ଥର୍ମାଲ୍: ଇଣ୍ଟ୍ରଷ୍ଟିଆଲ୍ ଡିସ୍ପୁଟ୍ ଆକ୍ଟ-୧୯୪୭ କହୁଛି, କୌଣସି ପବ୍ଲିକ୍ ସେକ୍ଟର କାରଖାନା ବନ୍ଦ କରିବା ପୂର୍ବରୁ ସରକାରୀ ଅନୁମତି ଲୋଡ଼ା। ସରକାରୀ ଅନୁମତି ପରେ ବନ୍ଦ ପ୍ରକ୍ରିୟା ଚାଲୁ ହେବା ଉଚିତ୍। କାରଖାନାର ଶ୍ରମିକ ସଂଗଠନ ବି ଏ ସମ୍ପର୍କରେ ଜାଣିବା ଉଚିତ୍। କିନ୍ତୁ, ଏ ସବୁ ପ୍ରକ୍ରିୟା ଶେଷ ନ କରାଯାଇ କାରଖାନାକୁ ବନ୍ଦ କରାଯାଇଛି। ଯାହା ପୂରା ବେଆଇନ୍। ତେଣୁ, ଟିଟିପିଏସ୍(ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍) ବନ୍ଦ ନୋଟିସ୍କୁ ବେଆଇନ୍ ଘୋଷଣା କରାଯାଉ। ଶ୍ରମିକ ଛଟେଇ ନୋଟିସ୍କୁ ବି ବେଆଇନ୍ ଦର୍ଶାଯାଇ ପୁନଃ ନିଯୁକ୍ତି ଦିଆଯାଉ।
ଟିଟିପିଏସ୍ କାରଖାନା ବନ୍ଦ ନେଇ ଡେପୁଟି ଲେବର କମିସନରଙ୍କ କାର୍ଯ୍ୟାଳୟରେ ଆଜି ଦ୍ବିତୀୟ ଶୁଣାଣିରେ ଶ୍ରମିକ ନେତାମାନେ ଟିଟିପିଏସ କର୍ତ୍ତୃପକ୍ଷଙ୍କର ଏ ପ୍ରକାର ବେଆଇନ ନୀତି ଉପରେ ପ୍ରଶ୍ନ କରିବା ସହିତ ଠିକା ଶ୍ରମିକଙ୍କ ପାଇଁ ନ୍ୟାୟ ମାଗିଛନ୍ତି। ଏ ଦିଗରେ ଲିଖିତ ଉତ୍ତର ନେଇ ଆସନ୍ତା ୯ତାରିଖ ଦିନ ତୃତୀୟ ଶୁଣାଣିରେ ହାଜର ହେବାକୁ କମିସନର ଟିଟିପିଏସ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୩୧ତାରିଖରେ ଟିଟିପିଏସ୍ କର୍ତ୍ତୃପକ୍ଷ କାରଖାନାକୁ ବନ୍ଦ କଲେ। ଯାହାକୁ ଶ୍ରମିକ ସଂଗଠନମାନେ ଦୃଢ଼ ବିରୋଧ କରୁଛନ୍ତି। କାରଖାନା ବନ୍ଦ ନେଇ ପୂର୍ବରୁ କମିସନରଙ୍କ ପାଖରେ ଆଲୋଚନା ଚାଲିଥିବା ବେଳେ ଟିଟିପିଏସ୍ କର୍ତ୍ତୃପକ୍ଷ କେମିତି କାରଖାନାକୁ ବନ୍ଦ କଲେ ସେନେଇ ଆଇଏନ୍ଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ସିଆଇଟିୟୁର ରାଜ୍ୟ ସଭାପତି ବିଷ୍ଣୁ ମହାନ୍ତି, ହିନ୍ଦ୍ ମଜଦୁର ସଂଘ ସଭାପତି ବି.ପି. ଦାସ, ଟିଟିପିଏସ୍ ଶ୍ରମିକ ଏକତା ମଞ୍ଚ କାର୍ଯ୍ୟକାରୀ ସଭାପତି ପ୍ରଦୀପ ସାମଲ, ସରୋଜ ନାଥ, ସାଧାରଣ ସମ୍ପାଦକ ବିନୋବାନନ୍ଦ ତ୍ରିପାଠୀ, ଉପ ସଭାପତି ପ୍ରବଣ ସାମଲ ପ୍ରମୁଖ ପ୍ରଶ୍ନ କରିଥିଲେ। ଏହା ସହିତ ସରକାରଙ୍କର ଇଣ୍ଟ୍ରଷ୍ଟିଆଲ୍ ଡିସ୍ପୁଟ୍ ଆକ୍ଟ-୧୯୪୭, ସେକ୍ସନ ୨୫(ଓ), ସେକ୍ସନ୍-୩୩ ଉପରେ ବି ଯୁକ୍ତି ବାଢ଼ିଥିଲେ। ଟିଟିପିଏସ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି.ଏସ୍. ରାଓ ଶୁଣାଣିରେ ଯୋଗ ଦେଇ ନିଜର ପକ୍ଷ ରଖିଥିବା ଜଣାପଡ଼ିଛି।
କାରଖାନା ବନ୍ଦ ପାଇଁ ବିଧିବଦ୍ଧ ଭାବେ ଏପ୍ରିଲ୍ ପହିଲାରୁ ଆବେଦନ କରାଯାଇଛି। ଯେହେତୁ, ଏହା ପୁରୁଣା କାରଖାନା ଏବଂ ସୁରକ୍ଷିତ ନୁହେଁ, ତେଣୁ କାରଖାନା ବନ୍ଦ କରାଯାଇଛି ବୋଲି ଟିଟିପିଏସ୍ କର୍ତ୍ତୃପକ୍ଷ ଶୁଣାଣିରେ ଉତ୍ତର ରଖିଥିବା ଜଣାପଡ଼ିଛି। କାରଖାନାରେ ମୋଟ୍ ୧୪୭୯ଜଣ ଠିକା କର୍ମଚାରୀ କାମ କରୁଥିଲେ। ସେଥିରୁ ୮୭୯ଜଣଙ୍କୁ ଛଟେଇ କରାଯାଇଛି। ଏବେ ବି ୬ଶହ ଶ୍ରମିକ କାମ କରୁଛନ୍ତି। ଛଟେଇ ଶ୍ରମିକଙ୍କ ମଧ୍ୟରୁ ୨୬୭ଜଣଙ୍କୁ ପୁଣି ନିଯୁକ୍ତି ଦିଆଯାଇ ପାରିବ। କହିବାକୁ ଗଲେ, ୬୧୨ଜଣ ଶ୍ରମିକ କାମ ହରାଇବେ ବୋଲି ଟିଟିପିଏସ୍ କର୍ତ୍ତୃପକ୍ଷ ତଥ୍ୟ ଦେଇଥିଲେ।
ଯେହେତୁ, କାରଖାନା ବନ୍ଦ ନେଇ ଆଲୋଚନା ପ୍ରକ୍ରିୟା ଚାଲୁ ରହିଛି। ତେଣୁ, ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ଛଟେଇ ନ କରିବାକୁ ଟିଟିପିଏସ୍ କର୍ତ୍ତୃପକ୍ଷଙ୍କୁ କମିସନର ପରାମର୍ଶ ଦେଇଛନ୍ତି। ସେହିପରି, କାରଖାନାରେ ବିଶେଷ ଯଦି କିଛି ସ୍ବତନ୍ତ୍ର ସମସ୍ୟା ନ ଥାଏ, ତେବେ କାରଖାନା ଚଳାଇବାକୁ କମିସନର ଟିଟିପିଏସ୍କୁ ପରାମର୍ଶ ଦେଇଛନ୍ତି।
ଏ ପ୍ରସଙ୍ଗରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ବିନା ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ଟିଟିପିଏସ୍ କର୍ତ୍ତୃପକ୍ଷ କହିଥିଲେ। ତେଣୁ, ଆସନ୍ତା ୯ତାରିଖ ଦିନ ଏ ପ୍ରସଙ୍ଗରେ ଲିଖିତ ଉତ୍ତର ନେଇ କମିସନରଙ୍କ ନିକଟରେ ଉପସ୍ଥିତ ରହିବାକୁ ଟିଟିପିଏସ୍ଙ୍କୁ କମିସନର ପରାମର୍ଶ ଦେଇଛନ୍ତି ବୋଲି ଶ୍ରମିକ ଏକତା ମଞ୍ଚର କାର୍ଯ୍ୟକାରୀ ସଭାପତି ଶ୍ରୀ ସାମଲ ‘ସମ୍ବାଦ’କୁ କହିଛନ୍ତି।
ଲେବର କମିସନରରେ ଟିଟିପିଏସ୍ ବନ୍ଦ ବିବାଦ: ପୁଣି ପ୍ଲାଣ୍ଟ୍ ଚଳାଇବାକୁ କମିସନର ଦେଲେ ପରାମର୍ଶ
/sambad/media/post_attachments/wp-content/uploads/2021/04/TTPS-Talcher-450x300-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)