ଅବଧି ପୂର୍ବରୁ ବନ୍ଦ ହେଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ, ୬ ୟୁନିଟରୁ ବିଜୁଳି ଉତ୍ପାଦନ ଠପ୍

୧୪ ଶହ ଠିକା କର୍ମଚାରୀଙ୍କ ସମେତ ୫୦ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା

ଅନୁଗୁଳ/ତାଳଚେର  : ଅବଧି ଶେଷ ପୂର୍ବରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଂଟ । ଫଳରେ ୬ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ପୂରା ଠପ୍ ହୋଇଯାଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ପରିବେଶ ମଞ୍ଜୁରୀ ଥିବା ବେଳେ ପ୍ଲାଣ୍ଟ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ୯ ଦିନ ପୂର୍ବରୁ ବନ୍ଦ ହୋଇଯାଇଛି ତାଳଚେରସ୍ଥିତ ଟିଟିପିଏସ୍ । ଏହାକୁ ନେଇ ସେଠାରେ ଅସନ୍ତୋଷ ଦେଖାଦେଇଛି ।

ପ୍ରଥମେ ପ୍ଲାଂଟର ୧ ନମ୍ବର ଓ ୬ ନମ୍ବର ଦୁଇଟି ୟୁନିଟ୍ ବନ୍ଦ ହୋଇଥିବା ବେଳେ ଅବଶିଷ୍ଟ ୪ ୟୁନିଟକୁ ବିଭିନ୍ନ ଆଳ ଦେଖାଇ ବନ୍ଦ କରିଦିଆଯାଇଛି । ୪୬୦ ମେଗାୱାଟ କ୍ଷମତା ବିଶିଷ୍ଟ ଏହି ପାୱାରପ୍ଲାଂଟ ବନ୍ଦ ହେବା ଫଳରେ ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ୧୪ ଶହ ଠିକା କର୍ମଚାରୀଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି । ଟିଟିପିଏସକୁ ଚାଲୁ ନ କଲେ ତାଳଚେରର ସମସ୍ତ କୋଇଲା ଖଣିରୁ କୋଇଲା ଉତ୍ତୋଳନ ସଂପୂର୍ଣ୍ଣ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ସେପଟେ ମୁଖ୍ୟମନ୍ତ୍ରୀ ଟିଟିପିଏସ୍ ବନ୍ଦ ନ କରିବାକୁ ଦାବି କରି କେନ୍ଦ୍ରକୁ ଏକ ଚିଠି ଲେଖିଛନ୍ତି ।

ସମ୍ବନ୍ଧିତ ଖବର