ଅଭିଯୋଗର ଦେଢ଼ ମାସ ପରେ ଗିରଫ ହେଲା ଟୁଙ୍ଗୁରୁ ଭୋଳ, ଗଲା ଜେଲ

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମ ’ୟୁଟ୍ୟୁବ୍‌’ ମାଧ୍ୟମରେ ରାଜ୍ୟସାରା ଚର୍ଚ୍ଚାର ପରିସରକୁ ଆସିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ(୨୧)କୁ କମିସନରେଟ ପୁଲିସ ଗିରଫ କରିଛି। ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ବରୀବସ୍ତିରୁ ପୁଲିସ ଟୁଙ୍ଗୁରୁ ଭୋଳକୁ ଗିରଫ କରିଥିବା ଜଣାଯାଇଛି। ଗତ ଅଗଷ୍ଟ ମାସ ୧୦ ତାରିଖରେ ଭରତପୁର ଥାନା ଅଧୀନ ସରଧାପଲ୍ଲୀ ବସ୍ତି ନିବାସୀ ବର୍ଷା ଭୋଳ (୨୯)ଙ୍କ ଦ୍ବାରା ଅଣାଯାଇଥିବା ଯୌନ ନିର୍ଯାତନା ଅଭିଯୋଗ କ୍ରମେ ଟୁଙ୍ଗୁରୁ ଭୋଳ ଗିରଫ ହୋଇଛି।

ଭରତପୁର ଥାନା ପୁଲିସ କହିଛି ଯେ, ସରଧାପଲ୍ଲୀ ବସ୍ତିର ବର୍ଷା ଭୋଳଙ୍କ ଅଭିଯୋଗ କ୍ରମେ  ଗତ ଜୁଲାଇ ୨୯ ତାରିଖ ରାତି ୧୨ଟାରେ ଟୁଙ୍ଗୁରୁ ଭୋଳ ତାଙ୍କୁ ଫୋନ୍‌ କରି ଫୁଲେଶ୍ବରୀ ବସ୍ତିକୁ ଡାକିଥିଲା। ଟୁଙ୍ଗୁରୁ ଭୋଳ ସେଠାରେ ବର୍ଷାଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲା ଏବଂ ନିର୍ଯାତନା ଦେଇଥିଲା। ଏନେଇ ବର୍ଷା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ଏବଂ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଯୁବ ପ୍ରେମିକଙ୍କ ଠାରୁ ଧୋକ୍କା ଖାଇବା ପରେ ବର୍ଷା କହିଥିଲେ ଯେ, ‘ମୋ ଶରୀରର ପ୍ରତିଟି ଅଙ୍ଗରେ ଟୁଙ୍ଗୁରୁ ନାଁ ଲେଖା ଅଛି। ଟୁଙ୍ଗୁରୁ ପାଇଁ ମୁଁ ମୋ ସ୍ବାମୀ ଓ ଛୁଆ ପିଲାଙ୍କୁ ଛାଡ଼ିଲି। ଏଇ ଭରତପୁର ଥାନାରୁ ଟୁଙ୍ଗୁରୁକୁ ବିବାହ କରିବା ପରେ ଯାଇ ବାହାରକୁ ଯିବି’। ପ୍ରେମିକ ଟୁଙ୍ଗୁରୁକୁ ପାଇବା ପାଇଁ  ସେ  ଭରତପୁର ଥାନାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଥିଲେ। ବାସ୍ ଏଇଠୁ ଭାଇରାଲ୍ ହୋଇଥିଲେ ବିବାଦୀୟ ପ୍ରେମିକ ଟୁଙ୍ଗୁରୁ ଭୋଳ। ଟୁଙ୍ଗୁରୁ ଓ ବର୍ଷାର ପ୍ରେମ କାହାଣୀ ଏମିତି ବ୍ୟାପିଥିଲା ଯେ ଓଡ଼ିଶାର ପୁରପଲ୍ଲୀରେ ସେ ପରିଚିତ ହୋଇଥିଲା।

ସମ୍ବନ୍ଧିତ ଖବର