ତୁଝେ ସଲାମ୍‌: ୧୯୭୧ ଯୁଦ୍ଧର ବୀର ଯବାନଙ୍କୁ ମନେପକାଇଲା ଦେଶ

୧୯୭୧, ଭାରତ-ପାକ୍‌ ଯୁଦ୍ଧ। ସେହି ଐତିହାସିକ ଯୁଦ୍ଧ ଥିଲା ଯେତିକି ଲୋମହର୍ଷକ, ସେତିକି ଗୌରବବର୍ଦ୍ଧକ ଥିଲା ଦେଶ ପାଇଁ। ଯୁଦ୍ଧରେ ଦେଶର ଜଳ, ସ୍ଥଳ ଓ ବାୟୁ ସେନା ସାମିଲ ହୋଇଥିଲେ। ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ବାଙ୍ଗଲାଦେଶ ଗଠନ ହୋଇଥିଲା। ପାକିସ୍ତାନର ୯୩ ହଜାର ସୈନିକଙ୍କୁ ଭାରତ ଯୁଦ୍ଧ ବନ୍ଦୀ କରିଥିଲା। ପାକିସ୍ତାନ କେବଳ ଲଜ୍ଜାଜନକ ପରାଜୟବରଣ କରି ନଥିଲା, ଯୁଦ୍ଧରେ ପରାଜୟ ସ୍ବୀକାର କରି ଭାରତ ନିକଟରେ ଲିଖିତ ଆତ୍ମସମର୍ପଣ ‘ଇନଷ୍ଟ୍ରୁମେଣ୍ଟାଲ ସରେଣ୍ଡର୍’ କରିଥିଲା। ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱରେ ବି କେବେ ଏତେ ବଡ଼ ‘ଇନଷ୍ଟ୍ରୁମେଣ୍ଟାଲ ସରେଣ୍ଡର୍’ ହୋଇନାହିଁ। ୧୯୭୧ ଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରୁଛି ଦେଶ। କିନ୍ତୁ ସେହି ଐତିହାସିକ ଯୁଦ୍ଧରେ ଦେଶ ପାଇଁ ଲଢ଼ି ଦେଶବାସୀଙ୍କୁ ବିଜୟ ଭେଟି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଇବା ଏବଂ ଯୁଦ୍ଧ ଲଢିଥିବା କିଛି ଓଡ଼ିଆ ବୀର ଯବାନଙ୍କ ସ୍ମୃତିଅନୁଭୂତିକୁ ପାଠକ ମାନଙ୍କ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ‘ସମ୍ବାଦ’ର ଏହି ସ୍ୱତନ୍ତ୍ର ପ୍ରୟାସ…. ‘ତୁଝେ ସଲାମ୍’

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ନାୟକ ଏସ୍‌.ଏଚ୍‌.ଶର୍ମା

୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ନାୟକ ହେଉଛନ୍ତି ଭାଇସ୍‌-ଆଡମିରାଲ ଏସ୍‌ଏଚ୍‌ ଶର୍ମା। ୯୯ ବର୍ଷୀୟ ତତ୍‌କାଳୀନ ନୌସେନା ଅଧିକାରୀ ‘ପରମ ବିଶିଷ୍ଟ ସେବା ପଦକ’ ଲାଭ କରିଥିଲେ। ଏହି ବିଜୟର ସ୍ମାରକୀ ‘ସ୍ବର୍ଣ୍ଣିମ ବିଜୟ ମଶାଲ’କୁ ଗୁରୁବାର ଦିନ ତାଙ୍କ ବାସଭବନକୁ ଅଣାଯିବା ସହ ଶ୍ରୀ ଶର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ବିରୋଧରେ ଭାରତ ବିଜୟର ୫୦ ତମ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

 

ସାରାରାତି ଗୋଳାବାରୁଦରେ ଦୀପାବଳି ପାଳିଥିଲୁ
୧୯୬୫ ମସିହାରେ ମୁଁ ଏନ୍‌ଡିଏ (ନାସନାଲ ଡିଫେନ୍ସ ଏକାଡେମି)ରେ ଯୋଗଦେଲା ବେଳେ ଦ୍ବିତୀୟ ଭାରତ-ପାକ୍ ଯୁଦ୍ଧ ଚାଲିଥିଲା। ଯୁଦ୍ଧ ୧୯୬୫ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିଲା। ମୁଁ ଜୁନ ମାସରେ ଏନ୍‌ଡିଏରେ ଯୋଗ ଦେଇଥିଲି। ଏନ୍‌ଡିଏରୁ ତାଲିମ ଶେଷକରି ୧୯୬୮ ଜୁନ୍‌ରେ ଆଇଏମ୍‌ଏ (ଇଣ୍ଡିଆନ୍ ମିଲିଟାରି ଏକାଡେମି)ରେ ଗୋଟିଏ ବର୍ଷ ତାଲିମ ନେଇ କମିସନ୍ ପାଇଲି ଏବଂ ୧୯୬୯ ଜୁନ୍‌ରେ ଡୋଗ୍ରା ରେଜିମେଣ୍ଟ୍‌ର ୧୫ ଡୋଗ୍ରାରେ ସବୁଠୁ ଜୁନିଅର ଅଫିସର ଭାବେ ଯୋଗଦେଲି। ସେତେବେଳେ ୧୫ ଡୋଗ୍ରା ରେଜିମେଣ୍ଟ୍ ଏନ୍ଇଏଫ୍ଏ(ନର୍ଥ ଇଷ୍ଟ ଫ୍ରଣ୍ଟିଅର ଏଜେନ୍ସି) ଅରୁଣାଚଳ ପ୍ରଦେଶର ‘ସେଲା – ବମ୍‌ଡିଲା’ ଅଞ୍ଚଳରେ ମୁତୟନ ‌ଥାଏ। ୧୯୬୨ରେ ଚୀନ ସେନା ଅକ୍ତିଆର କରିଥିବା ଜାଗାରୁ ହଟିବା ପରେ ଆମେ ସେଇଠି ଡ୍ୟୁଟି କରୁଥାଉ। ଆମର ପୋଷ୍ଟିଂ ହୋଇଥିଲା ୫ ମାଉଣ୍ଟେନ୍ ଡିଭ୍ ଅଧୀନ ୧୧ ମାଉଣ୍ଟେନ୍ ବ୍ରିଗେଡ୍‌ର ‘ହାଇ ଆଲଟିଚ୍ୟୁଡ୍’ ଅଂଚଳରେ।

୧୯୭୧ ମସିହା ଆରମ୍ଭରୁ ଦେଶରେ ଯୁଦ୍ଧ ବାତାବରଣ ସ୍ପଷ୍ଟ ବାରି ହେଉଥିଲା। ସେହି ବର୍ଷ ମେ’ ମାସରେ ୩୫ ବ୍ରିଗେଡ୍‌ର ୧୪ ଇନଫେଣ୍ଟରି ଡିଭ୍‌ରେ ଆମକୁ ମିରଟ କ୍ୟାଣ୍ଟ୍‌କୁ ଅଣାଗଲା। ମାତ୍ର ୪ ମାସ ଭିତରେ ସେପ୍ଟେମ୍ବର ମାସ ଶେଷବେଳକୁ ଆମ ବାଟାଲିଅନ୍ ପଞ୍ଜାବର ଫିରୋଜପୁରକୁ ଯିବାକୁ ନିର୍ଦ୍ଦେଶ ପାଇଲା। ‘ହ୍ଵାଇଟ ହଟ୍ ପ୍ରାୟୋରିଟି’ (ବର୍ତ୍ତମାନର ଗ୍ରିନ କରିଡୋର ସହ ସମାନ)ରେ ଆମ ବାଟାଲିଅନକୁ ଯିବାକୁ ଦିଆଯାଇଥିଲା। କୌଣସି ନିର୍ଦିଷ୍ଟ ଅଞ୍ଚଳର ଦାୟିତ୍ବ ଦିଆଯାଇ ନଥିଲେ ହେଁ ଆମକୁ ‘ଅଫେନସିଭ୍ ଟାସ୍କ’ (ଆକ୍ରମଣ ଓ ଦଖଲ) ଦାୟିତ୍ବ ମିଳିଥିଲା। ସତଲେଜ ନଦୀ ପାଖରେ ପହଞ୍ଚି ଆମେ କ୍ୟାମ୍ପ ଲଗାଇଲୁ। ପ୍ରାୟ ୧ ହଜାର ମିଟର ଓସାରର ସତଲେଜ୍ ନଦୀ ଆରପଟେ ସହିଦ୍ ଭଗତ ସିଂଙ୍କ ସମାଧି ଥିଲା। ୧୫ ପଞ୍ଜାବ ବାଟାଲିଅନ୍‌ ସେପଟେ ‘ଡିଫେନ୍ସ ପୋଜିସନ୍’ରେ ଥିଲା। ହେଲେ ପାକିସ୍ତାନର ଗୋଟିଏ ପୂରା ବ୍ରିଗେଡ୍ ସେପଟେ ରହିଥିଲା। ନଦୀ ଏପଟକୁ ଆସିବା-ଯିବା ପାଇଁ କେବଳ ହୁସେନିୱାଲା ବ୍ରିଜ ହିଁ ଏକମାତ୍ର ମାଧ୍ୟମ ଥିଲା।


୩ ଡିସେମ୍ବରରେ ପାକିସ୍ତାନ ପ୍ରଥମେ ବୋମାମାଡ଼ କରି ଯୁଦ୍ଧ ଆରମ୍ଭ କରି ଦେଲା। ଆମ କମାଣ୍ଡିଂ ଅଫିସର ଥାଆନ୍ତି ଲେଫ୍ଟନାଣ୍ଟ କର୍ନେଲ କେ.ସି. ତିୱାରି। ୧୨ଜଣ ଅଫିସର, ୨୯ଜଣ ଜେସିଓଙ୍କ ସମେତ ଆମେ ମୋଟ ୭୫୦ଜଣ ସୈନିକ ଥିଲୁ। ଯୁଦ୍ଧ ବାଂଲାଦେଶ ସ୍ୱାଧୀନତା ପାଇଁ ହେଉଥିବାରୁ ପୂର୍ବ ସୀମାରେ ବାଂଲାଦେଶ ପଟେ ଆମର ଅଧିକ ସୈନିକ ନିୟୋଜିତ ଥିଲେ। ହେଲେ ପଶ୍ଚିମ ସୀମାରେ ଆମ ପାଖରେ ତୁଳନାତ୍ମକ ଭାବେ କମ୍‌ ସଂଖ୍ୟକ ସୈନିକ ଥା’ନ୍ତି। ଡିସେମ୍ବର ୩/୪ରୁ ପାକିସ୍ତାନ ସତଲେଜ ନଦୀ ଆରପଟେ ଥିବା ପଞ୍ଜାବ ରେଜିମେଣ୍ଟ ଶିବିରଗୁଡ଼ିକ ଉପରେ ଲଗାତାର ଆକ୍ରମଣ କଲା। ପାକିସ୍ତାନର ଟ୍ୟାଙ୍କ୍ ଓ ଅନ୍ୟ ଯୁଦ୍ଧ ସରଞ୍ଜାମ ଯେପରି ଆମ ପଟକୁ ନ ଆସିବ, ସେଥିପାଇଁ ହୁସେନିୱାଲା ବ୍ରିଜ୍‌କୁ ଆମେ ଉଡ଼ାଇ ଦେଲୁ।

ଡିସେମ୍ବର ୭/୮ ତାରିଖ ରାତିରେ ଆମ ବାଟାଲିଅନ୍‌ ପାକିସ୍ତାନର ଦୁଇଟି ପୋଷ୍ଟ୍‌ ଅନୁକେ ଏବଂ ନିଉକସୋକେ ଉପରେ ଆକ୍ରମଣ କରି ତାହାକୁ କବ୍‌ଜା କଲା। ତା’ର ଠିକ୍ ଦିନକ ପରେ, ଡିସେମ୍ବର ୯/୧୦ ରାତିରେ ଆମେ ରଙ୍ଗେୱାଲା, ଅମୃତୱାଲି ଓ ଜଲୋକେଧୂଆଁ ଭଳି ୩ଟି ପୋଷ୍ଟ୍ ଛଡାଇ ଆଣିଲୁ। ହେଲେ ସେହି ଦୁଇ ଦିନ ଯୁଦ୍ଧରେ ଆମର ୨୬ ଜଣ ଯବାନ ଓ ୨ ଜଣ ଅଫିସର ସହିଦ୍ ହେଇଗଲେ। ସହିଦ୍ ହୋଇଥିବା ଦୁଇ ଜଣ ମେଜର ଆର୍‌.ଆର୍‌. ଯାଦବ ଓ ମେଜର ୟଶ୍ ସେହଗଲ୍‌ ଆମର ଦୁଇଟି କମ୍ପାନିର କମାଣ୍ଡର୍ ଥିଲେ। ସେମାନଙ୍କ ଭିତରୁ ୟଶ୍ ସେହଗଲ୍‌ ପାକିସ୍ତାନର ଜଣେ ସୈନିକଙ୍କ ‘ଗନ୍ ବ୍ୟାରେଲ୍’କୁ ଧରି ଅଟକାଇବା ବେଳେ ସହିଦ୍ ହୋଇଥିଲେ। ଦୁଇଜଣ କମ୍ପାନି କମାଣ୍ଡର୍ ସହିଦ ହେବାରୁ ଆମ କମାଣ୍ଡିଂ ଅଫିସର ନିଜେ ଗୋଟିଏ କମ୍ପାନି ଓ ଅନ୍ୟଟିକୁ ଆମ ଟୁ-ଆଇସି କମାଣ୍ଡ୍ କରିବାକୁ ନିର୍ଦେଶ ଦେଲେ। ଅବସ୍ଥା ଏମିତି ଥିଲା ଯେ, ସହିଦମାନଙ୍କ ଶବ ପାଖକୁ ବି ଆମେ ଯାଇ ପାରି ନଥିଲୁ। ପାକିସ୍ତାନ ପଟୁ ସାରା ଅଞ୍ଚଳରେ କେମିକାଲ୍ ଫାୟାରିଂ (ହ୍ଵାଇଟ୍ ଫସଫରସ୍ ଇନ୍ସେଣ୍ଡାରି ମ୍ୟୁନିସନ୍ସ) କରାଯାଇଥିବାରୁ ସେ ଅଞ୍ଚଳରେ ଥିବା ଘାସ ଉପରେ ଯେ କୌଣସି ‘ଫାୟାର ଆମ୍ୟୁନେସନ’ ପଡ଼ିଲେ ହୁହୁ ହେଇ ଜଳିବାର ଭୟ ଥିଲା। ରାତିରେ ଯେ କୌଣସି ସମୟରେ ଆମ ଉପରେ ବି ଆକ୍ରମଣ ହେବାର ଭୟ ଥିଲା। କମାଣ୍ଡିଂ ଅଫିସର ୧୯୬୫ ଯୁଦ୍ଧ ଲଢ଼ିଥିବାରୁ ସେହି ଅନୁଭୂତିକୁ ଉପଯୋଗ କରି ସେ ଆମ ପାଇଁ ରାତିରେ ସୁରକ୍ଷା ଗଡ଼ ତିଆରି କରିଥିଲେ। ରାତିସାରା ସେଲିଂ ଫାୟାର୍ ହେଇଥିଲେ ବି ଆମେ ତା’ ଭିତରେ ବେଶ ସୁରକ୍ଷିତ ଥିଲୁ।

ଡିସେମ୍ବର ୧୪ରେ ବି ଦିନରାତି ତୋପ ବର୍ଷା ଜାରି ରହିଲା। ଆମେ ସେତେବେଳକୁ ପ୍ରାୟ ସବୁ ପୋଷ୍ଟ୍ ଦଖଲ କରି ସାରିଲୁଣି। ୧୫ ତାରିଖ ସନ୍ଧ୍ୟାରେ ପାକିସ୍ତାନ ହାରିବା ସ୍ପଷ୍ଟ ହୋଇଯାଇଥିଲା ଓ ୧୬ରେ ଲିଖିତ ଆତ୍ମସମର୍ପଣର ଯୋଜନା କରାଯାଇ ଡିସେମ୍ବର ୧୫ ସନ୍ଧ୍ୟାରେ ଯୁଦ୍ଧବିରାମ ଘୋଷଣା କରାଗଲା। ସନ୍ଧ୍ୟାରେ ଆମ କମାଣ୍ଡିଂ ଅଫିସର୍ ଲେଫଟନାଣ୍ଟ କର୍ଣ୍ଣେଲ ତିୱାରି ସମସ୍ତଙ୍କୁ ଡାକି ଯେତେ ସମ୍ଭବ ଗୋଳାବାରୁଦ ପାକିସ୍ତାନ ଉପରକୁ ମାରି ଶେଷ କରିଦେବାକୁ କହିଲେ। ଆମ ଭିତରୁ ଜଣେ ପଚାରିଥିଲେ, ‘ସାର, ଯୁଦ୍ଧ ସରିଲାଣି, ସେମାନଙ୍କୁ ମାରିବା କ’ଣ ଠିକ୍‌ ହେବ?’ ଲେଫ୍ଟନାଣ୍ଟ କର୍ଣ୍ଣେଲ ତିୱାରି ତୁରନ୍ତ ଉତ୍ତର ଦେଇଥିଲେ.. ‘ଲେଟ୍ ଦେମ୍ ଡାଏ, ହୁ କେୟାର୍ସ।’ ସେ ରାତିସାରା ଆମେ ଗୋଳାବାରୁଦରେ ଦୀପାବଳି ପାଳିଥିଲୁ। ଆଉ ୧୯୭୧, ଡିସେମ୍ବର ୧୬ ତାରିଖରେ ଯାହା ଘଟିଲା ତାହା ତ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଗଲା।

ସମ୍ବନ୍ଧିତ ଖବର