିଥିଲେ। ୧୯୯୫ ଓ ୨୦୦୦ ନିର୍ବାଚନରେ ସେ କଂଗ୍ରେସ ବିଧାୟକ ଥିଲେ।
ପରେ ୨୦୦୪ରେ ସ୍ବାଧୀନ ପ୍ରାର୍ଥୀ ରମାରଂଜନ ବଳିୟାର ସିଂହ ବିଧାୟକ ପଦ ଛଡ଼ାଇ ନେଇଥିଲେ। ୨୦୦୯ରେ ପୁଣି ପ୍ରସାଦଙ୍କ ଲେଉଟାଣି ହୋଇଥିଲା। କିନ୍ତୁ ଏହାପରଠାରୁ କଂଗ୍ରେସର ଅଧୋପତନ ଘଟିଛି ଓ ଦଳ କେବେ ବିଜୟ ସ୍ବାଦ ଚାଖିନି। ସବୁଠୁ ଅଧିକ ନିରାଶଜନକ ସ୍ଥିତି ଦେଖିବାକୁ ମିଳିଥିଲା ଗତ ପଞ୍ଚାୟତ ନିର୍ବାଚନରେ। ସତ୍ୟବାଦୀ ନିର୍ବାଚନମଣ୍ଡଳୀର କଣାସ ବ୍ଲକ୍ରେ ତିନୋଟି(୩, ୪ ଓ ୫) ଓ ସତ୍ୟବାଦୀରେ ତିନୋଟି(୩୧, ୩୨ ଓ ୩୩), ଏଭଳି ୬ଟି ଜିଲ୍ଲା ପରିଷଦ ଜୋନ୍ରେ ଦଳ କୌଣସି ପ୍ରାର୍ଥୀ ଦେଇନଥିଲା। ଏବେ ଦଳର ଆହ୍ବାନରେ ଯେଉଁ ରାଜ୍ୟବ୍ୟାପୀ ଆନ୍ଦୋଳନ, ଧାରଣା ସବୁ ଡାକରା ଦିଆଯାଉଛି, ତାହା କାର୍ଯ୍ୟକାରୀ କରିବାକୁ କେହି କଂଗ୍ରେସ ନେତା କି କର୍ମୀ ନାହାନ୍ତି।