ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଏବେ ହଳଦୀ ଅମଳ ଋତୁ। ଚଳିତବର୍ଷ ଅନୁକୂଳ ପାଣିପାଗ କାରଣରୁ ଜିଲ୍ଲାରେ ହଳଦୀ ଫସଲ ବେଶ୍‌ ଭଲ ହୋଇଛି ଏବଂ ଅମଳ ମଧ୍ୟ ବମ୍ପର୍‌ ହୋଇଛି। କେତେକ ସ୍ଥାନରେ ହଳଦୀ ଅମଳ ଶେଷ ହୋଇଯାଇଥିବା ବେଳେ ଆଉ କେତେକ ସ୍ଥାନରେ ଅମଳ ଜାରି ରହିଛି। ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ, ଚଳିତ କୃଷିବର୍ଷ ୨୦୨୪-୨୫ରେ କନ୍ଧମାଳ ଜିଲ୍ଲାରେ ମୋଟ ୧୪ହଜାର ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଛି। ଏହାବ୍ୟତୀତ ଆଉ କେତେକ ସ୍ଥାନରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଳ୍ପ ପରିମାଣ ଜମିରେ ହଳଦୀ ଚାଷ କରିଛନ୍ତି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, କ.ନୂଆଗାଁ, ରାଇକିଆ, ଘୁ.ଉଦୟଗିରି ଏବଂ ଫିରିଙ୍ଗିଆ ଆଦି ୫ଟି ବ୍ଲକ୍‌ରେ ଜିଲ୍ଲାର ମୋଟ ହଳଦୀ ଚାଷର ୯୫ ପ୍ରତିଶତ ହେଉଥିବା ବେଳେ ବାକି ୭ଟି ବ୍ଲକ୍‌ରେ ମାତ୍ର ୫ ପ୍ରତିଶତ ହଳଦୀ ଚାଷ ହୋଇଥାଏ। ତେବେ ଚଳିତବର୍ଷ ଦାରିଙ୍ଗବାଡ଼ି, କ.ନୂଆଗାଁ, ରାଇକିଆ, ଘୁ.ଉଦୟଗିରି ଏବଂ ଫିରିଙ୍ଗିଆରେ ହଳଦୀର ବମ୍ପର ଉତ୍ପାଦନ ହୋଇଛି। 

Advertisment

ସାଧାରଣତଃ, ପ୍ରତିବର୍ଷ ଏପ୍ରିଲ-ମେ ମାସ ବେଳକୁ ହଳଦୀ ଲଗାଯାଇଥାଏ ଏବଂ ଜାନୁଆରିରୁ ଫେବ୍ରୁଆରି ମଧ୍ୟରେ ଅମଳ ହୋଇଥାଏ। କନ୍ଧମାଳ ଜିଲ୍ଲାର ହଳଦୀ ଚାଷୀମାନେ ପ୍ରତିବର୍ଷ ଅମଳ ସମୟରେ ହଳଦୀର ‘ମା ମୁଣ୍ଡା’ (ବିହନ) ସଂଗ୍ରହ କରି ରଖି ଫିଙ୍ଗର୍‌କୁ ବିକ୍ରି କରିଥାନ୍ତି। ଚଳିତବର୍ଷ ଅଧିକ ଉତ୍ପାଦନ ଯୋଗୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା କହିଛନ୍ତି। ଚାଷୀଙ୍କଠାରୁ ହଳଦୀ କିଏ କିଣିବ, ତାହା ‌ଏବେ ପ୍ରଶ୍ନବାଚୀ ପାଲଟିଛି। ଯଦିଓ ‘କସମ’ (କନ୍ଧମାଳ ଆପେକ୍ସ ସ୍ପାଇସ୍‌ ଆସୋସିଏସନ୍‌ ଫର୍‌ ମାର୍କେଟିଂ) ଏହି ଚାଷୀଙ୍କଠାରୁ ଅଳ୍ପ କିଛି ମାତ୍ରାରେ ହଳଦୀ କିଣିଥାଏ, ତାହା ସମୁଦ୍ରକୁ ଶଙ୍ଖେ। କନ୍ଧମାଳରେ ହଳଦୀ ପ୍ରଚୁର ପରିମାଣରେ ଅମଳ ହୋଇଥିବାରୁ ବର୍ତ୍ତମାନ ଜିଲ୍ଲାର ଗ୍ରାମାଞ୍ଚଳରେ ମାଳମାଳ ଆନ୍ଧ୍ର ବେପାରୀ ଅଖା ବସ୍ତା ଧରି ବୁଲୁଛନ୍ତି ଏବଂ କମ୍‌ ଦରରେ ଚାଷୀଙ୍କଠାରୁ କିଣି ନେଉଛନ୍ତି ବୋଲି କହିଛନ୍ତି ହଳଦୀ ଚାଷୀ ସୁରେଶ୍ବର ପ୍ରଧାନ। 

ଅନ୍ୟପଟେ, ‘କସମ’ ଚଳିତବର୍ଷ କନ୍ଧମାଳ ଜିଲ୍ଲାର ଚାଷୀଙ୍କଠାରୁ ଏକହଜାର ମେଟ୍ରିକ୍‌ ଟନ୍‌ ହଳଦୀ କିଣିବ ବୋଲି ଏହାର ସମ୍ପାଦକ ସଞ୍ଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଯଦିଓ ସରକାର ହଳଦୀର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିନାହାନ୍ତି, ତଥାପି କନ୍ଧମାଳ ଜିଲ୍ଲା ପ୍ରଶାସନ ଏକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ଏମ୍‌ଏସ୍‌ପି ଅନୁଯାୟୀ, କଞ୍ଚା ହଳଦୀ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଶୁଖିଲା ହଳଦୀ କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି। ହଳଦୀଗୁଣ୍ଡ କିଲୋ ପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଆନ୍ଧ୍ରର ବେପାରୀମାନେ କନ୍ଧମାଳ ଜିଲ୍ଲା ପ୍ରଶାସନ ସ୍ଥିର କରିଥିବା ଦରଠାରୁ ବହୁ କମ୍‌ ଦରରେ ଚାଷୀଙ୍କଠାରୁ ହଳଦୀ କିଣି ନେଇ ଯାଉଛନ୍ତି। ଏହା ଫଳରେ ପରିଶ୍ରମ ଓ ଅର୍ଥ ବିନିମୟରେ ଚାଷ କରି ଚାଷୀ ନିଜ ଉତ୍ପାଦିତ ହଳଦୀର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପ‌ଟେ, କେବଳ ‘କସମ’କୁ ଛାଡ଼ିଦେଲେ କନ୍ଧମାଳ ଜିଲ୍ଲାରେ ଅନ୍ୟ କୌଣସି ହଳଦୀ ପ୍ରକ୍ରିୟାକରଣ ୟୁନିଟ୍‌ ନାହିଁ କିମ୍ବା ଏହାର ମୂଲ୍ୟଯୁକ୍ତ ନେଇ କୌଣସି କାର୍ଯ୍ୟକ୍ରମ ନାହିଁ। କନ୍ଧମାଳରେ ଏକ ମସଲା ପାର୍କ ପ୍ରତିଷ୍ଠା ହେବାକୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ମାତ୍ର ପ୍ରସ୍ତାବିତ ମସଲା ପାର୍କର ରୂପରେଖ ଏଯାଏ ସ୍ଥିର ହୋଇପାରିନାହିଁ।