କେନ୍ଦ୍ରାପଡ଼ା: ଲମ୍ବା କସରତ ପରେ ଶେଷରେ ବଡ଼ଦେଉଳରେ ଲାଗିଛି ତୁଳସୀକ୍ଷେତ୍ରାଧିପତି ପ୍ରଭୁ ବଳଦେବଜିଉଙ୍କ ବ୍ରହ୍ମ ତାଳଧ୍ବଳ ରଥ। ଗତକାଲି ଜନ୍ମବେଦୀରୁ ଓହ୍ଲାଇ ଶ୍ରୀଜିଉ ରଥାରୂଢ଼ ହୋଇ ରତ୍ନବେଦୀ ଅଭିମୁଖେ ବାହାରିଥିଲେ। ରାତି ପ୍ରାୟ ୯ଟା ସୁଦ୍ଧା ଶ୍ରୀଜିଉ ରଥରେ ବିଜେ କରିବା ପରେ ବଡ଼ସି˚ହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସମସ୍ତଙ୍କ ଅପେକ୍ଷା ଥିଲା ଆଜିକୁ। ଧାର୍ଯ୍ୟ ସମୟ ପୂର୍ବରୁ ଆଜି ରଥ ଟଣା ଆରମ୍ଭ ହୋଇଥିଲା। ପ୍ରାୟ ୧ଟା ୨୦ରୁ ରଥ ଟଣା ଯାଇଥିଲା। କିନ୍ତୁ ଶହେ ମିଟର୍ ଅତିକ୍ରମ କରିବା ପରେ ରଥ ବାମ ମୋଡ଼ ନେଇ ଗୋପାଳ ସାହି ନିକଟ ଚନ୍ଦନପୋଖରୀ ପୂର୍ବରୁ ଟ୍ରାକ୍ ବାହାରକୁ ଚାଲି ଯାଇଥିଲା। ରଥକୁ ଟ୍ରାକ୍କୁ ଫେରାଇ ଆଣିବା ପାଇଁ ପୁଣିଥରେ ରେଲବାଇ କର୍ମଚାରୀଙ୍କ ସହଯୋଗ ଲୋଡ଼ା ଯାଇଥିଲା। ପୁଲିସ୍ ପ୍ରଶାସନକୁ ଏଥିପାଇଁ ନାକେଦମ୍ ହେବାକୁ ପଡ଼ିଥିଲା।
ରେଳବାଇ କର୍ମଚାରୀମାନେ ଜାକ୍ ସାହାଯ୍ୟରେ ରଥକୁ ସିଧା କରିବା ପାଇଁ ପାଖାପାଖି ଦୁଇ ଘଣ୍ଟା ସମୟ ଲାଗି ଯାଇଥିଲା। ଏହାପରେ ରଥ ପୁଣି ଟଣା ଯାଇଥିଲା। ବଡ଼ଦାଣ୍ତରେ ରଥ ଗଡ଼ିବା ଭିତରେ କେଳେବେଳେ ବାମ ପାର୍ଶ୍ବ ତ’ କେତେବେଳେ ଡାହାଣ ପାର୍ଶ୍ବକୁ ମାଡ଼ି ଯାଉଥିବା ଦେଖିବାକୁ ମିଳିଥିଲା। ଏହିଭଳି ଦୋହଲି ଦୋହଲି ରଥ ସନ୍ଧ୍ୟା ପ୍ରାୟ ୫ଟା ୪୫ରେ ବଡ଼ ଦେଉଳରେ ଲାଗିଥିଲା। ଯେହେତୁ ରଥଟଣା ଯିବା ପୂର୍ବରୁ ସମସ୍ତ ନୀତିକାନ୍ତି ସାରି ଦିଆଯାଇଥିଲା, ତେଣୁ ରଥ ଲାଗିବା ପରେ ସନ୍ଧ୍ୟାରେ ଆଉ କିଛି ନୀତି ହୋଇନାହିଁ। ରାତି ୧୧ଟାରେ ରାତ୍ର ଧୂପ ପରେ ବଡ଼ସି˚ହାର ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବା ବ୍ୟବସ୍ଥା ହୋଇଛି। ଆସନ୍ତାକାଲି ଏକାଦଶୀ ଥିବାରୁ ମହାପ୍ରଭୁ ରଥରେ ରହିବେ। ୧୮ତାରିଖରେ ରୂପା ଓ ଚାନ୍ଦି ଅଳଙ୍କାରରେ ସଜେଇ ହୋଇ ମହାପ୍ରଭୁ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଦିନ ୧୨ଟାରୁ ୩ଟା ଯାଏ ଏହି ବେଶରେ ପ୍ରଭୁ ଦର୍ଶନ ଦେବେ ଏବ˚ ସନ୍ଧ୍ୟାରେ ପହଣ୍ତିରେ ବଡ଼ଦେଉଳକୁ ଯିବାର କାର୍ଯ୍ୟକ୍ରମ ଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।