ଅଫିସରଙ୍କ ଉପରେ ବର୍ଷିଲେ ଟୁଡୁ ଓ ଜୟ; ବିଜେଡି‌ରେ କେହି ହେଭିୱେଟ ନାହାନ୍ତି, ସମେସ୍ତ ଏନ୍‌ଏମ୍‌ଆର୍‌ : ଜୟ ନାରାୟଣ

ସମ୍ବଲପୁର : ବିଜେଡି‌ରେ କେହି ରଥୀ ମହାରଥୀ କି ହେଭିୱେଟ ନେତା ନାହାନ୍ତି। ବିଜେଡିରେ ସମସ୍ତେ ଏନ୍‌ଏମ୍ଆର୍‌ କର୍ମଚାରୀ ଭଳି ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର। ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ରାଜ୍ୟ ସଂଗଠନ ସଂପାଦକ ବବି ଦାସ ବାରଂବାର ସମ୍ବଲପୁର ଜିଲ୍ଲା ଗସ୍ତ କରିବା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭଳି ହେଭିୱେଟ ନେତା ସମ୍ବଲପୁରରେ ବିଜେଡିର ମଂଗ ଧରିଥିବା ବେଳେ ବିଜେପି ଏଥର ପୂର୍ବ ସଫଳତା ଦୋହରାଇପାରବ କି ବୋଲି ପ୍ରଶ୍ନ ହେବାରୁ ବିଧାୟକ ଶ୍ରୀ ମିଶ୍ର ଶନିବାର ଦିନ ହୋଟେଲ ହର୍‌ଜିତ ‌ରେସିଡେନ୍‌ସିରେ ଏହା କହିଛନ୍ତି। ବିଧାୟକ ଶ୍ରୀ ମିଶ୍ର ଆହୁରି କରିଛନ୍ତି, ବିଜେଡି ଏବ‌େ ଅଫିସର, କର୍ମଚାରୀଙ୍କ ଦଳରେ ପରିଣତ ହୋଇଯାଇଛି। ଏବେ ତ ଜଣେ ଆଇପିଏସ୍‌ ଅଫିସର ବିଜେଡି ପାଇଁ ସମ୍ବଲପୁର ଜିଲ୍ଲାର ନିର୍ବାଚନ ପରିଚାଳନା ତୁଳାଉଛନ୍ତି ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ସେ ଜିଲ୍ଲାର ଯେଉଁ ଅଂଚଳକୁ ଯାଉଛନ୍ତି, ବିଜେପି ପ୍ରତି ଲୋକମାନଙ୍କ ବ୍ୟାପକ ସମର୍ଥନ ରହିଥିବା ଦେଖିବାକୁ ପାଉଛନ୍ତି। ବିଜେପି ନିଶ୍ଚିତ ଭାବେ ଏହି ନିର୍ବାଚନରେ ଦୁଇତୃତୀୟାଂଶ ଆସନ ଜିତି ପୂର୍ବଭଳି ସମ୍ବଲପୁର ଜିଲ୍ଲା ପରିଷଦ ଅକ୍ତିଆର କରିବ ବୋଲି ସେ ସେ କହିଛନ୍ତି।

କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି, ଅଫିସର ହେଉଛନ୍ତି ବିଜେଡିର ନେତା ଏବଂ କର୍ମଚାରୀମାନେ ହେଉଛନ୍ତି କର୍ମୀ ଭଳି। ନିର୍ବାଚନରେ ବିଜେଡିକୁ ଜିତାଇବା ପାଇଁ କାମ କରୁଛନ୍ତି। କିନ୍ତୁ, ବିଜେପି ସହିତ ଜନ ସମର୍ଥନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଲୋକେ ଉପକୃତ ହୋଇପାରୁଛନ୍ତି। ଯୋଗୁ ଘରକୁ ଘର ପାନୀୟ ଜଳଯୋଗାଣ କରାଯିବା ଅନେକ କଲ୍ୟାଣକାରୀ ଯୋଜନା ରହିଛି। କେନ୍ଦ୍ର ସରକାର ଯେଉଁ ଟଙ୍କା ଦେଉଛନ୍ତି, ଓଡ଼ିଶାର ଅନ୍ୟ ନାମରେ ବ୍ରାଣ୍ଡିଂ କରାଯାଉଛି। ଟଙ୍କା ଖର୍ଚ୍ଚ ହୋଇପାରୁନାହିଁ। ଅଫିସରମାନେ ଦୁର୍ନୀତିରେ ବୁଡ଼ି ରହୁଛନ୍ତି। ବ୍ୟୁରୋକ୍ରାଟ୍‌ସଙ୍କ ଓଡ଼ିଶାରେ ରାଜୁତି ଚାଲୁଛି। ଅଫିସରମାନେ କାମ କରିବା କଥା, ସେମାନେ କାମ କରୁନାହାନ୍ତି। ଆମେ ତାଗିଦ୍ କଲେ ମାଡ଼ ମାରିବା ଭଳି ମିଥ୍ୟା ଅଭିଯୋଗ ଆଣୁଛନ୍ତି। କାମ ନହେଲେ ଆମେ ତ ନିଶ୍ଚିତ ଭାବେ ତାଗିଦ୍ କରିବୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି।

କେନ୍ଦ୍ର ସରକାର ଆବାସ ଯୋଜନାରେ ଗରିବ ଲୋକଙ୍କ ପାଇଁ ୮ ଲକ୍ଷ ଘର ଯୋଗାଇ ଦେଇଥିଲେ। ତଥାପି, ଏବେ ବହୁ ଯୋଗ୍ୟ ହିତାଧିକାରୀ ଆବାସରୁ ବଂଚିତ ହୋଇଥିବା ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତି ଏସବୁ ଘର ଗଲା କୁଆଡ଼େ ? ନିଶ୍ଚିତ ଭାବେ ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକଙ୍କୁ ବେନିୟମ ଭାବେ ଯୋଗାଇ ଦିଆଯାଇଛି। ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି। ଏହି ଅବସରରେ ସେ ଚଳିତ କେନ୍ଦ୍ର ବଜେଟ୍‌ ସଂପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନ, ନଦୀ ସଂଯୋଗୀକରଣ, ଆଦିବାସୀମାନଙ୍କ ଉନ୍ନତି ନିମନ୍ତେ ବଜେଟରେ ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି କହିବା ସହିତ ସେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବି ବିସ୍ତୃତ ତଥ୍ୟ ଦେଇଥିଲେ।

ରେଂଗାଲି ବିଧାୟକ ନାଉରୀ ନାୟକ, ବିଜେପି ରାଜ୍ୟ ସଂପାଦକ ସୀମାଂଚଳ ଖଟେଇ, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ବରିଷ୍ଠ ନେ‌ତା ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମ‌େହେର, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ତଥା ପ୍ରବକ୍ତା ମାନସ ରଂଜନ ବକ୍ସି, ଫଣିଭୂଷଣ ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଗତକାଲି ରାତିରେ ବାରିପଦାରୁ ଏକ ଘରୋଇ ବସ୍‌ ଯୋଗେ ସମ୍ବଲପୁର ଆସିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ। ଆଜି ସେ ସକାଳେ ସମ୍ବଲପୁର ପହଂଚିଥିବା ବେଳେ ଦିନସାରା ଦଳୀୟ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀଙ୍କ ପାଇଁ ମାରଥାନ ପ୍ରଚାର କରିଥିଲେ।

କେନ୍ଦ୍ରମନ୍ତ୍ରୀ ମିଛ କହୁଛନ୍ତି: ବିଜେଡି
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ ଆଜି ତାଙ୍କର ବିବୃତ୍ତି ଜରିଆରେ ଯେଭଳି ମିଥ୍ୟା ତଥ୍ୟ ରଖିଛନ୍ତି ତାହା ଡାହା ମିଛ ବୋଲି ବିଜେଡି ନେତା ଦେବାଶିଷ ମାରାଣ୍ଡି କହିଛନ୍ତି। ଶ୍ରୀ ମାରାଣ୍ଡି ଆଜି ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଯଦି ଉକ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଆହତ କରିନଥିଲେ ତେବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେ କରିଥିବା କାର୍ଯ୍ୟ ପାଇଁ ଜାମିନ କାହିଁକି ପାଇଛନ୍ତି? କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ସରକାରୀ କର୍ମଚାରୀ ନିଜ ହାତକୁ ନିଜେ ଭାଙ୍ଗିଛନ୍ତି। ଯାହା ରାଜନୈତିକ ଏବଂ ନୈତିକତା ଦୃଷ୍ଟିରୁ ଅତ୍ୟନ୍ତ ନିମ୍ନ ସ୍ତରର କଥା ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି ।

ସମ୍ବନ୍ଧିତ ଖବର