ଫୁଲବାଣୀ : ଚଳିତ ବର୍ଷ ଅନୁକୁଳ ପାଣିପାଗ କାରଣରୁ କନ୍ଧମାଳରେ ହଳଦୀ ଚାଷ ଫସଲ ଭଲ ହୋଇଛି ଏବଂ ଅମଳ ମଧ୍ୟ ବମ୍ଫର ହେବ ବୋଲି ଚାଷୀ ଆଶା ରଖିଛି। କେତେକ ସ୍ଥାନରେ ହଳଦୀ ଅମଳ ଶେଷ ହୋଇଯାଇଥିବା ବେଳେ ଆଉ କେତେକ ସ୍ଥାନରେ ଅମଳ ଜାରି ରହିଛି। ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ, ଚଳିତ କୃଷିବର୍ଷ ୨୦୨୧-୨୨ରେ କନ୍ଧମାଳରେ ମୋଟ ୧୩,୩୪୭ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଛି। ଏହାବ୍ୟତୀତ ଆଉ କେତେକ ସ୍ଥାନରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଳ୍ପ ପରିମାଣରେ ହଳଦୀ ଚାଷ କରିଛନ୍ତି ଯାହା କି ପ୍ରଶାସନର ତଥ୍ୟରେ ଉଲ୍ଲେଖ ନାହିଁ। ଜିଲ୍ଲାର ଦାରିଙ୍ଗବାଡ଼ି, କ.ନୂଆଗାଁ, ରାଇକିଆ, ଘୁ.ଉଦୟଗିରି ଏବଂ ଫିରିଙ୍ଗିଆ ଆଦି ୫ଟି ବ୍ଲକ୍‌ରେ ଜିଲ୍ଲାର ମୋଟ ହଳଦୀ ଚାଷର ୯୫ ପ୍ରତିଶତ ହେଉଥିବା ବେଳେ ବାକି ୭ଟି ବ୍ଲକରେ ମାତ୍ର ୫ ପ୍ରତିଶତ ହଳଦୀ ଚାଷ ହୋଇଥାଏ। ତେବେ ଚଳିତବର୍ଷ ଦାରିଙ୍ଗବାଡ଼ି, କ.ନୂଆଗାଁ, ରାଇକିଆ, ଘୁ.ଉଦୟଗିରି ଏବଂ ଫିରିଙ୍ଗିଆରେ ହଳଦୀର ବମ୍ଫର ଉତ୍ପାଦନ ହୋଇଛି।

Advertisment

ସାଧାରଣତଃ, ଜିଲ୍ଲାର ହଳଦୀ ଚାଷୀମାନେ ପ୍ରତିବର୍ଷ ଅମଳ ସମୟରେ ହଳଦୀର 'ମା ମୁଣ୍ଡା' (ବିହନ) ସଂଗ୍ରହ କରି ରଖି ଫିଙ୍ଗରକୁ ବିକ୍ରି କରିଥାନ୍ତି। ଚଳିତବର୍ଷ ଅଧିକ ଉତ୍ପାଦନ ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଦାରିଙ୍ଗବାଡ଼ି ବ୍ଲକର କୁମ୍ଭାରମୁଣ୍ଡା ଗ୍ରାମର ଆଦିବାସୀ ଚାଷୀ ସୁରେଶ୍ବର ପ୍ରଧାନ ୧୫ ଏକର ଜମିରେ ହଳଦୀ ଚାଷ କରିଛନ୍ତି। ସୁରେଶ୍ବର ପାଖାପାଖି ୩୦ କ୍ବିଣ୍ଟାଲ ହଳଦୀ ଅମଳ କରିବେ। ତେବେ ପ୍ରଶ୍ନ ଉଠୁଛି, ତାଙ୍କଠାରୁ ଏତେ ପରିମାଣର ହଳଦୀ କିଏ କିଣିବ? କେବଳ ସୁରେଶ୍ବର କାହିଁକି ଦାରିଙ୍ଗବାଡ଼ି ବ୍ଲକର କେର୍କେବାଡ଼ି ଗ୍ରାମର ଆଦିବାସୀ ଚାଷୀ ସୁବାସ ପ୍ରଧାନ ମଧ୍ୟ ୫ ଏକର ଜମିରେ ହଳଦୀ ଚାଷ କରିଛନ୍ତି। କ.ନୂଆଗାଁ ବ୍ଲକର ଚାଞ୍ଚୋଡ଼ି ଗ୍ରାମର ମନ୍ଦାର ପ୍ରଧାନ ୬ ଏକର ଜମିରେ ହଳଦୀ ଚାଷ କରିଥିବାବେଳେ ରାଇକିଆ ବ୍ଲକର ମଣ୍ଡାକିଆ ଗ୍ରାମର କ୍ରିସସ୍ତନ ପ୍ରଧାନ ୩ ଏକର ଜମିରେ ହଳଦୀ ଚାଷ କରିଛନ୍ତି। ଏ ସମସ୍ତ ଚାଷୀଙ୍କର ଚଳିତବର୍ଷ ଭଲ ହଳଦୀ ଅମଳ ହୋଇଛି। ତେବେ ଏମାନଙ୍କଠାରୁ ହଳଦୀ କିଏ କ୍ରୟ କରିବ, ତାହା ‌ଏବେ ପ୍ରଶ୍ନବାଚୀ ପାଲଟିଛି। ଯଦିଓ 'କସମ' (କନ୍ଧମାଳ ଆପେକ୍ସ ସ୍ପାଇସ ଆସୋସିଏସନ ଫର୍‌ ମାର୍କେଟିଂ) ଏହି ଚାଷୀଙ୍କଠାରୁ ହଳଦୀ କିଣିଥାଏ, ତାହା ସମୁଦ୍ରକୁ ଶଙ୍ଖେ ଭଳି।

