ଜମି ବିବାଦରୁ ତୁମୁଳକାଣ୍ଡ: ଫୁଟିଲା ୨୦ ରାଉଣ୍ଡ୍‌ ଗୁଳି, ଶହେ ବୋମା

ପୁଲିସ ସାମ୍ନାରେ ଜଳିଗଲା ୪୦ ବଖରା ଘର

୧୦ ଗୁରୁତର, ଘଟଣାସ୍ଥଳରେ ଜିଲ୍ଲାପାଳ, ଏସ୍‌ପି
ଗାଁରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ

ବ୍ରହ୍ମଗିରି : ରବିବାର ଦିନ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ବ୍ରହ୍ମଗିରି ଥାନା ନାଥପୁର ଗାଁ’ ନିକଟରେ ଥିବା ଏକ ଅନୂସୁଚିତ ଜାତି ବସ୍ତିରେ ତୁମୁଳକାଣ୍ତ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଘନ ଘନ ବୋମାମାଡ଼ ସାଙ୍ଗକୁ ଗୁଳିମାଡ଼ ହୋଇଛି। ଶହେରୁ ଅଧିକ ବୋମାମାଡ଼ ସାଙ୍ଗକୁ ୨୦ ରାଉଣ୍ତ ଗୁଳି ଫୁଟିଛି। ବୋମା ଓ ଗୁଳି ମାଡ଼ରେ ୪୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କେ ବିଶାଳ ସିଂହ, ଅତିରିକ୍ତ ଏସ୍‌ପି ମିହିର ପଣ୍ଡା,ବ୍ରହ୍ମଗିରି ଥାନା ଓ ସାତପଡ଼ା ଫାଣ୍ତି ପୁଲିସ ୫ ପ୍ଲାଟୁନ୍‌ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଛନ୍ତି। ପୁଲିସ ଲାଠିଚାର୍ଜ କରି ‌ଲୋକଙ୍କୁ ଘଉଡ଼ାଇ ଦେଇଛି। ତଥାପି ଉତ୍ତେଜନା କମି ନାହିଁ।

ସୂଚନା ଅନୁଯାୟୀ କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମପୁର ଗାଁର ୩୦ଟି ଅନୂସୁଚିତ ଜାତିର ପରିବାର ଗାଁ ବିବାଦ ଯୋଗୁ ଗତ ବର୍ଷ ଗାଁରୁ ଆସି ବ୍ରହ୍ମଗିରି ଥାନା କୃଷ୍ଣପ୍ରସାଦ ବ୍ଲକ୍ ନାଥପୁର ଗାଁ ନିକଟ ଏକ ସରକାରୀ ଜାଗାରେ ଅସ୍ଥାୟୀ ଘର କରି ରହୁଥିଲେ। ସେଠାରେ କିଛି ଦିନ ରହିବା ପରେ ଗାଁକୁ କିଭଳି ଏହି ପରିବାର ଯାଇ ପାରିବେ ସେ ନେଇ ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିଲା। ତେବେ ରବିବାର ଦିନ ଏନେଇ ୩୫ ମୈାଜାର ଭଦ୍ରବ୍ୟକ୍ତି ଏବଂ ସ୍ଥାନୀୟ ତହସିଲଦାର ଏହି ପରିବାର ରହୁଥିବା ବସ୍ତି ପାଖରେ ଥିବା ଏକ ଶିବ ମନ୍ଦିରରେ ବୈଠକ କରିଥିଲେ। ବୈଠକ ବସିଥିବା ବେଳେ ୩୫ ମୈାଜା ପକ୍ଷରୁ ଜଣେ ଭଦ୍ରବ୍ୟକ୍ତି ଏହି ପରିବାରର ମୁଖ୍ୟଙ୍କୁ ଡାକିବାକୁ ଯାଇଥିଲେ। ଡାକିବାକୁ ଯାଇଥିବା ବ୍ୟକ୍ତି ଜଣଙ୍କୁ ଏହି ବସ୍ତିର ଲୋକେ ହଠାତ୍ ଆକ୍ରମଣ କରିବା ସହିତ ବୋମାମାଡ଼ ଆରମ୍ଭ କରି ଦେଇଥିଲେ। ସ୍ଥାନୀୟ ପ୍ରଶାସନ ଓ ଭଦ୍ରବ୍ୟକ୍ତି ଜୀବନ ବିକଳରେ ଦୈାଡ଼ି ପଳାଇ ଆସିଥିଲେ। ତେବେ ବସ୍ତି ବାସିନ୍ଦାମାନେ ଘନ ଘନ ବୋମାମାଡ଼ କରି ଚାଲିଥିଲେ। ୪୦ରୁ ଅଧିକ ବୋମାମାଡ଼ କରି ଆତଙ୍କ ଖେଳାଇ ଦେଇଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ହଜାର ହଜାର ଲୋକେ ଏକାଠି ହୋଇ ଯାଇଥିଲେ। ସେତେବେଳକୁ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ୫ ପ୍ଲାଟୁନ ପୁଲିସ ଫୋର୍ସ ପହଞ୍ଚି ସାରିଥିଲେ। ଏହି ସମୟରେ ପୁଣି ଥରେ ବସ୍ତି ପଟୁ ପୁଣି ବୋମା ମାଡ଼ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ବଢ଼ି ଯାଇଥିଲା। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ଗୁଳି ମାଡ଼ ଚାଲିଥିଲା। ଉଭୟ ପକ୍ଷରୁ ଶତାଧିକ ବୋମା ମାଡ଼ ହୋଇଛି। ପୁଲିସ ଉପସ୍ଥିତିରେ ବୋମା ଓ ଗୁଳିମାଡ଼ ଜାରି ରହିଥିଲା। ବୋମାମାଡ଼ରେ ବସ୍ତିର ୪୦ ବଖରା ଘର ଜଳିଯାଇଥିଲା। ହୁତୁହୁତୁ ହୋଇ ଘର ଜଳୁଥିଲେ ସୁଦ୍ଧା ବୋମା ଓ ଗୁଳିମାଡ଼ ଯୋଗୁ ପୁଲିସ ପାଖ ମାଡ଼ି ପାରିନଥିଲା। ଏପରିକି ଘଟଣାସ୍ଥଳରେ ପହଞ୍ଚିଥିବା ବ୍ରହ୍ମଗିରି ଥାନା ଇନ୍‌ସପେକ୍ଟର ମନୋଜ ଶତପଥୀଙ୍କୁ ମଧ୍ୟ ଲୋକେ ଆକ୍ରମକଣ କରିଥିବା ଜଣାଯାଇଛି। ପରିସ୍ଥିତି ଅଣାୟତ୍ତ ଆଡ଼କୁ ଯାଉଥିବା ଦେଖି ଶେଷରେ ପୁଲିସ ଲାଠି ଚାର୍ଜ କରିଥିଲା। ‌ ପୁଲିସ ଉଭୟ ଗୋଷ୍ଠୀଙ୍କୁ ଘଉଡ଼ାଇବା ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଇତିମଧ୍ୟରେ ବନ୍ଧମୁଣ୍ତା ଛକଠାରେ ୩୫ ମୈାଜାର ଲୋକଙ୍କ ଗାଡ଼ି ଭଙ୍ଗାରୁଜା ଖବର ପାଇ ଲୋକେ ଉତ୍ତ୍ୟକ୍ତ ହୋଇଉଠିଥିଲେ। ସେଠାରେ ପୁଣି ୫ଟି ବୋମାମାଡ଼ ହୋଇଥିଲା। ଏହି ଘଟଣାକୁ ନେଇ ପଣସପଦା କାଜି ଭୋଇସାହିଠାରେ ଅନୂସୁଚିତ ଜାତି ସମ୍ପ୍ରଦାୟର ଲୋକେ ପୁରୀ–ସାତପଡ଼ା ରାଜପଥକୁ ଅବରୋଧ କରିରଖିଥିଲେ। ସେଠାରେ ପୁଲିସ ପହଞ୍ଚି ବୁଝାଶୁଝା କରି ରାସ୍ତାରୋକ ହଟାଇଛି। ଏ ସମ୍ପର୍କରେ ଏସ୍‌ପି ଶ୍ରୀ ସିଂହ କହିଛନ୍ତି ଯେ ଉତ୍ତେଜନା ହ୍ରାସ ପାଇବା ପର୍ଯ୍ୟନ୍ତ ଗ୍ରାମରେ ପୁଲିସ ମୁତୟନ ରହିବେ। ତେବେ ଏହି ବୋମାମାଡ଼, ଗୁଳିକାଣ୍ଡରେ ଯିଏ ସମ୍ପୃକ୍ତ, ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାରିକୁ ଅଞ୍ଚଳରେ ଶାନ୍ତିଭଙ୍ଗ ପାଇଁ ସୁଯୋଗ ଦିଆଯିବ ନାହିଁ ବୋଲି ଏସ୍‌ପି ଶ୍ରୀ ସିଂହ କହିଛନ୍ତି।

ଆକ୍ରମଣରେ ୩୫ମୈାଜାର ଜିତେନ୍ଦ୍ର ପରିଡ଼ା ବୋମାମାଡ଼ରେ ଗୁରୁତର ଆହତ ହୋଇ କଟକ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ରୂପକ ଭୋଇ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି। ବୋମାମାଡ଼ରେ ବିକାଶ ପାହାଣ, ଟୁଲୁ ଭୋଇ, ଭରତ ପାହାଣ, ସୂର୍ଯ୍ୟକାନ୍ତ ପାହାଣ, ବିଦ୍ୟୁଲତା କାଣ୍ତି, ପ୍ରସନ୍ନ ଦାସ, କମଳା ଭୋଇ, ବିଦ୍ୟାଧର ଭୋଇ, ପରିକ୍ଷିତ କାଣ୍ତି, ଗଗନ କାଣ୍ତି ପ୍ରମୁଖ ଆହତ ହୋଇ ସ୍ଥାନୀୟ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର