ମହାପ୍ରଭୁଙ୍କ ନିଆରା ଭକ୍ତ ତୁଳସୀ ବାବା

ପୁରୀ : ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନାବିଳ ସମ୍ପର୍କର ଆଉ ଜଣେ ଉଦାହରଣ ହେଉଛନ୍ତି ‘ତୁଳସୀ ବାବା’। ପ୍ରକୃତ ନାମ ସନ୍ଥ ଶ୍ରୀରାମଶରଣ ଦାସଜୀ ମହାରାଜ। କିନ୍ତୁ ନାଁ ଅପେକ୍ଷା ତୁଳସୀ ବାବା ନାମରେ ସେ ବେଶି ପରିଚିତ। ଏହି ନାଁ ପଛରେ ହିଁ ଲୁଚି ରହିଛି ସବୁ ରହସ୍ୟ। କେଉଁଦିନ ହୁଏତ କୌଣସି କାରଣରୁ ତାଙ୍କ ପେଟ ଅପୋଷା ରହିଯାଇଛି, କିନ୍ତୁ ମହାପ୍ରଭୁଙ୍କ ପାଇଁ ତୁଳସୀ ଓ ଫୁଲ ନେଇ ଶ୍ରୀମନ୍ଦିର ଆସିବା ବନ୍ଦ କରିନାହାନ୍ତି। ତେବେ ରଥଯାତ୍ରା ଦିନ ସ୍ବତନ୍ତ୍ର ଭାବେ ମହାପ୍ରଭୁଙ୍କ ପାଇଁ ତୁଳସୀ ଚୂଳ ଓ ମାଳ ପ୍ରସ୍ତୁତ କରି ବଡ଼ଦାଣ୍ଡ‌ରେ ପହଞ୍ଚିବା ପରେ ମୁଣ୍ଡେଇ ରଥ ପର୍ଯ୍ୟନ୍ତ ଆସନ୍ତି।

ପ୍ରତ୍ୟହ ଭୋର ୪ଟାରୁ ଆରମ୍ଭ ହୁଏ ତୁଳସୀ ସଂଗ୍ରହ। ଯଦିଓ ଆସ୍କା ବାବନପୁର ଗୋପୀନାଥଜିଉ ମଠ ତାଙ୍କର ଆବାସସ୍ଥଳୀ, କିନ୍ତୁ ମହାପ୍ରଭୁଙ୍କ ପାଇଁ ତୁଳସୀ ଯୋଗାଇବାକୁ ସେ ଭୁବେନଶ୍ବରର ଗାଡ଼କଣରେ ରୁହନ୍ତି। ପଥରଗାଡ଼ିଆ, ଚନ୍ଦକା, କଣ୍ଟାବାଡ଼, ମଳିପଡ଼ା, ଶାମପୁର, କଳିଙ୍ଗ ବିହାର, ପାତ୍ରପଡ଼ା, ଜାଗମରା, ଜୟଦେବ ବିହାର, ଡୁମଡୁମା, ନୂଆପଲ୍ଲୀ, ଏନ୍‌-୩, ଆଇଡି ମାର୍କେଟ୍‌, ୯ନମ୍ବର,‌ ପୋଖରୀପୁଟ, ଲକ୍ଷ୍ମୀସାଗର, ଧଉଳି ପରେ ପିପିଲି ତେଇଶିପୁରସ୍ଥିତ ଦାସିଆ ବାଉରୀ ପୀଠରୁ ତୁଳସୀ, ଫୁଲ ଓ ଫଳ ସଂଗ୍ରହ କରି ଶ୍ରୀମନ୍ଦିରରେ ପହଞ୍ଚି ଏସବୁ ଯୋଗାଇ ଦିଅନ୍ତି। ଏଥିପାଇଁ କେହି ତାଙ୍କୁ କେବେ କହିନାହିଁ, କିମ୍ବା କେହି କିଛି ଦିଏ ନାହିଁ। ମାତ୍ର ପ୍ରଭୁଙ୍କ ନିକଟରେ ତାଙ୍କ ପ୍ରିୟ ଜିନିଷ ପହଞ୍ଚାଇବାର ସେତୁଟିଏ ହୋଇ ଆସିଛନ୍ତି। କୁହନ୍ତି, ଏଇଥିରେ ହିଁ ତାଙ୍କର ଦିବ୍ୟ ଆନନ୍ଦ। ଜଣେ ସନ୍ଥ ଭାବେ ସୁନ୍ଦରାକାଣ୍ଡ ପାଇଁ ଓଡ଼ିଶାର ଯେକୌଣସି ଜାଗାକୁ ସେ ଯାଆନ୍ତି। ସେଠାରେ କିଛି ଭକ୍ତଙ୍କୁ ତୁଳସୀ, ଫୁଲ ଓ ଫଳ ଯୋଗାଇବା ପାଇଁ କହିଦେଇ ଆସନ୍ତି। ତାଙ୍କର ଏହି ସଶ୍ରଦ୍ଧ ଇଚ୍ଛାକୁ ବି ଅନେକ ଭକ୍ତ ସ୍ବୀକୃତି ଦେଇ ତୁଳସୀ, ଫୁଲର ବଗିଚା ମହାପ୍ରଭୁଙ୍କ ପାଇଁ ସମର୍ପିତ କରିଛନ୍ତି।

କେବଳ ଭୁବନେଶ୍ବର ନୁହେଁ, କଟକ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ ଭଳି ଜାଗାରୁ ବି ଭକ୍ତମାନେ ତୁଳସୀ ବାବାଙ୍କ ଜରିଆରେ ତୁଳସୀ, ଫୁଲ, ଫଳ ଆଦି ପଠାନ୍ତି। ପୁରୀ ହରଚଣ୍ଡୀ ସାହିରେ ବିଶ୍ବନାଥ ଦାଶ ଓ ରମାମଣି ଦାଶଙ୍କଠାରୁ ଜନ୍ମିତ ଏବଂ ବ୍ରହ୍ମଗିରି ବେଣ୍ଟପୁର ‌ଲମ୍ବିତୋଳରେ ବଢ଼ିଥିବା ସନ୍ଥ ଶ୍ରୀରାମଶରଣ ମହନ୍ତ ଶ୍ରୀଅଶୋକଦାସଜୀ ମହାରାଜଙ୍କ ମାର୍ଗଦର୍ଶନରେ ତାଙ୍କର ଏହି ତୁଳସୀ ସେବା ଇଚ୍ଛାକୁ ଫଳବତୀ କଲେ। ମହାପ୍ରଭୁଙ୍କ ପ୍ରିୟ ଦୟଣା, ମରୁଆ ତୁଳସୀ, କର୍ପୁରକାନ୍ତି ତୁଳସୀ, ପଦ୍ମ, ସୁଗନ୍ଧରାଜ, ମଲ୍ଲୀ, ଟରାଟ, ଟଗର, ସ୍ବର୍ଣ୍ଣଚମ୍ପା, ବ୍ରହ୍ମକମଳ, ପାରିଜାତ, ଗୁରୁଜଲଙ୍ଗା, ମାଳତୀ ଫୁଳକୁ ନିଜ କାର୍‌ରେ ଖଞ୍ଜି ପ୍ରତିଦିନ ଶ୍ରୀମନ୍ଦିର ଆସୁଛନ୍ତି। ସେ କୁହନ୍ତି, ଆଗରୁ ଏକ ସ୍କୁଟରରେ ସମସ୍ତ ଜିନିଷ ଲୋଡ୍‌ କରି ଆଣୁଥିଲି। କିନ୍ତୁ ଜଣେ ଭକ୍ତ ସ୍ବଇଚ୍ଛାରେ କାର୍‌ଟିଏ ଯୋଗାଇ ଦେଲେ। କିଛି ଭକ୍ତ ପେଟ୍ରୋଲ୍‌ ବି ପକାଇ ଦିଅନ୍ତି। ସେବାୟତଙ୍କଠୁ ନେଇ ପ୍ରଶାସନ ପର୍ଯ୍ୟନ୍ତ ସବୁରି ଆଦର ଓ ସହଯୋଗ ଯୋଗୁଁ ସମ୍ଭବପର ହେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର