ତୁମୁଡିବନ୍ଧ: କନ୍ଧମାଳଜିଲ୍ଲା ତୁମୁଡ଼ିବନ୍ଧ ପୁଲିସକୁ ମିଳିଛି ସଫଳତା। ଏକ ବଡ଼ଧରଣର ବେଆଇନ ବିସ୍ଫୋରକ ସାମଗ୍ରୀ ଚାଲାଣ ରାକେଟ୍କୁ ଠାବ କରିଛି ପୁଲିସ। ଯାହାର ଚେର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ଚମାଖଣ୍ଡି ଥାନା ଜଗନ୍ନାଥପୁର ଗାଁରୁ ଆନ୍ଧ୍ରପ୍ରଦେଶର କାକିନାଡ଼ା ସହର ପର୍ଯ୍ୟନ୍ତ ଲମ୍ବିଛି। ପୁଲିସ ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ।
ଗତକାଲି ଏକ ପିକଅପ୍ ଭ୍ୟାନ୍ ଯୋଗେ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ତୁମୁଡ଼ିବନ୍ଧ ପୁଲିସ ସଫଳ ହୋଇଛି । ପ୍ରାଥମିକ ତଦନ୍ତ ପରେ ପିକ୍ଅପ୍ ଭ୍ୟାନ୍ ଚାଳକ ତଥା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ତଳଦାନ୍ତଲିଙ୍ଗି ଗାଁର ଆଲୋକ ଓରଫ ଆଲବୁଟ୍ କୁମାର ପାତ୍ର, ବ୍ରହ୍ମପୁର ସହର ନିକଟ ଗୋପାଳପୁର ଥାନା ଆମ୍ବପୁଆର ହେମନ୍ତ ସେଠୀ ଓ ଭବାନୀପାଟଣା ନିକଟ ଜଳେଶ୍ବର ମନ୍ଦିରପଡ଼ା ଗାଁର ଶକ୍ତିରଞ୍ଜନ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଏହାସହ ୬.୯ ଟନ ଜିଲୋଟିନ୍ ଷ୍ଟିକ୍, ୨.୫ ଆପେକ୍ସ ବୁଷ୍ଟର୍, ୪୦୦୦ ଡିଟୋନେଟର୍, ୪୩ଟି ବିଦ୍ୟୁତ୍ ତାର, ୩୮ଟି କୋରଡେକ୍ସ୍, ୨ଟି ବ୍ୟାଟେରି, ୨ ଲକ୍ଷ ୮୦ ହଜାର ଟଙ୍କା, ଅନ୍ଲାଇନ ଟ୍ରାନ୍ସଫର ହୋଇଥିବା ୧ ଲକ୍ଷ ଟଙ୍କା ଓ ପିକ୍ଅପ୍ ଭ୍ୟାନକୁ ଜବତ କରାଯାଇଛି। ଦୁଇବର୍ଷ ହେଲା ବିଭିନ୍ନ ପଥରକ୍ବାରିକୁ ବେଆଇନ ଭାବେ ବିସ୍ଫୋରଣ ସାମଗ୍ରୀ ବେଆଇନ ଭାବେ ଚାଲାଣ ହେଉଥିବା ତଦନ୍ତରୁ ଜଣାପଡ଼ିଥିବା ବାଲିଗୁଡା ଏସ୍ଡିପିଓ ରମେନ୍ଦ୍ର ପ୍ରସାଦ ଓ ତୁମୁଡ଼ିବନ୍ଧ ଥାନାଧିକାରୀ ଆଶୁତୋଷ ଜେନା ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ମାଓବାଦୀଙ୍କୁ ମଧ୍ୟ ବିସ୍ଫୋରକ ସାମଗ୍ରୀ ଯୋଗାଣ ଆଶଙ୍କାକୁ ବି ତଦନ୍ତ ପରିସରଭୁକ୍ତ କରାଯାଇଥିବା ସୂଚନା ମିଳିଛି। କାରଣ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ତୁମୁଡ଼ିବନ୍ଧ ଓ କୋଟଗଡ଼ ଅଞ୍ଚଳରେ କେକେବିଏନ୍ ଭଳି ମାଓ ସଂଗଠନ ସକ୍ରିୟ ଥିବାରୁ ଏହି ବିସ୍ଫୋରକ ମାଓବାଦୀଙ୍କ ହାତରେ ପଡ଼ୁଥିବା ଆଶଙ୍କାକୁ ବି ପୁଲିସ ଏଡ଼ାଇ ପାରିନାହିଁ। ଏନେଇ ତୁମୁଡିବନ୍ଧ ଥାନାରେ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତ ହେମନ୍ତ ଏହି ବିସ୍ଫୋରକ ସାମଗ୍ରୀ ସବୁ ଆନ୍ଧ୍ରପ୍ରଦେଶର କାକିନାଡାରୁ ଆଣୁଥିଲା। ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଗାଁରେ ଥିବା ଏକ ଆଦର୍ଶ ଗାଈଗୁହାଳରେ ଗଚ୍ଛିତ ରଖି ସେଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବେଆଇନ ଭାବେ ଚାଲାଣ କରୁଥିଲା। ଗତକାଲି ରାତିରେ ଆଲବୁଟ୍ ଏକ ପିକ୍ ଭ୍ୟାନ୍(ଓଡ଼ି୦୨ସିଜି୮୪୮୭) ଯୋଗେ ପ୍ରାୟ ୧୦ ଟନ୍ ବିସ୍ଫୋରକ ନେଇ ଦ୍ରୁତ ଗତିରେ ଯାଉଥିବା ବେଳେ ତୁମୁଡିବନ୍ଧ ନିକଟ ରାମପୁର ଛକ ଠାରେ ତୁମୁଡ଼ିବନ୍ଧ ପାଟ୍ରୋଲିଂ ଟିମ୍ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ।
ଯାଞ୍ଚ ପରେ ସମସ୍ତ ସାମଗ୍ରୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ଶକ୍ତିରଞ୍ଜନ ଦାଶଙ୍କ ନିକଟକୁ ଯୋଗାଣ ହେଉଥିବା ଧରାପଡ଼ିଥିଲା। ଆଲବୁଟ୍ର ବୟାନକୁ ଆଧାର କରି ତୁମୁଡ଼ିବନ୍ଧ ପୁଲିସର ଏକ ଟିମ୍ ଗତକାଲି ରାତିରେ ଜଗନ୍ନାଥପୁର ଗ୍ରାମରେ ଥିବା ହେମନ୍ତର ଗୋଦାମ ଉପରେ ଚଢ଼ଉ କରିଥିଲେ। ଧରପଗଡ଼ ବେଳେ ବିସ୍ଫୋରକ ପଦାର୍ଥ ସମ୍ପର୍କରେ କୌଣସି କାଗଜପତ୍ର ଦେଖାଇ ପାରି ନଥିବାରୁ ଏସବୁ ବେଆଇନ ଭାବେ ଚାଲାଣ ହେଉଥିବା ଧରାପଡ଼ିଥିଲା। ତିନିଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/08/18/25baff0f-5dc1-43b5-b151-9bfb0eb13f77-2025-08-18-13-18-58.jpg)