ରାଉରକେଲା: ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ରାଉରକେଲାକୁ ଥରହର କରିଦେଇଛି। ଶନିବାର ବିଳମ୍ବିତ ରାତିରେ ରଘୁନାଥପାଲି ଥାନା ଅଧୀନ ଏସ୍ଟିଆଇ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଜଗପତିପାଲି ବସ୍ତିର ଅମ୍ରିତ ମହାକୁଡ଼ (୪୨)ଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର କିଛି ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତ ଗଜପତିପାଲି ବସ୍ତିର ବିକାଶ ଗୋଚ୍ଛାୟତ (୨୪)କୁ ଗିରଫ କରିବା ସହ ତା’ଠାରୁ ଗୋଟିଏ ଛୁରି ଓ ରକ୍ତଛିଟା ଲାଗିଥିବା ପୋଷାକ ଜବତ କରିଛି।
ପୁଲିସ ସୂଚନାନୁଯାୟୀ, ବିକାଶ ଗୋଚ୍ଛାୟତ ଓ ଅମ୍ରିତ ମହାକୁଡ଼ ଗୋଟିଏ ବସ୍ତିରେ ରହନ୍ତି। ପୂର୍ବରୁ ଉଭୟ ପରସ୍ପର ସହ ବେଶ ଜଣାଶୁଣା ଥିଲେ। ଗତକାଲି ଏସ୍ଟିଆଇରେ ଅଷ୍ଟପ୍ରହରୀ ଥିଲା। ସେଠାରେ ଦୁହେଁ ଖିଆପିଆ କରିଥିଲେ। ଭୋଜି ଖିଆ ସରିବା ପରେ କୌଣସି କଥାକୁ ନେଇ ଅମ୍ରିତ ଓ ବିକାଶଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟଙ୍କ ମଧ୍ୟରେ କିଛି ସମୟ ଝଗଡ଼ା ହେବା ପରେ ବିକାଶ ଘରକୁ ଚାଲିଯାଇଥିଲେ ଏବଂ ଅମ୍ରିତ ଏସ୍ଟିଆଇ ରେଳଧାରଣା ନିକଟରେ ବସିଥିଲେ। ପ୍ରାୟ ଘଣ୍ଟାଏ ପରେ ବିକାଶ ଘରୁ ଏକ ଛୁରି ଆଣି ଅତର୍କିତ ଭାବେ ଅମ୍ରିତଙ୍କ ବେକ କାଟି ଦେଇଥିଲା। ରବିବାର ସକାଳେ ଖବର ପାଇ ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ପାନପୋଷ ଏସ୍ଡିପିଓ ଅମ୍ବିତ ମହାନ୍ତିଙ୍କ ନେତୃତ୍ବରେ ଅଭିଯୁକ୍ତକୁ ବସ୍ତିରୁ କାବୁ କରିଥିଲା। ଅମ୍ରିତ ଶନିବାର ଦରମା ପାଇଥିଲେ ଓ ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏ ଦିଗରେ ମଧ୍ୟ ପୁଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଷ୍ଟିଲ୍ ସିଟି ରାଉରକେଲାରେ ୪ ଦିନରେ ୪ଟି ମୁଣ୍ଡ ଗଡ଼ିଲାଣି। ସବୁ ହତ୍ୟାକାଣ୍ଡ ଅତ୍ୟନ୍ତ ଲୋମହର୍ଷକ। ୯ ତାରିଖ ରାତିରେ ଛେଣ୍ଡ ଭିଏସ୍ଏସ୍ ମାର୍କେଟ୍ରେ ଜଣେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା କରାଯାଇଥିବାବେଳେ ବିଳମ୍ବିତ ରାତିରେ ଗାନ୍ଧୀ ରୋଡ୍ରେ ପୂର୍ବ ଶତ୍ରୁତାରୁ ସାଙ୍ଗର ଗଳାକାଟି ସାଙ୍ଗ ହତ୍ୟା କରିଥିଲା। ଏହାର ଠିକ ଗୋଟିଏ ଦିନ ବ୍ୟବଧାନରେ ଅର୍ଥାତ୍ ୧୧ ତାରିଖରେ ଉଦିତନଗର ଥାନା ଅଧୀନ ମାଲଗୋଦାମ ଅଞ୍ଚଳରେ ୨ ପଡ଼ୋଶୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଜଣେ ଯୁବକ ଅନ୍ୟଜଣଙ୍କୁ ପେଚ୍କସ୍ ଭୁସି ହତ୍ୟା କରିଥିଲା। ଏହି ୩ଟି ଘଟଣା ସହରବାସୀଙ୍କ ମନରୁ ନ ଲିଭୁଣୁ ଶନିବାର ଏସ୍ଟିଆଇ ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ଆଇନଶୃଙ୍ଖଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହରରେ ଲାଗଲାଗ ଏଭଳି ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/14/edIpspdvj9rmjdceuRyV.jpg)