କୂଳ ଲଂଘିଲା ଅଶାନ୍ତ ସମୁଦ୍ର; ଲାଇଟ୍‌ ହାଉସ୍‌ରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ଧୋଇନେଲା ବାଲି, ୫ ଫୁଟର ଗର୍ତ୍ତ ସୃଷ୍ଟି

ପୁରୀ : ମୌସୁମୀ ବର୍ଷା ପରଠାରୁ ପୁରୀ ବେଳାଭୂମିରେ କୂଳ ଲଂଘିଛି ଅଶାନ୍ତ ସମୁଦ୍ର। ଫଳସ୍ବରୂପ ଉଚ୍ଚ ଜୁଆର ମାଡ଼ରେ ୪ରୁ ୫ ଫୁଟ ବେଳାଭୁମି ସମୁଦ୍ର ଗର୍ଭକୁ ଚାଲିଯାଇଛି। ବାଲି ଧୋଇଯିବା ପରେ ଲମ୍ବାରେ ଗର୍ତ୍ତ ବି ସୃଷ୍ଟି ହୋଇଛି। ଗତ ଦୁଇଦିନ ଧରି ଜୁଆର ଆହୁରି ଅଧିକ ତୀବ୍ର ରୂପ ଦେଖାଇଛି। ଆଜି ରାତି ସୁଦ୍ଧା ବି ସମୁଦ୍ର ଅଶାନ୍ତ ରହିବା ସହ କୂଳ ଲଂଘିବା ଜାରି ରହିଛି।

କେହି କେହି ଏହାକୁ ପୂର୍ଣ୍ଣିମାର ପ୍ରତିକୂଳ ପ୍ରଭାବ କହୁଥିବା ବେଳେ କେହି କେହି ମଙ୍ଗଳା ମୁହାଣ ପୋତି ହୋଇଯିବା ପରେ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବା କହୁଛନ୍ତି। ଅନ୍ୟପଟେ ପୂର୍ବରୁ କଂକ୍ରିଟ ୱାଲ୍‌ ବେଳାଭୂମିରେ ନ ଥିଲା। ଯେଉଁଥିପାଇଁ ସମୁଦ୍ରର ଜଳରାଶି ବି ଗତିରୋଧ ହେଉନଥିଲା। କିନ୍ତୁ ବେଳାମାର୍ଗରେ କଂକ୍ରିଟ୍‌ ପ୍ରାଚୀର ତିଆରି ପରେ ସମୁଦ୍ର ଜଳରାଶିର ଏହା ବାଟ ଓଗାଳିବା ସହ ସମୁଦ୍ରକୁ ଆହୁରି ଅଶାନ୍ତ କରୁଛି। ଯାହାର ପ୍ରତିକୂଳ ପ୍ରଭାବ ବେଳାଭୂମି ଉପରେ ପଡ଼ୁଛି। ସମୁଦ୍ର ଏଭଳି ଅଶାନ୍ତ ରହିଲେ, ଆଗକୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ରହିଥିବା ବେଳାଭୂମି ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭକୁ ଚାଲିଯିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଦୁଇଦିନ ତଳୁ ସମୁଦ୍ର ତାର ଅଶାନ୍ତ ରୂପ ଦେଖାଇଲାଣି। ଆଜି ବି ସମୁଦ୍ର ଉଦ୍ଦାମ ରୂପ ଦେଖାଇବା ସହ ସୁଉଚ୍ଚ ସମୁଦ୍ରର ଜଳରାଶି ବେଳାମାର୍ଗକୁ ‌ସମୁଦ୍ର ଗର୍ଭକୁ ଧୋଇ ନେଉଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ଶନିବାର ଦିନ ଲାଇଟ୍‌ ହାଉସ୍‌ଠାରୁ ମଙ୍ଗଳା ମୁହାଁଣ ପର୍ଯ୍ୟନ୍ତ ବିରାଟ ବିରାଟ ଗର୍ତ୍ତ ସବୁ ସୃଷ୍ଟି ହୋଇଛି। ବେଳାଭୂମିରେ ୪ରୁ ୫ ଫୁଟ ଉଚ୍ଚରେ ବାଲିକୁ ସମୁଦ୍ର ଗର୍ଭକୁ ଧୋଇ ନେଇଛି ଏହି ଅଶାନ୍ତ ସମୁଦ୍ର। ଫଳରେ ସମତୁଲ ‌ବେଳାମାର୍ଗ ଖାଲୁଆ ‌‌ଦୃଶ୍ୟମାନ ହୋଇଛି। ‌

ମୌସୁମୀଜନିତ ବର୍ଷା ଯୋଗୁ ଆଜି ପୁରୀ ଜିଲ୍ଲାରେ ଦିନତମାମ ବର୍ଷା ଲାଗି ରହିଛି। ସକାଳୁ ପାଗ ମେଘୁଆ ରହିବା ସହ ଲଗାଣ ବର୍ଷା ଜାରି ରହିଛି। ଏହାରି ଭିତରେ ସମୁଦ୍ର ବି ନିଜର ଅଶାନ୍ତ ରୂପ ଦେଖାଇଛି। ସମୁଦ୍ର ଜୁଆର ବହୁ ଆଗକୁ ମାଡ଼ି ଆସି ବେଳାମାର୍ଗକୁ ଧୋଇନେବା ସାଧାରଣରେ ଆଶଙ୍କା ସୃଷ୍ଟି କରିଛି। ସମୁଦ୍ର ଜଳର ଜୁଆରିଆ ରୂପ ଯେଉଁଭଳି ଜାରି ରହିଛି, ଏହା ଆହୁରି ଅଶାନ୍ତ ରହିବା ସହ ଆହୁରି ଆଗକୁ ମାଡ଼ି ଆସି ବେଳାମାର୍ଗକୁ ଧୋଇ ନେବା ଆଶଙ୍କା ଦେଖାଦେଇଛି। ଆଜି ଅଶାନ୍ତ ସମୁଦ୍ରର ଜୁଆର ସ୍ବର୍ଗଦ୍ବାର ବହୁ ନିକଟରେ ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ମଙ୍ଗଳା ମୁହାଣ ନିକଟରେ ବି ଏହା ବହୁ ଆଗକୁ ମାଡ଼ି ଆସିଥିବା ଦେଖିବାକୁ ମିଳିଛି। ମଙ୍ଗଳା ମୁହାଣଠାରେ ଏହା ଅଧିକ ଆଗକୁ ମାଡ଼ି ଆସିବା ସହ ବେଳାମାର୍ଗକୁ ସେହି ଅନୁସାରେ ଧୋଇ ନେଇଛି। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଏହାକୁ ଗୁରୁତ୍ବ ଦେଇନାହାନ୍ତି। ସମୁଦ୍ର ସବୁବେଳେ ଅଶାନ୍ତ ହୋଇ ଏଭଳି ବେଳାଭୂମିକୁ ଧୋଇ ନେଇଯାଏ। ପୁଣି କିଛିଦିନ ଭିତରେ ଧୋଇ ଯାଇଥିବା ବେଳାଭୂମି ଭରିଯାଏ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର