ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତିପୀଠକୁ ସୁଡ଼ଙ୍ଗ, ଗୁପ୍ତଧନ ଆଶାରେ ଖୋଳା ଯାଇଥିବା ସନ୍ଦେହ

ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ବାରିପଦା: ବାରିପଦା ମଧୁବନସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମାଧିପୀଠକୁ ଏକ ସୁଡ଼ଙ୍ଗ ଖୋଳାଯାଇଥିବା ଆଜି ସନ୍ଧ୍ୟାରେ ଠାବ ହୋଇଥିଲା। ଉକ୍ତ ସମାଧିପୀଠରେ ମହାରାଜା ଶ୍ରୀରାମଚନ୍ଦ୍ର, ମହାରାଣୀ ଲକ୍ଷ୍ମୀ କୁମାରୀ ଏବଂ ତାଙ୍କ ଝିଅ ଶ୍ରୀପଦ ମଞ୍ଜରୀଙ୍କ ସ୍ମୃତିପୀଠ ରହିଛି। ତେଣୁ କୌଣସି ଅସାମାଜିକ ତତ୍ତ୍ବ ଗୁପ୍ତଧନ ଆଶାରେ ଏପରି କରିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ରାଜା ମହାରାଜାଙ୍କ ସ୍ମୃତିପୀଠରେ ବିଭିନ୍ନ ଅଳଙ୍କାର ରଖାଯାଉଥିବା ଲୋକେ କୁହନ୍ତି। ତେଣୁ ସେଠାରୁ ଧନ ଲୋଭରେ ଅସାମାଜିକ ବ୍ୟକ୍ତିମାନେ ଏପରି କରିଥିବା ଆଶଙ୍କା ପ୍ରକାଶ ପାଇଛି। ତେବେ ମୟୂରଭଞ୍ଜର ପ୍ରାତଃସ୍ମରଣୀୟ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ସ୍ମୃତିପୀଠରେ ଏପରି କାର୍ଯ୍ୟକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି।

ଘଟଣା ସମ୍ପକରେ ସୂଚନା ପାଇବା ପରେ ବହୁସଂଖ୍ୟାରେ ସ୍ଥାନୀୟ ଜନତାଙ୍କ ସମେତ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଘଟଣାସ୍ଥଳରେ ପହଞ୍ଚି ଉଦ୍‌ବେଗ ପ୍ରକାଶ କରିଛନ୍ତି। ବାରିପଦା ଟାଉନ୍‌ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୌଣସି ଅସାମାଜିକ ଲୋକ ଅଳଙ୍କାର କିମ୍ବା କୌଣସି ଗୁପ୍ତଧନ ଲୋଭରେ ଏପରି କରିଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ସମଗ୍ର ମୟୂରଭଞ୍ଜର ଭାବନା ସହ ଜଡ଼ିତ ଥିବା ଏହି ସ୍ମୃତିପୀଠର ସୁରକ୍ଷା ଏବଂ ସଂରକ୍ଷଣ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅଗ୍ରଣୀ ସାମାଜିକ ସଂଗଠନ ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର