କୋରାପୁଟ ଜିଲ୍ଲାରେ ବଢ଼ୁଛନ୍ତି ଯକ୍ଷ୍ମା ରୋଗୀ: ୫ ବର୍ଷରେ ୧୧୮୫୯ ରୋଗୀ ଚିହ୍ନଟ

କୋରାପୁଟ : କୋରାପୁଟ ଜିଲ୍ଲାରେ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରିନି ଯକ୍ଷ୍ମା। ପ୍ରତିବର୍ଷ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୫ବର୍ଷର ତଥ୍ୟକୁ ଆନୁଧ୍ୟାନ କଲେ ଏମିତି ଉଦ୍‌ବେଗଜନକ ଚିତ୍ର ସାମ୍ନାକୁ ଆସୁଛି। ୫ବର୍ଷ ମଧ୍ୟରେ ୧୧୮୫୯ଜଣ ରୋଗୀ ଚିହ୍ନଟ ହୋଇସାରିଲେଣି। ୧୦୭୫୮ଜଣ ରୋଗୀ ନିୟମିତ ଔଷଧ ସେବନ ସହ ନିଜ ସ୍ବାସ୍ଥ୍ୟର ଯତ୍ନ ନେଇଥିବାରୁ ସୁସ୍ଥ ହୋଇଛନ୍ତି। ଔଷଧ ସେବନରେ ଅବହେଳା ତଥା ଅନ୍ୟ କାରଣରୁ ୧୧୦୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଠିକ୍‌ ସମୟରେ ଔଷଧ ନ ମିଳିବାରୁ ଗତ ଦିନରେ ବଡ଼ ସମସ୍ୟା ଉପୁଜିଥିଲା।

କୋରାପୁଟ ଜିଲ୍ଲାରେ ୨୦୧୮ ମସିହାରେ ୧୯୦୯ଜଣ ରୋଗୀ ଚିହ୍ନଟ ହୋଇ ୧୮୪୫ ରୋଗୀ ସୁସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୦୧୯ ମସିହାରେ ୨୩୯୧ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଚିକିତ୍ସା ପରେ ୨୧୩୦ଜଣ ରୋଗୀ ସୁସ୍ଥ ହୋଇଥିଲେ। ୨୦୨୦ ମସିହାରେ ୨୪୯୨ଜଣ ରୋଗୀ ଚିହ୍ନଟ ହୋଇଥିଲେ, ସେଥିରୁ ୨୨୩୯ଜଣ ରୋଗୀ ଔଷଧ ସେବନ କରି ଭଲ ହୋଇଛନ୍ତି। ୨୦୨୧ ମସିହାରେ ମଧ୍ୟ ପୂର୍ବବର୍ଷ ତୁଳନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ବର୍ଷକ ମଧ୍ୟରେ ୨୫୪୧ଜଣ ଚିହ୍ନଟ ହୋଇ ୨୨୭୭ଜଣ ସୁସ୍ଥ ହୋଇଛନ୍ତି। ଗତବର୍ଷ ଅର୍ଥାତ୍‌ ୨୦୨୨ ମସିହା ଡିସେମ୍ବର ମାସ ସୁଦ୍ଧା ୨୫୨୬ଜଣ ରୋଗୀ ଚିହ୍ନଟ ହୋଇ ୨୩୨୭ଜଣ ସୁସ୍ଥ ହୋଇଛନ୍ତି।

Firstpost

ଅସୁସ୍ଥ ରୋଗୀଙ୍କ ମଧ୍ୟରୁ ଗତବର୍ଷ ସର୍ବାଧିକ ୩୭୫ଜଣ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି। ସେହିପରି ପଟାଙ୍ଗିରେ ୧୧୭ଜଣ, ନାରାୟଣପାଟଣାରେ ୧୨୮, ନନ୍ଦପୁରରେ ୧୯୩, ବନ୍ଧୁଗାଁରେ ୧୭୨, ବୈପାରିଗୁଡାରେ ୧୮୨, ବୋରିଗୁମ୍ମାରେ ୨୫୬, କୋରାପୁଟରେ୧୯୮, କୋଟପାଡରେ ୧୫୫, କୁନ୍ଦୁରା‌ରେ ୧୨୩, କୁନ୍ଦିଲିରେ ୧୯୬, ଲମତାପୁଟରେ ୧୨୭ ଓ ଲକ୍ଷ୍ମୀପୁରରେ ୧୫୧ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ଯକ୍ଷ୍ମା ରୋଗୀଙ୍କୁ ଔଷଧ ବିତରଣ ପାଇଁ ଜିଲ୍ଲାରେ ୨୪ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ନମୁନା ପରୀକ୍ଷାକୁ ତ୍ବରାନ୍ବିତ ତଥା ବୃଦ୍ଧି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। ଗୋଟିଏ ସିବିନଟ୍‌ ମେସିନ ଏବଂ ୫ଟି ଟ୍ରୁନଟ୍‌ ମେସିନ ସ୍ଥାପନ କରିବାକୁ ଯୋଜନା ହୋଇଛି।

ଯକ୍ଷ୍ମା ଏକ ସଂକ୍ରାମକ ରୋଗ ଏବଂ ମାଇକୋବ୍ୟାକ୍ଟେରିଅମ୍‌ ଟ୍ୟୁବରକୁଲୋସିସ ନାମକ ଜୀବାଣୁ ଦ୍ୱାରା ହୋଇଥାଏ। ସାଧାରଣତଃ ଏହା ଏକ ଫୁସଫୁସ ଜନିତ ରୋଗ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ଅଙ୍ଗକୁ ଅକାମି କରିପାରେ। ଜୀବାଣୁ ଦ୍ୱାରା ସଂକ୍ରମିତ ହେଉଥିଲେ ମଧ୍ୟ ଅଧିକାଂଶ ଲୋକଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶିତ ହୁଏନି। ତେଣୁ ଏହାକୁ ପ୍ରଚ୍ଛନ୍ନ ଯକ୍ଷ୍ମା କୁହାଯାଏ। ପ୍ରଚ୍ଛନ୍ନ ଯକ୍ଷ୍ମାରୁ ପ୍ରାୟ ୧୦ ପ୍ରତିଶତ ସକ୍ରିୟ ଯକ୍ଷ୍ମା ରୋଗୀ ହୋଇଥାନ୍ତି। ଚିକିତ୍ସାରେ ବିଳମ୍ବ କିମ୍ବା ଅବହେଳା ହେଲେ ମୃତ୍ୟୁର ସମ୍ଭାବନା ଅଧିକ। ଦୀର୍ଘକାଳୀନ କାଶ, ରକ୍ତ ମିଶ୍ରିତ କଫ, ଜ୍ୱର, ରାତ୍ରୀକାଳୀନ ଝାଳ ସହ ଓଜନ ହ୍ରାସ ଆଦି ଯକ୍ଷ୍ମାର ପାରମ୍ପରିକ ଲକ୍ଷଣ। ଛାତି ଏକ୍ସ-ରେ, ଅଣୁବୀକ୍ଷଣ ପରୀକ୍ଷା ଓ ଶରୀରର ତରଳ ପଦାର୍ଥର ସୂକ୍ଷ୍ମ ଜୈବିକ ବିଶ୍ଳେଷଣ କରି ସକ୍ରିୟ ରୋଗ ନିର୍ଣ୍ଣୟ କରାଯାଏ। ମାଣ୍ଟୁକ୍ସ ବା ଟ୍ୟୁବରକୁଲିନ ପରୀକ୍ଷା ଓ ରକ୍ତ ପରୀକ୍ଷା କରି ପ୍ରଚ୍ଛନ୍ନ ଯକ୍ଷ୍ମା ନିର୍ଣ୍ଣୟ କରାଯାଏ। କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସଚେତନତା ଅଭାବ ହେଉ କିମ୍ବା ଅବହେଳା କାରଣରୁ ରୋଗୀ ନିୟମିତ ଔଷଧ ଖାଉ ନାହାନ୍ତି। ଯାହାଫଳରେ ଅକାଳରେ ଜୀବନ ଯାଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର