ଗାଁରେ ପହଞ୍ଚିଲେ ପୁଲିସ, ପ୍ରଶାସନ; ୫ ଜଣଙ୍କ ନାଁରେ ଥାନାରେ ଏତଲା

Advertisment

ବାଲେଶ୍ବର : ବାତ୍ୟାକାଳୀନ ରିଲିଫ ପାଇବା ଦାବିରେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ତୁଣ୍ଡରା ପଞ୍ଚାୟତରେ ଶନିବାର ସଂଧ୍ୟାରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଗୋଟିଏ ଗୋଷ୍ଠୀ କିଛି ଲୋକଙ୍କୁ ମତାଇ ପଞ୍ଚାୟତ ଗୋଦାମର ତାଲା ଭାଙ୍ଗିବା ସହ ତା ଭିତରୁ ଶତାଧିକ କ୍ୟୁଣ୍ଟାଲ ଚାଉଳ, ଗହମ, ଗୋରୁଖାଦ୍ୟ ସମେତ କିରାସିନି ଆଦି ବୋହି ନେଇଥିବା ବେଳେ ପଞ୍ଚାୟତ ଗୃହର ବିଭିନ୍ନ ଆସବାବପତ୍ର ରାସ୍ତା ଉପରେ ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

publive-image

ମିଳିଥିବା ସୂଚନା ମୁତାବକ, ତୁଣ୍ଡରା ପଞ୍ଚାୟତକୁ ଆସିଥିବା ବାତ୍ୟାକାଳୀନ ରିଲିଫ୍‌ ସାମଗ୍ରୀ ବଣ୍ଟା ସରିଥିବା ବେଳେ କିଛି ଲୋକ ସେଥିରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଥିଲା। ଏନେଇ ସେମାନେ ୨ଦିନ ପୂର୍ବରୁ ପଞ୍ଚାୟତ ଗୃହ ସମ୍ମୁଖରେ ଧାରଣାରେ ମଧ୍ୟ ବସିଥିଲେ। ରେମୁଣା ବିଡିଓ ଏବଂ ତହସିଲଦାର ସେଠାରେ ପହଞ୍ଚି ବୁଝାସୁଝା କରିବା ସହ ସେମାନଙ୍କ ତାଲିକା ଦେବା ପାଇଁ ସରପଞ୍ଚଙ୍କ ସହ କଥା ହୋଇ ଯାଇଥିଲେ। ତେବେ ଶନିବାର ସଂଧ୍ୟାରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ କିଛି ଗାଁଲୋକଙ୍କୁ ଏକାଠି କରି ସଂଧ୍ୟା ସମୟରେ ପଞ୍ଚାୟତ ଗୃହ ସମ୍ମୁଖରେ ପହଞ୍ଚିଥିଲେ। ଏହାପରେ ଗୋଦାମଗୃହର ତାଲା ଭାଙ୍ଗି ସବୁ ବୋହିନେବାକୁ ଲୋକମାନଙ୍କୁ ମତାଇଥିଲେ। ତେବେ ରିଲିଫ୍‌ ପାଇଁ ଆସିଥିବା ଚାଉଳ ବଣ୍ଟା ସରିଥିବା ବେଳେ ସେମାନେ ଗୋଦାମରେ ଥିବା ୨୧୮ କ୍ୟୁଣ୍ଟାଲ ଚାଉଳ, ୩୮ କ୍ୟୁଣ୍ଟାଲ ୫୦ କେଜିର ଗହମ, ୪୦ ବସ୍ତା ଗୋରୁଖାଦ୍ୟ ଓ ୩୦୦ରୁ ଊର୍ଧ୍ବ ଲିଟର କିରାସିନି ବୋହିନେବା ସହ ଗୋଦାମରେ ଥିବା ବିଭିନ୍ନ ଆସବାବପତ୍ର ରାସ୍ତାରେ ପକାଇ ତା ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ।

publive-image

ଏହାପରେ ନିକଟରେ ଥିବା ରାଜୀବଗାନ୍ଧୀ ସେବା ସଦନର ତାଲା ଭାଙ୍ଗି ସେଠାରେ ଥିବା ପଞ୍ଚାୟତ କାର୍ଯ୍ୟାଳୟର ବିଭିନ୍ନ ସରକାରୀ କାଗଜପତ୍ର, କମ୍ପ୍ୟଟର ସମେତ ୩୦ରୁ ଉର୍ଧ୍ବ ଚେୟାରକୁ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ସେମାନଙ୍କୁ ଅଟକାଇବା ପାଇଁ ଗ୍ରାମବାସୀ ଅନୁରୋଧ କରିବା ସତ୍ତ୍ବେ ଓଲଟି ଗାଁ ଲୋକଙ୍କୁ ସେମାନେ ଆକ୍ରମଣ କରିବାକୁ ଗୋଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପଞ୍ଚାୟତରେ ପ୍ରବଳ ଚାପା ଉତ୍ତେଜନା ଦେଖାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଖନ୍ତାପଡ଼ା ପୁଲିସ ଟିମ୍‌ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ସେପଟେ ରେମୁଣା ତହସିଲଦାର ମନୋଜ କୁମାର ସେନାପତି ଏବଂ ବିଡିଓ ଛବିରାଣୀ ସାହୁ ମଧ୍ୟ ସେଠାକୁ ଯାଇଥିବା ସୂଚନା ମିଳିଛି।

ଏନେଇ ସରପଞ୍ଚ ଅଜୟ କୁମାର ବାରିକ ନିଜ ପ୍ରତିକ୍ରିୟାରେ ରିଲିଫ୍‌ ପାଇନଥିବା ଲୋକଙ୍କୁ ରିଲିଫ୍‌ ଦେବା ପାଇଁ ବ୍ୟବସ୍ଥା ଚାଲିଥିବା ବେଳେ ଅଞ୍ଚଳର କିଛି ଗୋଷ୍ଠୀ ହୀନ ରାଜନୀତି କରି ଏପରି କାଣ୍ଡ ଭିଆଇବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ। ପୁଲିସ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହି ଘଟଣାରେ ତୁଣ୍ଡରା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୌତମ କୁମାର ଜେନା ଖନ୍ତାପଡ଼ା ଥାନାରେ ସତ୍ୟନାରାୟଣ ଶତପଥୀ, ରାଜେନ୍ଦ୍ର ବିଶ୍ବାଳ, ଭବେନ୍ଦ୍ର ବାରିକ, ସରୋଜ ସ ଏବଂ ଅନ୍ୟମାନଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।