ଭୁବନେଶ୍ବର : ନୂଆବର୍ଷ ପୂର୍ବରୁ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସର ଟିଟିଇମାନଙ୍କ ପାଇଁ ହାଣ୍ଡ ହେଲ୍ଡ ଟର୍ମିନାଲ୍ ସୁବିଧା କରାଯିବ। ପରବର୍ତୀ ଷ୍ଟେସନ୍ରେ ଖାଲିହେବାକୁ ଥିବା ବର୍ଥ ସମ୍ବନ୍ଧରେ ଜାଣିବା ପାଇଁ ଏଥିରେ ବ୍ୟବସ୍ଥା ରହିବ। ପ୍ରତୀକ୍ଷାରେ ଥିବା ଯାତ୍ରୀମାନଙ୍କୁ ସହାୟତା ହେବ। ଏହାର ଉପଯୋଗ ଦ୍ୱାରା ରେଳବାଇ ଆୟ ବୃଦ୍ଧି ଓ କର୍ମଚାରୀମାନଙ୍କର ଆତ୍ମସମ୍ମାନ ବଢ଼ିବ। ଆଉ କାଗଜ ବ୍ୟବହାର କରାଯିବ ନାହିଁ। ପରିବେଶ ପ୍ରତି ସହାୟକ ହେବ।
ବର୍ତମାନ ସୁଦ୍ଧା ପୂର୍ବତଟ ରେଳପଥ ୩୩ଟି ହାଣ୍ଡ ହେଲଡ ଟର୍ମିନାଲ ଗ୍ରହଣ କରିଛି। ରାଜଧାନୀ ଏକ୍ସପ୍ରେସରେ ବ୍ୟବହାର ପାଇଁ ଭୁବନେଶ୍ୱରକୁ ୨୧ଟି ଓ ଶତାବ୍ଦୀ ଏକ୍ସପ୍ରେସରେ ପାଇଁ ପୁରୀକୁ ୧୨ଟି ଯୋଗାଣ ହୋଇଛି। ଏଥିପାଇଁ ସିମ୍ କାର୍ଡ ଦିଆଯାଇଛି। ଆସନ୍ତା କିଛି ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯିବ। କିଛି ଦିନ ପୂର୍ବରୁ ପାଟନା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ରେ ବ୍ୟବହାର ପାଇଁ ଟିଟିଇମାନଙ୍କୁ ଦିଆଯାଇଛି।
ରାଷ୍ଟ୍ରୀୟ ପରିବହନ କ୍ଷେତ୍ରରେ ଡିଜିଟାଲ୍ରେ କାର୍ଯ୍ୟ କରିବାର ପ୍ରୟାସକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରେ ନୂଆବର୍ଷ ପୂର୍ବରୁ ଏହି ହାଣ୍ଡ ହେଲ୍ଡ ଟର୍ମିନାଲର ପ୍ରଚଳନ କରାଯିବାକୁ ବ୍ୟବସ୍ଥା ହୋଇଛି। ଆଇପ୍ୟାଡ଼ ପରି ଦେଖାଯାଉଥିବା ଏହି ଟର୍ମିନାଲରେ ଯାତ୍ରୀ ଆରକ୍ଷଣ ପ୍ରଣାଳୀ ସହିତ ଅନ୍ଲାଇନ ଜିପିଆରଏସ୍ ମାଧ୍ୟମରେ ଯୋଡ଼ାଯିବ। ଫଳରେ ଟ୍ରେନରେ ଯାତ୍ରା ସମୟରେ ପ୍ରତ୍ୟେକ ଷ୍ଟେସନରେ ଆରକ୍ଷଣର ସ୍ଥିତି ସ୍ୱୟଂଚାଳିତ ଭାବେ ପରିବର୍ତନ ହୋଇପାରିବ। ପ୍ରତୀକ୍ଷାରେ ଥିବା କିମ୍ବା ରିଜର୍ଭେସନ୍ ଏଗେନ୍ଷ୍ଟ କ୍ୟାନ୍ସଲେସନ୍(ଆରଏସି)ରେ ଥିବା ଯାତ୍ରୀମାନେ ଷ୍ଟେସନ୍ରେ ସେମାନଙ୍କର ଆରକ୍ଷଣ ସ୍ଥିତିକୁ ଯାଞ୍ଚ କରିପାରିବେ।
ଯାତ୍ରୀ ଆରକ୍ଷଣରେ ସ୍ୱଚ୍ଛତା ଆଣିବା ସହ ଦୁର୍ନୀତିକୁ ଏଡ଼ାଇ ଦିଆଯାଇପାରିବ। ଆର୍ଏସିରେ ଥିବା ଯାତ୍ରୀଙ୍କୁ ଖାଲି ହେଉଥିବା ବର୍ଥଗୁଡ଼ିକରେ ସୁବିଧା ଯୋଗାଇ ଦିଆଯାଇପାରିବ। ଏହାମାଧ୍ୟମରେ ଅତିରିକ୍ତ ଦେୟ, ଜରିମାନା ଓ ଅନ୍ୟାନ ଦେୟ ଆଦାୟ ସହ ରସିଦ ମଧ୍ୟ ଯୋଗାଇ ଦିଆଯିବ। ଏହାକୁ ବ୍ୟବହାର ଦ୍ୱାରା ଅନ ବୋର୍ଡ ଟିଟିଇମାନେ କାଗଜ ଦ୍ୱାରା ପ୍ରସ୍ତୁତ ଆରକ୍ଷଣ ଚାର୍ଟ ବ୍ୟବହାରକୁ ଉପଯୋଗ କରିବାକୁ ପଡ଼ିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/ticket-collector.jpg)