ଉତ୍କଳ ଦିବସରେ ଚାଷୀଙ୍କ ପାଇଁ ଖୁସି ଖବର: କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ମାନ୍ୟତା

ଫୁଲବାଣୀ (ବଟକୃଷ୍ଣ ବିହାରୀ): ଉତ୍କଳ ଦିବସରେ ସୋମବାର କନ୍ଧମାଳର ଚାଷୀଙ୍କୁ ପାଇଁ ଖୁସି ଖବର ଆସିଛି। କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ମିଳିଛି। ଏହି ମାନ୍ୟତା ପାଇଁ ଗତବର୍ଷ ଜାନୁଆରରେ ଏ ନେଇ କନ୍ଧମାଳ ଆପେକ୍ସ ସ୍ପାଇସେସ୍‌ ଫର ମାର୍କେଟିଂ ପକ୍ଷରୁ ଆବେଦନ ହୋଇଥିଲା। ଆଜି ଜିଆଇ ମାନ୍ୟତା ଘୋଷଣା ପରେ ଏହାକୁ ନେଇ ଚାଷୀ କାହିଁକି ସମଗ୍ର କନ୍ଧମାଳବାସୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି।

ଜିଆଇ ମାନ୍ୟତା ମିଳିବା ଫଳରେ କନ୍ଧମାଳରେ ହଳଦୀ ଉତ୍ପାଦନ ବୃଦ୍ଧି ପାଇବ। ଚାଷୀ ବିକ୍ରି କରି ଉଚିତ ମୂଲ୍ୟ ପାଇବା ସହ ଲାଭବାନ ହେବେ। ଏଥି ସହ କନ୍ଧମାଳର ହଳଦୀ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବା ସହ ଜିଲ୍ଲାର ଅର୍ଥନେତିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଜିଲ୍ଲାରେ ସମୁଦାୟ ୧୨ଶହ ଚାଷୀ ହଳଦୀ ଚାଷ କରିଥାନ୍ତି। ପୂର୍ବରୁ ପାଖାପାଖି ୧୪ ହଜାର ହେକ୍ଟର ଜମିରେ ହଳଦୀ ଚାଷ କରାଯାଉଥିଲା। ହେଲେ ପ୍ରୋତ୍ସାହନ ଅଭାବ ସାଙ୍ଗକୁ ଅଭାବୀ ବିକ୍ରି ପାଇଁ ବର୍ଷକୁ ବର୍ଷକୁ ହଳଦୀ ଚାଷ କମିବାରେ ଲାଗିଛି।

ହଳଦୀ ଚାଷୀ ନିଶ୍ଚୟ ଲାଭବାନ ହେବେ: ଉଦ୍ୟାନ କୃଷି ଉପନିର୍ଦ୍ଦେଶକ

ଜିଆଇ ମାନ୍ୟତା ଯୋଗୁ କନ୍ଧମାଳର ହଳଦୀ ଚାଷୀ ନିଶ୍ଚୟ ଲାଭବାନ ହେବେ ବୋଲି କନ୍ଧମାଳ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ଦାସ କହିଥିବା ବେଳେ ଆଗକୁ କନ୍ଧମାଳ ଅଧିକ ହଳଦୀ ଚାଷ ହେବ। ଏହା ଦ୍ଵାରା ବିମୁଖ ଥିବା ଚାଷୀ ପୁଣି ହଳଦୀ ଚାଷକୁ ଆପଣାଇବେ ବୋଲି କସମର ସମ୍ପାଦକ ସଂଜୀତ କୁମାର ପଟ୍ଟନାୟକ କହିଛନ୍ତି। ଜିଆଇ ମାନ୍ୟତା ମିଳିବାକୁ ଦାବି ହୋଇ ଆସୁଥିଲା, ଏବେ ମିଳିଲା ଜିଆଇ ମାନ୍ୟତା। ଦେଖା ଯାଉ କନ୍ଧମାଳର ହଳଦୀ ଚାଷୀ କେତେ ଲାଭବାନ ହେଉଛନ୍ତି। ଆଉ କେତେ ଉତ୍ପାଦନ ବୃଦ୍ଧି ପାଉଛି ଏବଂ କନ୍ଧମାଳର ଅର୍ଥନେତିକ ବିକାଶରେ ଏହା କେତେ ସହାୟକ ହେଉଛି।

ଯଦିଓ ଗତବର୍ଷଠାରୁ ଜିଲ୍ଲା ପ୍ରଶାସନ ଧାନ ଭଳି ହଳଦିରେ ଅନଲାଇନ ପେମେଣ୍ଟ ବ୍ୟବସ୍ଥା କରିଛନ୍ତି ତା ସତ୍ତ୍ୱେ ହଳଦୀ ଚାଷ ଅଧିକ କରିବାକୁ ଆଉ କେହି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ୨୦୧୪-୧୫ ରେ ଜିଲ୍ଲାରେ ୧୩ହଜାର ୭୫୬ ହେକ୍ଟର ଜମିରେ ହଳଦୀ ଚାଷ ହୋଇଥିବା ବେଳେ ୧ ଲକ୍ଷ ୩୧ହଜାର ୫୦୭ ମେଟ୍ରିକ ଟନ କଞ୍ଚା ହଳଦୀ ଉତ୍ପାଦନ ହୋଇଥିଲା। ୨୦୧୫-୧୬ରେ ୧୩ହଜାର ୩୦୨ ହେକ୍ଟର ଜମିରେ ହଳଦୀ ଚାଷ ହୋଇଥିଲା। ସେହିବର୍ଷ ୧ ଲକ୍ଷ ୧୬ହଜାର ୭୧୮ ମେଟ୍ରିକ ଟନ୍‌ କଞ୍ଚା ହଳଦୀ ଉତ୍ପାଦନ ହୋଇଥିଲା।

୨୦୧୬-୧୭ରେ କ୍ରମଶଃ କମି ୧୨ହଜାର ୭୧୪ ହେକ୍ଟର ଜମିରେ ହଳଦୀ ଚାଷ ହୋଇଥିବା ବେଳେ ୧ ଲକ୍ଷ ୧୮ହଜାର ୮୪୩ ମେଟ୍ରିକ ଟନ୍‌ କଞ୍ଚା ହଳଦୀ ଉତ୍ପାଦନ ହୋଇଥିଲା। ୨୦୧୭-୧୮ରେ ୧୩ହଜାର ୩୦୦ ହେକ୍ଟର ଜମିରେ ହଳଦୀ ଚାଷ ହୋଇଛି। ଏଥିରୁ ୧ ଲକ୍ଷ ୨୫ହଜାର ମେଟ୍ରିକ ଟନ୍‌ କଞ୍ଚା ହଳଦୀ ଉତ୍ପାଦନ ହୋଇଛି। ୨୦୧୮-୧୯ରେ ୧୩ହଜାର ୯୦୦ ହେକ୍ଟର ଜମିରେ ହଳଦୀ ଚାଷ ହେବ ଏଥିରୁ ୧ ଲକ୍ଷ ୩୦ ହଜାର ମେଟ୍ରିକ ଟନ କଞ୍ଚା ହଳଦୀ ଉତ୍ପାଦନ ଲକ୍ଷ୍ୟ ରହିଛି ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଇଛି।


ହଳଦୀକୁ ଜିଆଇ ମାନ୍ୟତା ମିଳିବା ପରେ ନିଶ୍ଚୟ ଆମ୍ଭ ମାନଙ୍କର ଲାଗି ରହିଥିବା ଅଭାବ ବିକ୍ରି ଦୁର ହେବ। ଏଣିକି ଆମେ ଉଚିତ ମୂଲ୍ୟ ପାଇବୁ ବୋଲି କହନ୍ତି ଦାରିଙ୍ଗବାଡି ଅଞ୍ଚଳର ହଳଦୀ ଚାଷୀ ନିରଜ ପ୍ରଧାନ, ଅଙ୍ଗଦ ମଲିକ ଓ ମହିଳା ଚାଷୀ ରେବତୀ ପ୍ରଧାନ। ଜିଆଇ ମାନ୍ୟତା ମିଳିଲା ନିଶ୍ଚୟ ଖୁସି ଖବର। ହେଲେ ହଳଦୀ ଚାଷକୁ ଅଧିକ ପ୍ରୋତ୍ସାହନ ଦେଲେ ଭଲ ହୁଅନ୍ତା। ଅଧିକ ଲୋକ ହଳଦୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କରନ୍ତେ ବୋଲି କହନ୍ତି ରାଇକିଆ ଅଞ୍ଚଳର ଅଗ୍ରଣୀ ଚାଷୀ ଦିବାକର ପ୍ରଧାନ ଓ ନିଳାମ୍ବର କହଁର।

ସମ୍ବନ୍ଧିତ ଖବର