କନ୍ଧମାଳରେ ହଳଦୀ ପ୍ରଚୁଳ ଅମଳ ହୋଇଥିବାରୁ ବର୍ତ୍ତମାନ ଜିଲ୍ଲାର ଗ୍ରାମାଞ୍ଚଳରେ ମାଳମାଳ ଆନ୍ଧ୍ରର ବେପାରୀମାନେ ବସ୍ତା ଧରି ବୁଲୁଛନ୍ତି ଏବଂ କମ୍‌ ଦରରେ ଚାଷୀଙ୍କଠାରୁ କିଣି ନେଉଛନ୍ତି ବୋଲି କହିଛନ୍ତି ହଳଦୀ ଚାଷୀ ସୁରେଶ୍ବର ପ୍ରଧାନ। ଅନ୍ୟପଟେ, 'କସମ' ଚଳିତବର୍ଷ କନ୍ଧମାଳ ଜିଲ୍ଲାର ଚାଷୀଙ୍କଠାରୁ ୧୫୦୦ ମେଟ୍ରିକ୍‌ ଟନ୍‌ ହଳଦୀ କିଣିବ ବୋଲି 'କସମ'ର ସମ୍ପାଦକ ସଞ୍ଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଯଦିଓ ସରକାର ହଳଦୀର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିନାହାନ୍ତି, ତଥାପି ଜିଲ୍ଲା ପ୍ରଶାସନ ଏକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ଏମ୍‌ଏସ୍‌ପି ଅନୁଯାୟୀ, କଞ୍ଚାହଳଦୀ କିଲୋ ପିଛା ୨୦ ଟଙ୍କା ୫୦ ପଇସାରେ ବିକ୍ରି ହେଉଥିବାବେଳେ ଶୁଖିଲା ହଳଦୀ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। ହଳଦୀଗୁଣ୍ଡ କିଲୋ ପ୍ରତି ୯୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଆନ୍ଧ୍ରର ବେପାରୀମାନେ କନ୍ଧମାଳ ଜିଲ୍ଲା ପ୍ରଶାସନ ସ୍ଥିର କରିଥିବା ଦରଠାରୁ ବହୁ କମ୍‌ ଦରରେ ଚାଷୀଙ୍କଠାରୁ ହଳଦୀ କିଣି ନେଇ ଯାଉଛନ୍ତି। ଏହା ଫଳରେ ବହୁ ଅର୍ଥ ବିନିମୟ କରି ଚାଷ କରିଥିବା ହଳଦୀଚାଷୀ ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।