ଅନୁଗୁଳ : ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ୍) ବନ୍ଦ ହେବାକୁ ନେଇ ଦ୍ବନ୍ଦ୍ବ ପୁଣି ବଢିଛି। ଅଗଷ୍ଟ ୨୦ ତାରିଖରୁ ଏହି ପ୍ଲାଣ୍ଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଅନୁମତି ଦେଇଥିଲା। ହେଲେ ଏଥିନେଇ ହାଇକୋର୍ଟରେ ମାମଲା ଥିବାରୁ ଆସନ୍ତାକାଲିଠାରୁ ଏହା ବନ୍ଦ ହେବନାହିଁ। ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ଆସିବା ପରେ ଯାଇ ଟିଟିପିଏସ୍ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି ଜଣାପଡ଼ିଛି। ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲାବେଳେ ଏହା ଉପରେ କର୍ମଚାରୀମାନଙ୍କ ଭାଗ୍ୟ ନିର୍ଭର କରୁଛି।
ଜାତୀୟ ତାପଜ ବିଦ୍ୟୁତ ନିଗମ(ଏନ୍ଟିପିସି) ଦ୍ବାରା ପରିଚାଳିତ ତାଳଚେର ଥର୍ମାଲ ପାୱାର ଷ୍ଟେସନରୁ ବିଜୁଳି ଉତ୍ପାଦନ ମାର୍ଚ୍ଚ ୩୧ ତାରିଖରୁ ବନ୍ଦ ହୋଇସାରିଲାଣି। ୪୬୦ ମେଗାୱାଟ ବିଶିଷ୍ଟ ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରିବା ଲାଗି ଏନ୍ଟିପିସି କର୍ତ୍ତୃପକ୍ଷ ଗତ ଏପ୍ରିଲ ପହିଲାରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟରେ ଆବେଦନ କରିଥିଲେ। ମେ ୨୭ ତାରିଖରେ ଏଥିନେଇ ସଂଶୋଧିତ ଆବେଦନ କରିଥିଲା ଏନ୍ଟିପିସି। ପ୍ଲାଣ୍ଟ ବନ୍ଦ କରିବା ପଛରେ ଏନ୍ଟିପିସି ୯ଟି କାରଣ ଦର୍ଶାଇଥିଲା। ମେ ୫ ତାରିଖରେ ଏହାର ବିଚାର ଭର୍ଚୁଆଲ ମୋଡରେ କରାଯାଇଥିଲା। ଏହାପରେ ଟିଟିପିଏସ୍କୁ ବନ୍ଦ କରିବା ପାଇଁ ଆଗତ ଆବେଦନକୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ମଂଜୁରି ଦେଇଥିଲା। ଅଗଷ୍ଟ ୨୦ ତାରିଖରୁ ଏହା ବନ୍ଦ କରିବାକୁ ଅନୁମତି ଦେଇଥିଲେ ସରକାର। ଏପଟେ କର୍ମଚାରୀମାନଙ୍କୁ ୨୪ ତାରିଖ ପର୍ଯ୍ୟନ୍ତ ଗେଟ୍ ପାସ୍ ପ୍ରଦାନ କରାଯାଇଥିଲା। ଏହା ଭିତରେ ଟିଟିପିଏସ୍ ବନ୍ଦକୁ ବିରୋଧ କରି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଏହା ଉପରେ ସାମୟିକ ରହିତାଦେଶ ପ୍ରଦାନ କରିଛନ୍ତି। ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ବିଚାର ହେବା ପର୍ଯ୍ୟନ୍ତ ବନ୍ଦ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବନାହିଁ।
ହାଇକୋର୍ଟଙ୍କ ଏହି ଆଦେଶ କର୍ମଚାରୀଙ୍କୁ ସାମୟିକ ଆଶ୍ବସ୍ତି ଦେଇଥିଲାବେଳେ ଏବେ ସେମାନେ ବନ୍ଦକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି। କାରଣ ସେମାନଙ୍କ ଗେଟ୍ ପାସ୍ ଅଗଷ୍ଟ ୨୪ ତାରିଖରେ ଶେଷ ହୋଇଯାଉଛି। ଏହା ପରେ ଆଉ ଗେଟ୍ ପାସ୍ ଜାରି କରିବାକୁ ଟିଟିପିଏସ କର୍ତ୍ତୃପକ୍ଷ ଏ ଭିତରେ କୌଣସି ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ତେଣୁ ଭବିଷ୍ୟତକୁ ନେଇ ସେମାନେ ଅନ୍ଧାରରେ ଅଛନ୍ତି।