ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳ: ସପ୍ତାହେ ମଧ୍ୟରେ ଟୁଙ୍ଗୁରୁ ନାଁରେ ଡଜନେରୁ ଅଧିକ ଗୀତ

ସେଲ୍‌ଫି ବୟ ପାଲଟିଛି ଟୁଙ୍ଗୁରୁ

ଭୁବନେଶ୍ବର : ‘ମୋ ଶରୀରର ପ୍ରତିଟି ଅଙ୍ଗରେ ଟୁଙ୍ଗୁରୁ ନାଁ ଲେଖା ଅଛି। ଟୁଙ୍ଗୁରୁ ପାଇଁ ମୁଁ ମୋ ସ୍ବାମୀ ଓ ଛୁଆ ପିଲାଙ୍କୁ ଛାଡ଼ିଲି। ଏଇ ଭରତପୁର ଥାନାରୁ ଟୁଙ୍ଗୁରୁକୁ ବିବାହ କରିବା ପରେ ଯାଇ ବାହାରକୁ ଯିବି’। ପ୍ରେମିକ ଟୁଙ୍ଗୁରୁକୁ ପାଇବା ପାଇଁ ଗତ ୨୦ତାରିଖରେ ବର୍ଷା ନାମ୍ନୀ ଜଣେ ମହିଳା ଭରତପୁର ଥାନାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଥିଲେ। ବାସ୍ ଏଇଠୁ ଭାଇରାଲ୍ ହୋଇଥିଲେ ବିବାଦୀୟ ପ୍ରେମିକ ଟୁଙ୍ଗୁରୁ ଭୋଳ। ଟୁଙ୍ଗୁରୁ ଓ ବର୍ଷାର ପ୍ରେମ କାହାଣୀ ଏମିତି ବ୍ୟାପିଥିଲା ଯେ ଓଡ଼ିଶାର ପୁରପଲ୍ଲୀରେ ସେ ପରିଚିତ ହୋଇଥିଲା। ଏହା ମଧ୍ୟରେ ଗଣମାଧ୍ୟମରେ ଏହି ପ୍ରେମ କାହାଣୀର ଯବନିକା ପଡ଼ିଯାଇଛି। କିନ୍ତୁ ଟୁଙ୍ଗୁର ଭୋଳଙ୍କ ଜୀବନର ମୋଡ଼ ବଦଳିଯାଇଛି। ଏବେ ସେ ସାମାଜିକ ଗଣମାଧ୍ୟମରେ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ତା ନାଁରେ ଡଜନେ ଗୀତ ପ୍ରସ୍ତୁତ ହୋଇ ବଜାରରେ ଭାଇରାଲ୍‌ ହେଲାଣି। ପୁଣି ରାସ୍ତାଘାଟରେ ଲୋକମାନେ ଟୁଙ୍ଗୁର ଓ ତାଙ୍କ ଅଟୋ ସହ ସେଲ୍‌ଫି ନେଉଥିବା ଦେଖିବାକୁ ମିଳୁଛି।

ଟୁଙ୍ଗୁରୁଙ୍କ ନାଁରେ ଓଡ଼ିଆ ଆଲବମ୍ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ କିଛି ଗୀତ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ୨୦ ତାରିଖରେ ଘଟଣା ଘଟିବା ପର ଠାରୁ ପ୍ରତିଦିନ ଦୁଇଟି ଲେଖାଏ ଗୀତ ରିଲିଜ୍ ହେଉଛି। ଜଣେ ବରଷା ରାଣୀ; ଜଣେ ଟୁଙ୍ଗୁରୁ ଭୋଳ, ଟୁଙ୍ଗୁରୁ ଭୋଳ ଖେଳ କଲା, ଦିସ୍ ଇଜ୍ ଟୁଙ୍ଗୁରୁ ଭୋଳ, ଟୁଙ୍ଗୁରୁ ଧୋକା ଦେଲା, ଟୁଙ୍ଗୁରୁ ପ୍ରେମ ଖଟା, ଟୁଙ୍ଗୁରୁ ରାଜା ଆଉ ଦେନି ସଜ୍ଜା ଭଳି ପ୍ରାୟ ଡଜନେରୁ ଅଧିକ ଗୀତ ମାତ୍ର ସପ୍ତାହେ ମଧ୍ୟରେ ୟୁଟ୍ୟୁବ୍‌ର ମିଲିୟନ୍‌ କ୍ଲବ୍‌ରେ ସାମିଲ ହୋଇଛି। ଏହା ବ୍ୟତୀତ ଫେସବୁକ, ହ୍ବାଟ୍ସଆପ୍, ଇନଷ୍ଟଗ୍ରାମ ଭଳି ସାମାଜିକ ଗଣମାଧ୍ୟମରେ ଟୁଙ୍ଗୁରୁ ଗୀତରେ ରିଲ୍ସ ତିଆରି କରି ଯୁବ ପିଢ଼ି ଭିଡିଓ କରି ମନୋରଂଜନ କରୁଛନ୍ତି।

ଟୁଙ୍ଗୁରୁ ଏହି ଗୀତଗୁଡ଼ିକୁ ନେଇ ରାଗିବେ ନା ହସିବେ ଜାଣିପାରୁନାହାନ୍ତି। ରାତାରାତି ନିଜର ଏପରି କ୍ରେଜ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ପୁଣି ଲୋକମାନେ ଖାଲି ରାସ୍ତାରେ ନୁହେଁ, ସେ ରହୁଥିବା ଫୁଲେଶ୍ବରୀ ବସ୍ତିରେ ପହଞ୍ଚି ସେଲ୍‌ଫି ନେଉଛନ୍ତି। ଏହି ସେଲ୍‌ଫି ନେବା ପ୍ରକ୍ରିୟାରୁ ପୁଲିସ ବି ବାଦ୍ ପଡ଼ିନାହାନ୍ତି। ସୁଦୂର କେନ୍ଦୁଝରରୁ ଆସି ଜଣେ ସବ୍‌ଇନ୍ସପେକ୍ଟର ଟୁଙ୍ଗୁରୁ ସହ ତାଙ୍କ ଅଟୋରେ ବସି ଫଟୋ ଉଠାଇଥିବା ଜଣାପଡ଼ିଛି।

ଟୁଙ୍ଗୁରୁ କହିଛନ୍ତି, ପ୍ରେମ ପାଇଁ ମୁଁ ଆଜି ଭାଇରାଲ୍ ହୋଇଛି। ମୁଁ ଅଟୋ ନେଇ ଭଡ଼ାରେ ଯିବା ବେଳକୁ ଲୋକେ ରାସ୍ତା ଘାଟରେ ମୋ ସହ ସେଲ୍‌ଫି ନେଉଛନ୍ତି। ଏପରିକି କେତେଜଣ ମୋ ଘରକୁ ଖୋଜି ଖୋଜି ଆସି ଦେଖା ମଧ୍ୟ କରୁଛନ୍ତି। ମୋ ନାଁ ଆଉ ପ୍ରେମ କାହାଣୀକୁ ନେଇ ମାଳମାଳ ଗୀତ ତିଆରି ହେଲାଣି। ସେଥିରୁ ୟୁଟ୍ୟୁବର୍‌ମାନେ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ଯଦି ଲୋକେ ଚାହିଁବେ ତେବେ ମୁଁ ମଧ୍ୟ ଏହି କଳା କ୍ଷେତ୍ରକୁ ଆସି କିଛି ଉପାର୍ଜନ କରିପାରିବି ବୋଲି ସେ କହିଛନ୍ତି। କିନ୍ତୁ ଏ ନେଇ କେହି ତାଙ୍କୁ ଯୋଗାଯୋଗ କରୁ ନ ଥିବାରୁ ଟୁଙ୍ଗୁରୁ ମନଉଣା କରିଛନ୍ତି।

ସମ୍ବନ୍ଧିତ ଖବର