ନାଉଗାଁ: ଜଗତସିଂହପୁରଜିଲ୍ଲା, ନାଉଗାଁ ବ୍ଲକ୍ ତିହୁଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଜାଗୁଳାଈ। ଆଗରୁ ପୀଠରେ ବଳି ଦିଆଯାଉଥିଲା। ହେଲେ ମହାବାତ୍ୟା ପରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଶାଢ଼ି-ଚୁଡ଼ି ଦେଇ ପୂଜାର୍ଚ୍ଚନା କରୁଛନ୍ତି। 

Advertisment

ଲୋକକଥା ଅନୁସାରେ ମା’ ପ୍ରତ୍ୟକ୍ଷ। ମା’ ପରମବୈଷ୍ଣବୀ। ମା’ଙ୍କ ଭୋଗରେ ଉଭୟ ତୁଳସୀ ଓ ବେଲପତ୍ର ଲାଗି କରାଯାଏ। ମା’ଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଓ ବାସନ୍ତୀକ ଦୁର୍ଗାପୂଜା ପାଳିତ ହୋଇଥାଏ। ଶାରଦୀୟ ପୂଜା ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ହେଉଥିବା ବେଳେ ବାସନ୍ତୀକ ପୂଜା ବସନ୍ତ ଋତୁ ବା ଚୈତ୍ର ମାସରେ ହୋଇଥାଏ। ଶାରଦୀୟ ପୂଜାରେ ଷୋଳ ଦିନ ଯାକ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ। ପ୍ରତ୍ୟେକ ଦିନ ମା’ ବିଭିନ୍ନ ବେଶରେ ସଜ୍ଜିତ ହୋଇଥା’ନ୍ତି। ବାର ଅନୁସାରେ ପ୍ରତିଦିନ ପାଟ ପରିଧାନ କରିଥା’ନ୍ତି। ଏହି ଦିନରେ ସମ୍ପୂର୍ଣ୍ଣ ସପ୍ତସତୀ ଚଣ୍ଡୀ ପାଠ କରାଯାଏ। ସବୁଦିନ ନାନାଦି ପ୍ରକାର ଭୋଗରାଗ କରାଯାଏ। କିଛି ବର୍ଷ ହେଲା ଶାରଦୀୟ ପୂଜାରେ ଶ୍ରୀରାମଚରିତ ମାନସ, ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଆୟୋଜନ କରାଯାଉଛି। ସାତଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲା ପରିବେଷଣ ହେଉଛି। ମା’ଙ୍କ ନିକଟରେ ଯିଏ ମାନସିକ ରଖିଥାନ୍ତି ତାହା ନିଶ୍ଚିତ ପୂରଣ ହେଉଥିବା ବିଶ୍ବାସ ରହିଛି। ପ୍ରଥମରୁ ମା’ଙ୍କ ନିକଟରେ ବଳି ପଡ଼ୁ ନଥିଲେ ମଧ୍ୟ ମାନସିକ ପୂରଣ ପାଇଁ ଶ୍ରଦ୍ଧାଳୁମାନେ ଛେଳି, ବୋଦା ଆଦି ବଳି ଦେଉଥିଲେ। ୧୯୯୯ ମହାବାତ୍ୟାରେ ମା’ଙ୍କ ମନ୍ଦିର ମୁଖଶାଳା ଭାଙ୍ଗିପଡ଼ିବାରୁ ଏହାର ପୁନରୁଦ୍ଧାର ପାଇଁ ମା’ଙ୍କ ପ୍ରତିମାକୁ ମୁଖ୍ୟ ମନ୍ଦିରରୁ ବାହାରକୁ ଆଣିବାକୁ ପଡ଼ିଥିଲା। ଏହି ସମୟରେ ମା’ଙ୍କ ମନ୍ଦିରରରେ ଶାନ୍ତ ମୁଦ୍ରାରେ ସପ୍ତଫେଣୀ ନାଗ ଉପରେ ମା’ ଉପବେଶନ କରିଥିବା ମୂର୍ତ୍ତି ଦେଖିବା ପରେ ମା’ଙ୍କୁ ନାରାୟଣୀ ବୋଲି କୁହାଯାଇଥିଲା। ନାରାୟଣୀ ପରମବୈଷ୍ଣବୀ ହୋଇଥିବାରୁ ତାଙ୍କ ପାଖରେ ତାମସିକ ଜିନିଷ ଭୋଗ ଲାଗି ହେବା ପାଇଁ ବାରଣ କରାଯାଇଥିଲା। ଏହାର ବଳିଷ୍ଠ ଓ ପ୍ରାମାଣିକ ଯୁକ୍ତି ସମସ୍ତଙ୍କ ପାଖରେ ପହଞ୍ଚିବା ପରେ ବଳି ପ୍ରଥା ବନ୍ଦ କରାଯାଇଥିଲା। ଏହା ପରଠୁ ମା’ଙ୍କ ନିକଟରେ ଶୁଦ୍ଧସାତ୍ତ୍ୱିକ ଭାବେ ପୂଜାର୍ଚ୍ଚନା କରାଯାଉଛି। ଏହି ପୀଠକୁ ବହୁ ସାଧୁସନ୍ଥ, ଜଗଦଗୁର ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଆସିଥିଲେ। ବର୍ତ୍ତମାନ ବଳି ବଦଳରେ ଶ୍ରଦ୍ଧାଳୁମାନେ ଶାଢ଼ି-ଚୁଡ଼ି ଦେଇ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବିଶିଷ୍ଟ ପ୍ରବଚକ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ଉଦ୍ୟମରେ ପୀଠର ରୂପାନ୍ତରଣ ତଥା ବିକାଶ କାର୍ଯ୍ୟ ଜାରି ରହିଛି। ଝଙ୍କଡ଼ବାସିନୀ ମା’ ସାରଳା ଓ ମା’ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା ଦିନରୁ ଏଠାରେ ମା’ ଜାଗୁଳାଈ ଗ୍ରାମ ଦେବତୀ ରୂପରେ ପୂଜା ପାଇଆସୁଥିବା କୁହାଯାଏ।