ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା  କେନାଭେଟା ନିକଟସ୍ଥ  ୧୪୩ ନଂ ଜାତୀୟ ରାଜପଥର ଇନ୍ଦ୍ରପୁର ନିକଟରେ ଆଜି ଭୋର ସମୟରେ ଏକ ଦଶଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଏକ ଦଶଚକିଆ ଟ୍ରକ୍‌ ନମ୍ବର ପାଳବୋଝେଇ ହୋଇ ରାଉରକେଲାରୁ କଟକ ଅଭିମୁଖେ ଯାଉଥିଲା। ୧୪୩ ନମ୍ବର ଜାତୀୟ ରାଜପଥର କେନାଭେଟା ନିକଟରେ ରାସ୍ତା ଖରାପ ଯୋଗୁ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଇଥିଲା। ଗାଡ଼ିଚାଳକ ଗାଡ଼ିରୁ ଡେଇଁ ପଡ଼ିଥିବାବେଳେ ହେଲ୍‌ପରଜଣକ ଗାଡ଼ିତଳେ ଚାପିହୋଇ ରହିଯାଇଥିଲେ। ସ୍ଥାନୀୟଲୋକଙ୍କଠାରୁ ଖବରପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହେଲ୍‌ପରଙ୍କୁ ଉଦ୍ଧାରକରି ବଣାଇ ଡାକ୍ତରଖାନାକୁ ଆଣିଥିଲେ। ୧୪୩ ନମ୍ବର ଜାତୀୟ ରାଜପଥ ନିର୍ମାଣ କରୁଥିବା ସଂସ୍ଥାର ମନ୍ଥର ଓ ଖାମଖିଆଲି କାର୍ଯ୍ୟ ଯୋଗୁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ବାବୁନୂଆଗାଁ ନିକଟରେ ମଧ୍ୟ ଡାଇଭର୍ସନ୍‌ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ଅଳ୍ପଦିନ ପୂର୍ବରୁ ସେଠାରେ ଦୁର୍ଘଟଣା ଘଟି ଜଣେ ବାଇକ୍ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ହେଲ୍‌ପରକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟଲୋକେ ଠିକାସଂସ୍ଥାର ସହାୟତା ଲୋଡ଼ିଥିଲେ ମଧ୍ୟ କମ୍ପାନି ଅଣଦେଖା କରିଥିଲା। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା ଓ ଲୋକେ ଜାତୀୟ ରାଜପଥ ଅବରୋଧ କରିବାକୁ ଚେଷ୍ଟା କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତକରି ଘଟଣାର ତଦନ୍ତ କରୁଛି।