ଭୁବନେଶ୍ବର : ରେଗୁଲାର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନ କରାଇ ପାସ୍ କରିଦେଲ। ଆମ ବେଳକୁ କାହିଁକି ପାନ୍ତରଅନ୍ତର କରୁଛ? ଆମକୁ ବି ବିନା ପରୀକ୍ଷାରେ ମାଟ୍ରିକ୍ ମାର୍କ ଆଧାରରେ ଯୁକ୍ତ୨ ପାସ୍ କରାଅ। ନ ହେଲେ ଆତ୍ମହତ୍ୟା କରିବି। ଏମିତି କହି ସୋମବାର ଦିନ ଜଣେ ଏକ୍ସ-ରେଗୁଲାର ଛାତ୍ରୀ କାଉନସିଲ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ନିଜ ହାତ କାଟି ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଉକ୍ତ ଛାତ୍ରୀ ଜଣକ ହାତ କାଟି ପରିଷଦ କର୍ତୃପକ୍ଷଙ୍କ ଉପରେ ଚାପ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି। ମାତ୍ର ଉପସ୍ଥିତ ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ ଏବଂ ପରେ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପରିଷଦ ଘେରାଉ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଉଛି ଯେ ଯୁକ୍ତ୨ ପରୀକ୍ଷା ଫଳରେ ପାତରଅନ୍ତର ହୋଇଛି। ଯୁକ୍ତ୨ ଏକ୍ସ-ରେଗୁଲାର ଓ ଅଧାରୁ ପାଠ ଛାଡ଼ିଥିବା ତଥା ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନରେ ପକ୍ଷପାତିତା କରାଯାଇଛି। ପରିଷଦ କର୍ତୃପକ୍ଷଙ୍କ ଅପାରଗତା ପାଇଁ ଏଭଳି ସମସ୍ୟା ହୋଇଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏଥିସହ ଦଶମ ଶ୍ରେଣୀ ମାର୍କ ଆଧାରରେ ମୂଲ୍ୟାୟନ କରାଯାଉ। ପରୀକ୍ଷା ଦେବା ପାଇଁ ଆମ ପାଖରେ ଶକ୍ତି ନାହିଁ। ତେଣୁ ଯେକୌଣସି ପ୍ରକାରେ ଆମକୁ ପାସ୍ କରାଅ। ନ ହେଲେ ପରିଷଦ ଆଗରୁ ହଟିବୁ ନାହିଁ। ନ ହେଲେ ଅଫ୍ଲାଇନ୍ରେ ହେବାକୁ ଥିବା ପରୀକ୍ଷାକୁ ଆହୁରି ୧୫ ଦିନ ଘୁଞ୍ଚାଯାଉ। ପରୀକ୍ଷା ମଧ୍ୟରେ ୫ ଦିନ ବ୍ୟବଧାନ ଓ ୩ଟି ବିଷୟରେ ପରୀକ୍ଷା କରିବା ଭଳି ବିଭିନ୍ନ ଦାବି କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରାୟ ଦେଢ଼ ଘଣ୍ଟା ଧରି ବସିଥିଲେ ମଧ୍ୟ ଧାରଣା ସ୍ଥଳକୁ ପରିଷଦର କୌଣସି ଅଧିକାରୀ ଆସି ନ ଥିଲେ। ଏତିକିବେଳେ ଗଞ୍ଜାମ ଜିଲ୍ଲାର ଏହି ଛାତ୍ରୀ ଜଣକ ବ୍ଲେଡ୍ରେ ନିଜ ହାତକୁ କାଟିବା ପରେ ପୁଲିସ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଧାରଣାସ୍ଥଳରୁ ହଟାଇଥିଲା।