ବ୍ରହ୍ମପୁର/ବାଲିଗୁଡ଼ା : ୧୮ ଦିନ ଧରି ନାକେଦମ୍ କଲା। କୁଆଡ଼େ ଯାଇ ନଥିଲା, କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଜଙ୍ଗଲରେ ଗଛରେ ମଞ୍ଚା ବାନ୍ଧି ଲୁଚି ସମସ୍ତଙ୍କୁ ଭୁଆଁ ବୁଲାଇଲା। ପୁଲିସ ସାରା ଜିଲ୍ଲା, ବାହାର ଜିଲ୍ଲା ସମେତ ରାଜ୍ୟ ବାହାରେ ଚଢ଼ଉ, ତନାଘନା କରି ହାଲିଆ ହେଲା, ସୁରାକ୍ ପାଉ ନଥିଲା। ଶେଷରେ ଧରାପଡ଼ିଛି ବାଲିଗୁଡ଼ା ଜେଲ୍ରୁ ଚମ୍ପଟ ମାରିଥିବା ବିଚାରାଧୀନ ବନ୍ଦୀ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ଟୁକୁନା ମାଳି। ଶୁକ୍ରବାର ସକାଳୁ ସକାଳୁ ଟୁକୁନାକୁ ବ୍ରାହ୍ମଣୀଗାଁ ଜଙ୍ଗଲରୁ ବାଲିଗୁଡ଼ା ପୁଲିସ ଗିରଫ କରିଛି।
ବାଲିଗୁଡ଼ା ଥାନାଧିକାରୀଙ୍କ ନେତୃତ୍ବରେ ପ୍ରାୟ ୩୦ ଜଣିଆ ପୁଲିସ ଟିମ୍ ମିଳିତ ଭାବେ କୁମ୍ଭାରୀଗାଁ ନିକଟ କେଲରୀଗାଁ ଜଙ୍ଗଲରେ ଏକ ଗଛରେ ମଞ୍ଚା ବାନ୍ଧି ଶୋଇଥିବା ଅବସ୍ଥାରେ ଟୁକୁନାକୁ କାବୁ କରିଥିଲେ। ଗିରଫ ପରେ ଟୁକୁନାକୁ କୋର୍ଟ ଚାଲାଣ କରାଯାଇଛି। ପଚରାଉଚରା ବେଳେ ଟୁକୁନା ଜେଲ୍ରେ କର୍ତ୍ତୃପକ୍ଷଙ୍କ ଗେହ୍ଲାପୁଅ ଥିବା ସତ ବୋଲି କହିଛି। ଜେଲ୍ର ଢିଲା ସୁରକ୍ଷା ନେଇ ସାଂଘାତିକ ସତ ଖୋଲିଛି। ସେ କହିଛି ଯେ, ନିଜ ଆଚରଣରେ ପରିବର୍ତ୍ତନର ମିଛ ଆଳ ଦେଖାଇ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟତର ହୋଇଥିଲା। ଏହାର ସୁଯୋଗରେ ସେ ଜେଲ୍ରୁ ପଦାକୁ ପଳାଇବାରେ ସକ୍ଷମ ହୋଇଥିବା ପୁଲିସ ଆଗରେ ସ୍ବୀକାର କରିଛି।
ତେବେ କଡ଼ା ସୁରକ୍ଷା ଭେଦି କିପରି ସେ ଜେଲ୍ରୁ ଖସିବାରେ ସକ୍ଷମ ହେଲା, ସେ ନେଇ ଅଧିକ ପଚରାଉଚରା କରିବ ପୁଲିସ। ଏଥିପାଇଁ ଟୁକୁନାକୁ ରିମାଣ୍ଡ୍ରେ ଅଣାଯିବ ବୋଲି ଥାନାଧିକାରୀ ବାବାଶଙ୍କର ସରାଫ କହିଛନ୍ତି। ସୂଚନା ମୁତାବକ, ଘଟଣା ଦିନ ସେ ଷ୍ଟୋରରୁମ୍ର ଝରକା କାଟିଥିଲା। ପରେ ମୁଖ୍ୟ ଫାଟକ ଦେଇ ହିଁ ଫେରାର ହୋଇଥିଲା।