ରାଉରକେଲା: ସହରରୁ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଗୋଦାମ ବନ୍ଦ ଅବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି। ସାଢ଼େ ୧୨ ହଜାର ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ମହଜୁଦ କ୍ଷମତା ରହିଥିବା ଗୋଦାମଗୁଡ଼ିକ ଏବେ ଖାଲି ପଡିଛି। ତିନିଟି ଗୋଦାମ ମଧ୍ୟରୁ ଦୁଇଟି ଗୋଦାମ ୫ ହଜାର ମେଟ୍ରିକ୍ ଟନ୍ ଓ ଅନ୍ୟ ଗୋଟିଏ ଗୋଦାମ ମହଜୁଦ କ୍ଷମତା ରହିଛି ଅଢ଼େଇ ହଜାର ମେଟ୍ରିକ୍ ଟନ୍। ପୂର୍ବରୁ ତିନିଟି ଗୋଦାମରେ ପାଖାପାଖି ୭୦ରୁ ୮୦% ଖାଦ୍ୟ ଶସ୍ୟ ମହଜୁଦ ରହୁଥିଲା।
ଏବେ ତିନିଟି ଗୋଦାମ ମଧ୍ୟରୁ ଅଢ଼େଇ ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଗୋଦାମକୁ ରାଜ୍ୟ ସରକାରଙ୍କୁ ଭଡାସୂତ୍ରରେ ଦିଆଯାଇଛି। ଯେଉଁ ଗୋଦାମରେ ରାଜ୍ୟ ଯୋଗାଣ ବିଭାଗର ଚାଉଳ, ଗହମ ମହଜୁଦ ରହୁଛି। ଅନ୍ୟ ଦୁଇଟି ଗୋଦାମରେ ଏବେ ମାତ୍ର ୨୦ରୁ୩୦% ଚାଉଳ ମହଜୁଦ ଥିବା ଜଣାପଡିଛି। ପୂର୍ବରୁ ହଜାର ହଜାର କ୍ବିଣ୍ଟାଲ ଗହମ ମଜଦୁଦ ରହିଥିଲା। ଏବେ ଦୁଇଟି ଗୋଦାମରେ ବସ୍ତାଏ ହେଲେ ଗହମ ନାହିଁ। କାହିଁକି ମହଜୁଦ ରଖାଯାଉ ନାହିଁ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଜିଲ୍ଲାରେ ଗରିବ ହିତାଧିକାରୀଙ୍କୁ ବଣ୍ଟନ ଦେଉଥିବା ଚାଉଳ, ଗହମ ବର୍ଷ ବର୍ଷ ଧରି ଏଫ୍ସିଆଇ ଗୋଦାମରୁ ଯାଉଥିଲା। ବର୍ତ୍ତମାନ କିଛି ଚାଉଳ ଏଫ୍ସିଆଇ ଗୋଦାମରୁ ଉଠୁଛି। ଅବଶିଷ୍ଟ ଚାଉଳ ଓ ଗହମ ସହର ଠାରୁ ୧୪୦ କି.ମି. ଦୂର ଝାରସୁଗୁଡାରୁ ଆସୁଛି। ସେମିତି ପୂର୍ବରୁ ଏଫ୍ସିଆଇରେ ପାଖାପାଖି ବିଭିନ୍ନ ପଦବୀରେ ୫୦ରୁ ଅଧିକ ସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଥିଲେ।
ବର୍ତ୍ତମାନ ୫୦ ଅଧିକାରୀ ଓ କର୍ମଚାରୀଙ୍କ ବଦଳରେ ମାତ୍ର ୪ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଚାରି କର୍ମଚାରୀଙ୍କ ମଧ୍ୟରେ ଜଣେ ଏଫ୍ସିଆଇ ମ୍ୟାନେଜର ଓ ଅନ୍ୟ ତିନି ଜଣ ଅନ୍ୟ ବିଭାଗର କର୍ମଚାରୀ। କେବଳ ଏତିକି ନୁହେଁ ମାଲ୍ ଲୋଡିଂ ଓ ଅନ୍ଲୋଡିଂ ପାଇଁ ପ୍ରାୟ ୩୦୦ରୁ ଅଧିକ ସ୍ଥାୟୀ ଓ ଠିକା ଶ୍ରମିକ କାମ କରୁଥିଲେ। ଏବେ ମାତ୍ର ୧୦ରୁ ୧୨ ଶ୍ରମିକ କାମ କରୁଛନ୍ତି। ଧୀରେ ଧୀରେ ରାଉରକେଲା ଏଫ୍ସିଆଇକୁ ଗୌଣ କରି ଝାରସୁଗୁଡା ଏଫ୍ସିଆଇ ଅଧିକ ଗୁରୁତ୍ବ ଦିଆଯାଉଛି। ଅନ୍ୟପଟେ ଏଫ୍ସିଆଇ ଉସୁନା ଚାଉଳ ଅପେକ୍ଷା ଅରୁଆ କିଣିବାକୁ ଅଧିକ ଗୁରୁତ୍ବ ଦେଉଛି। ଏଫ୍ସିଆଇ ଆବଶ୍ୟକ କରୁଥିବା ଅରୁଆ ଚାଉଳ ରାଜ୍ୟରେ ସେତିକି ପରିମାଣରେ ମିଳୁନି। ଏଥିସକାଶେ ଏଫ୍ସିଆଇ କିଣୁ ନଥିବା ଜଣାପଡିଛି। ସେମିତି ଉସୁନା ଚାଉଳ କିଣିବାକୁ ଆଗ୍ରହ ଥିଲେ ମଧ୍ୟ ମିଲର୍ସମାନେ ସେହି ପରିମାଣରେ ସଠିକ୍ ଉସୁନା ଚାଉଳ ଯୋଗାଇପାରୁ ନାହାନ୍ତି। ଏଥିପାଇଁ ଏଫ୍ସିଆଇ ଉସୁନା ଚାଉଳ କିଣୁନଥିବା ଅନ୍ୟ ଏକ ପ୍ରମୁଖ କାରଣ। ସେପଟେ ରାଉରକେଲା ଏଫ୍ସିଆଇ ଗୋଦାମରେ ଗତ ୨/୩ ମାସ ଧରି ଗହମ ମହଜୁଦ ନଥିବାରୁ ସହରରେ ହିତାଧିକାରୀଙ୍କୁ ବଣ୍ଟନ କରାଯାଇପାରୁନି। ନିକଟରେ ଅଳ୍ପ କିଛି ଗହମ ଝାରସୁଗୁଡାରୁ ଅଣାଯାଇଥିଲା। ଯେତିକି ଗହମ ଆସିଥିଲା, ମାତ୍ର ୪୦% ହିତାଧିକାରୀଙ୍କୁ ବଣ୍ଟନ କରଯାଇଛି।
/sambad/media/post_attachments/wp-content/uploads/2022/08/37-19.jpg)
ଆହୁରି ୬୦% ହିତାଧିକାରୀ ଗହମ ପାଇ ନାହାନ୍ତି। ସେମାନଙ୍କୁ ଗହମ ବଦଳରେ ଚାଉଳ ନେବାକୁ ବାଧ୍ୟ କରାଯାଉଛି। ଏଫ୍ସିଆଇର ଏଭଳି ସ୍ଥିତି ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକ ମୁହଁ ନ ଖୋଲିବାର ଆବଶ୍ୟକତା ରହିଛି। ନ ହେଲେ କୌଣସି ମୂହୂର୍ତ୍ତରେ କେନ୍ଦ୍ର ସରକାର ରାଉରକେଲା ଏଫ୍ସିଆଇକୁ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ବନ୍ଦ କରିଦେଇ ପାରେ, ଏଥିରେ ଦ୍ବିମତ ନାହିଁ। ଏ ସଂକ୍ରାନ୍ତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ପଚାରିବାରୁ ସେ କହିଛନ୍ତି, ଏଫ୍ସିଆଇର ଏଭଳି ସ୍ଥିତି ସଂକ୍ରାନ୍ତରେ ମୋତେ ଜଣାନାହିଁ। ଆଞ୍ଚଳିକ ଅଫିସ୍ରୁ ରାଉରକେଲା ଅଫ୍ସିଆଇ ସ୍ଥିତି କ’ଣ ଜାଣିବା ପରେ ଠିକ୍ ଭାବେ କହିପାରିବି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଯଦି ଏଭଳି କିଛି ଚକ୍ରାନ୍ତ ହେଉଥାଏ, ତାକୁ ଦଳ କଡା ବିରୋଧ କରିବ। ଦରକାର ପଡିଲେ କେନ୍ଦ୍ରର ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/36-18.jpg)