ଅନୁଗୁଳ : ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ୍) ଆଉଥରେ ଚାଲିବ ବୋଲି ଯେଉଁ ସାମାନ୍ୟ ଆଶା ଟିକକ ଥିଲା, ତାହା ବି ଲିଭିଗଲା। ଟିଟିପିଏସ୍କୁ ସବୁଦିନ ପାଇଁ ବନ୍ଦ କରିବା ଲାଗି ଏନଟିପିସି କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ପାଖରେ କରିଥିବା ଆବେଦନକୁ ଗ୍ରହଣ କରି ନେଇଛି କେନ୍ଦ୍ର ଶ୍ରମ ମନ୍ତ୍ରାଳୟ। ଆସନ୍ତା ଅଗଷ୍ଟ ୨୦ ତାରିଖରୁ ଏହି ପ୍ଲାଣ୍ଟରେ ତାଲା ପଡ଼ିବ। ତେବେ ଏହା ପୂର୍ବରୁ ଶ୍ରମିକମାନଙ୍କ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ଏନ୍ଟିପିସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଜାତୀୟ ତାପଜ ବିଦ୍ୟୁତ ନିଗମ(ଏନ୍ଟିପିସି) ଦ୍ବାରା ପରିଚାଳିତ ତାଳଚେର ଥର୍ମାଲ ପାୱାର ଷ୍ଟେସନରୁ ବିଜୁଳି ଉତ୍ପାଦନ ମାର୍ଚ୍ଚ ୩୧ ତାରିଖରୁ ବନ୍ଦ ରହିଛି। ୪୬୦ ମେଗାୱାଟ୍ ବିଶିଷ୍ଟ ଏହି ପ୍ରକଳ୍ପକୁ କର୍ତ୍ତୃପକ୍ଷ ବନ୍ଦ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏଥିନେଇ ବିଧିବଦ୍ଧ କୌଣସି ଘୋଷଣା ହୋଇ ନ ଥିଲା। ଅପରପକ୍ଷରେ ପ୍ଲାଣ୍ଟକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଏନ୍ଟିପିସି କର୍ତ୍ତୃପକ୍ଷ ଗତ ଏପ୍ରିଲ ପହିଲାରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ନିକଟରେ ଆବେଦନ କରିଥିଲେ। ମେ ୨୭ ତାରିଖରେ ଏଥିନେଇ ସଂଶୋଧିତ ଆବେଦନ କରିଥିଲା ଏନଟିପିସି। ପ୍ଲାଣ୍ଟ ବନ୍ଦ କରିବା ପଛରେ ଏନ୍ଟିପିସି ୯ଟି କାରଣ ଦର୍ଶାଇଥିଲା। ପ୍ଲାଣ୍ଟର ଯନ୍ତ୍ରାଂଶ ପୁରୁଣା ହୋଇଯାଇଥିଲାବେଳେ ଜଳଯୋଗାଣ ପାଇପ୍ରେ ଛିଦ୍ର, କୋଇଲା ଆଣିବା ପାଇଁ କନଭେୟର ବେଲ୍ଟ ସମସ୍ୟା, ପାଉଁଶ ପରିଚାଳନା ସମସ୍ୟା ଆଦି ଉତ୍ଥାପନ କରାଯାଇଥିଲା। ଯାବତୀୟ ସମସ୍ୟା କାରଣରୁ ଏହି ପ୍ଲାଣ୍ଟ ଚଳାଇବା ଆଉ ବିପଦମୁକ୍ତ ନୁହେଁ ବୋଲି ସରକାରଙ୍କୁ କୁହାଯାଇଥିଲା।
ମେ ୫ ତାରିଖରେ ଏହି ଆମେଦନ ଉପରେ ଭର୍ଚୁଆଲ ମୋଡ୍ରେ ବିଚାର କରାଯାଇଥିଲା।
ଏଥିରେ ଏନ୍ଟିପିସି କର୍ତ୍ତୃପକ୍ଷ, ଶ୍ରମିକ ସଂଗଠନର ପ୍ରତିନିଧି, ଠିକା ଶ୍ରମିକଙ୍କ ପ୍ରତିନିଧି, ଓଡ଼ିଶା ସରକାରଙ୍କ ପ୍ରତିନିଧିଙ୍କ ସମେତ ଅନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ। ଏହା ପରେ ଟିଟିପିଏସ୍କୁ ବନ୍ଦ କରିବା ପାଇଁ ଆଗତ ଆବେଦନ ଉପରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ମୋହର ମାରିଛି। ପ୍ଲାଣ୍ଟ ବନ୍ଦ କରାଯିବା ଲାଗି ଯଥେଷ୍ଟ କାରଣ ଥିବା ଏହି ବନ୍ଦ ନୋଟିସ୍ରେ ଦର୍ଶାଯାଇଛି। ତେଣୁ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ପ୍ଲାଣ୍ଟକୁ ଏନ୍ଟିପିସି କର୍ତ୍ତୃପକ୍ଷ ବନ୍ଦ କରିବାକୁ ଏଥିରେ ଅନୁମତି ଦେଇଛି ଶ୍ରମ ମନ୍ତ୍ରାଳୟ। ତେବେ ଏଥିପାଇଁ କୌଣସି କର୍ମଚାରୀ ଛଟେଇ ହେଉଥିଲେ ତାଙ୍କର ଉପଯୁକ୍ତ ପ୍ରାପ୍ୟ ଆଗୁଆ ପ୍ରଦାନ କରିବ ଏନ୍ଟିପିସି।
/sambad/media/post_attachments/wp-content/uploads/2021/07/NTPC-Talcher.jpg)
ଶ୍ରମ ମନ୍ତ୍ରାଳୟର ଏହି ଅନୁମତି ପରେ ଟିଟିପିଏସ୍ କର୍ମଚାରୀଙ୍କ ଭିତରେ ଛନକା ପଶିଛି। ଏହି ଚିଠି ସହ ଟିଟିପିଏସ୍ ଚାଲିବା ନେଇ ରହିଥିବା ଶେଷ ଆଶା ବି ଲିଭିଯାଇଛି ବୋଲି କହିଛନ୍ତି କର୍ମଚାରୀ ଏକତା ମଞ୍ଚର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ନାଥ। ଅଗଷ୍ଟ ୨୦ ପରେ ଠିକା କର୍ମଚାରୀ ସବୁ କଣ କରିବେ ସେ ଚିନ୍ତା ଏବେ ସେମାନଙ୍କୁ ଘାରିଛି। ଟିଟିପିଏସ୍ର ପ୍ରସ୍ତାବିତ ନୂତନ ପ୍ଲାଣ୍ଟ କାମ ତୁରନ୍ତ ଆରମ୍ଭ ନ ହେଲେ କର୍ମଚାରୀମାନେ ଜୀବିକା ହରାଇବେ। ଏଥିନେଇ କିଛି ବିକଳ୍ପ ବ୍ୟବସ୍ଥା କରା ନ ଗଲେ କର୍ମଚାରୀମାନେ ବାଧ୍ୟ ହୋଇ ଜୀବନ ହାରିବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ତାଳଚେରରେ ରାଜ୍ୟ ସରକାରଙ୍କ ଦ୍ବାରା ଅବସ୍ଥାପିତ ଏହି ପ୍ରଥମ ତାପଜ ବିଦ୍ୟୁତ କେନ୍ଦ୍ର ୧୯୬୮ ଫେବ୍ରୁଆରି ୭ ତାରିଖରେ ଉଦ୍ଘାଟିତ ହୋଇଥିଲା। ୧୯୬୮-୬୯ ମଧ୍ୟରେ ଏହାର ଅନ୍ୟ ୩ଟି ୟୁନିଟ୍ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରତି ୟୁନିଟ୍ରୁ ୬୦ ମେଗାୱାଟ୍ ଲେଖାଏଁ ବିଜୁଳି ଉତ୍ପାଦିତ ହେଉଥିଲା। ୧୯୮୨ରେ ଏହାର ସମ୍ପ୍ରସାରଣ କରିଥିଲେ ସରକାର। ୧୧୦ ମେଗାୱାଟ୍ ବିଶିଷ୍ଟ ଦୁଇଟି ନୂଆ ୟୁନିଟ୍ ସ୍ଥାପନ କରାଯାଇଥିଲା। ପରେ ଏହି ପ୍ରକଳ୍ପର ପରିଚାଳନା ଦାୟିତ୍ବ ଓଡ଼ିଶା ସରକାର ଏନ୍ଟିପିସିକୁ ହସ୍ତାନ୍ତର କରିଥିଲେ। ଏହା ପରେ ଟିଟିପିଏସ୍ ଭାଗ୍ୟରେ ବଡ଼ଧରଣର ପରିବର୍ତ୍ତନ ଆସିଥିଲା। ଅନେକ ସଫଳତା ସୃଷ୍ଟି କରିବା ସହ ସାରା ଦେଶରେ ଏହି ପ୍ରକଳ୍ପ ଏକ ଉଦାହରଣ ପାଲଟିଥିଲା। ଏଠାରୁ ଉତ୍ପାଦିତ ୪୬୦ ମେଗାୱାଟ ବିଜୁଳି ଓଡ଼ିଶା ହିଁ ବ୍ୟବହାର କରୁଥିଲା। କିନ୍ତୁ ପ୍ରଦୂଷଣ ବୋର୍ଡର ଅନୁମତି ନ ଥିବା ଦର୍ଶାଇ ଗତ ମାର୍ଚ୍ଚ ୩୧ ତାରିଖରୁ ଏହାକୁ ବନ୍ଦ କରିଦିଆଯାଇଛି। ୩ ମାସ ହେଲା ଏଠାରୁ ଉତ୍ପାଦନ ଆଉ ହେଉ ନାହିଁ। ଏହି ପ୍ଲାଣ୍ଟରେ ୨୫୦ ଜଣ ନିୟମିତ କର୍ମଚାରୀ ରହିଥିଲାବେଳେ ୧୪୭୯ ଠିକା କର୍ମଚାରୀ ଥିଲେ। ନିୟମିତ କର୍ମଚାରୀଙ୍କୁ ଅନ୍ୟ ପ୍ଲାଣ୍ଟକୁ ବଦଳି ପ୍ରକ୍ରିୟା ଚାଲିଛି। ତେବେ ପ୍ଲାଣ୍ଟ ବନ୍ଦ ହେବାରୁ ଠିକା ଶ୍ରମିକମାନେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।