କେନ୍ଦ୍ର ପାଠ୍ୟପୁସ୍ତକ ମୁଦ୍ରଣାଳୟ ବନ୍ଦ ପାଇଁ ଚକ୍ରାନ୍ତ

୧୭ କର୍ମଚାରୀଙ୍କୁ କଲିକତା ବଦଳି ନିର୍ଦେଶ

ଭୁବନେଶ୍ୱର : ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳର ଏକମାତ୍ର ପାଠ୍ୟପୁସ୍ତକ ମୁଦ୍ରଣାଳୟକୁ କେନ୍ଦ୍ର ସରକାର ବନ୍ଦ କରିବାକୁ ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି। ଗତବର୍ଷ ସେପ୍ଟେମ୍ବର ୨୨ତାରିଖରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ନିଷ୍ପତ୍ତି ଅନୁଯାୟୀ ୧୧ଟି ମୁଦ୍ରଣାଳୟ ସହ ଭୁବନେଶ୍ୱରରେ ଥିବା ଏହି ପାଠ୍ୟପୁସ୍ତକ ମୁଦ୍ରଣାଳୟକୁ ବନ୍ଦ କରିବା ପାଇଁ ସ୍ଥିର କରାଯାଇଛି। ଯଦିଓ ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ତଥାପି ପିଆଇବିର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ପ୍ରେସ୍‌ ବନ୍ଦ କରିବା ପାଇଁ କିଛି ଅମଲା ଲାଗି ପଡ଼ିଛନ୍ତି। ମୁଦ୍ରଣାଳୟର ୧୭ଜଣ କର୍ମଚାରୀଙ୍କୁ କୋଲକାତାକୁ ବଦଳି ପାଇଁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏଭଳି ବଦଳିକୁ ତୀବ୍ର ବିରୋଧ କରିଛି କେନ୍ଦ୍ର ପାଠ୍ୟପୁସ୍ତକ ମୁଦ୍ରଣାଳୟ କର୍ମଚାରୀ ସଂଘ।

୧୯୭୦ ଦଶକରେ ଦେଶରେ ଶିକ୍ଷାର ବିକାଶ ପାଇଁ ୟୁନେସ୍କୋ ପକ୍ଷରୁ ପଶ୍ଚିମ ଜର୍ମାନୀ ସରକାରଙ୍କ ସହାୟତାରେ ୩ଟି ପାଠ୍ୟପୁସ୍ତକ ମୁଦ୍ରଣାଳୟ ଦାନ ଦିଆଯାଇଥିଲା। ଭୁବନେଶ୍ୱରର ପାଠ୍ୟପୁସ୍ତକ ମୁଦ୍ରଣାଳୟ ଏଥିରୁ ଅନ୍ୟତମ। ୧୯୬୨ ମସିହାରେ ରାଜ୍ୟ ସରକାର ଏଥିପାଇଁ ଚନ୍ଦ୍ରଶେଖରପୁରରେ ୧୦୦ଏକର ଜମି ଯୋଗାଇ ଦେଇଥିଲେ। ଏହି ମୁଦ୍ରଣାଳୟର ଉତ୍ପାଦନ ଦେଶର ଅନ୍ୟ ମୁଦ୍ରଣାଳୟଠାରୁ ଯଥେଷ୍ଟ ଅଧିକ। ୨୦୦୨ ଓ ୨୦୦୭ ମସିହାରେ ଏହି ମୁଦ୍ରଣାଳୟକୁ ବନ୍ଦ କରିବା ଓ ପରବର୍ତୀ ସମୟରେ ଘରୋଇକରଣ କରିବା ପାଇଁ ଚେଷ୍ଟା କରାଯାଇଥିଲା। ତେବେ ଏଥିରେ ସରକାର ବିଫଳ ହେବା ପରେ ୨୦୧୭ ମସିହାରେ ଏଥିପାଇଁ ପୁଣିଥରେ ହୀନ ଚକ୍ରାନ୍ତ କରିଛନ୍ତି। କୋଲକାତାସ୍ଥିତ ଟେମ୍ପଲ ଷ୍ଟ୍ରିଟ୍‌ର ୨ଶହ ବର୍ଷ ତଳର ଏକ ପୁରୁଣା ପ୍ରେସ୍‌ ସହିତ ଏହାକୁ ମିଶାଇବାକୁ ଉଦ୍ୟମ ହେଉଛି। ରାଜ୍ୟର ଏହି ଅତ୍ୟାଧୁନିକ କାର୍ଯ୍ୟକ୍ଷମ ମୁଦ୍ରଣାଳୟକୁ ବିନା କୌଣସି କାରଣରେ ଶାଗମାଛ ଦରରେ ଶିଳ୍ପପତିଙ୍କୁ ବିକ୍ରି କରିବା ପାଇଁ ଯୋଜନା ହୋଇଛି।

ସଂଘର ସାଧାରଣ ସଂପାଦକ ମନୋରଂଜନ ମହାନ୍ତିଙ୍କ କହିବାନୁଯାୟୀ, ୧୦୦ଏକର ଜାଗା ଉପରେ ଗଢ଼ି ଉଠିଥିବା ଏହି ମୁଦ୍ରଣାଳୟର ୪୦ ଏକର ଜାଗା ପୂର୍ବତଟ ରେଳ ଜୋନ୍‌କୁ ହସ୍ତାନ୍ତର କରାଯାଇଛି। ସେହିପରି ୨୦୧୦ ମସିହାରେ ଏହି ମୁଦ୍ରଣାଳୟକୁ ପୂର୍ବତଟ ରେଳ ଜୋନ୍‌ ଅଧିଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲେ ହେଁ, କେନ୍ଦ୍ର ସହରୀ ବିକାଶ ମନ୍ତ୍ରଣାଳୟ ଏହାକୁ ଖାରଜ କରି ଦେଇଥିଲେ। ମୁଦ୍ରଣାଳୟକୁ ଆଧୁନିକୀକରଣ କରିବା ବଦଳରେ ଏହାକୁ ବନ୍ଦ କରି ଏହାର ଅତ୍ୟାଧୁନିକ ଯନ୍ତ୍ରପାତିକୁ କମ୍‌ ମୂଲ୍ୟରେ ବିକ୍ରି କରିବା ପାଇଁ ଏହି ଚକ୍ରାନ୍ତ କରାଯାଉଛି। ଗତବର୍ଷ ଡିସେମ୍ବର ୩୧ ତାରିଖରୁ କଲିକତାସ୍ଥିତ ଟେମ୍ପଲ ଷ୍ଟ୍ରିଟ୍‌ ମୁଦ୍ରଣାଳୟକୁ ଭୁବନେଶ୍ୱରସ୍ଥିତ ମୁଦ୍ରଣାଳୟର ଅର୍ଧାଧିକ କର୍ମଚାରୀଙ୍କୁ ବଦଳି କରି ଦିଆଯାଇଛି। ଏହାର ପ୍ରତିବାଦରେ କର୍ମଚାରୀମାନେ କୋର୍ଟର ଆଶ୍ରୟ ନେଇଥିବା ବେଳେ କର୍ମଚାରୀଙ୍କୁ ଦରମା ମିଳୁନାହିଁ। ପୂର୍ବତଟ ରେଳ ଜୋନ୍‌ କିମ୍ବା କେନ୍ଦ୍ର କ୍ଷମତା ବିକାଶ ମନ୍ତ୍ରଣାଳୟ ଏହି ମୁଦ୍ରଣାଳୟକୁ ଅଧିଗ୍ରହଣ କରି ଦକ୍ଷତା ବିକାଶ କାର୍ଯ୍ୟରେ ଲଗାଇପାରିଲେ ରାଜ୍ୟ ପାଠ୍ୟ ପୁସ୍ତକ ଯୋଗାଣର ଅଭାବ ଦୂର ହୋଇପାରିବ। ରାଜ୍ୟ ସରକାର ଓ କେନ୍ଦ୍ର ରାଜନୈତିକ ନେତୃମଣ୍ଡଳୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର