ତଥ୍ୟ ଦେଉନାହିଁ ଏନ୍ଜିଓ, ଅସହାୟ ଅଧିକାରୀ
ଏମିତି ଭୁଞ୍ଜିଆ ଜନଜାତିର ଉନ୍ନତି ଯୋଜନା
ନୂଆପଡ଼ା : କୃଷି ବିଭାଗ ନିମ୍ନମାନର ଅଦା ଯୋଗାଣ ଘଟଣାର ତଦନ୍ତ ଚାଲିଥିବାବେଳେ ହଳଦୀ କିଣାରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ବିଭାଗୀୟ ଅଧିକାରୀ ତଥା ଏକ ଘରୋଇ ସଂସ୍ଥା ଆଉଏଇଇଟି (ଇଣ୍ଟିଗ୍ରେଟେଡ ଏଜେନ୍ସି ଫର୍ମ ଏଜୁକସେନ ଏନଭରମେଣ୍ଟ ଟେକ୍ନୋଲଜି) ସୁନାବେଡ଼ା ଅଭୟାରଣ୍ୟରେ ଚାଷ ପାଇଁ ଆସିଥିବା ହଳଦୀ ବିହନ ଚାଷୀଙ୍କୁ ନଦେଇ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଏନ୍ଜିଓ ଲକ୍ଷ ଲକ୍ଷ ଟଙ୍କାର ବିହନ ଆଣି ସୁନାବେଡ଼ାର ଏକ ସ୍ଥାନରେ ଫିଙ୍ଗିଦେଇଛି। ଏ ନେଇ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଦେବାକୁ ଚାଷୀ ମହଲରେ ଦାବି କରାଯାଇଛି।
/sambad/media/post_attachments/wp-content/uploads/2020/07/tru-300x169.jpg)
ସୂଚନା ଅନୁସାରେ କୋମନା ବ୍ଲକ୍ ସୁନାବେଡ଼ା ଅଭୟାରଣ୍ୟର ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତ ଚକୋଟିଆ ଭୁଞ୍ଜିଆ ଆଦିମ ଜନଜାତିର ଉନ୍ନତି ସକାଶେ ସୁନାବେଡ଼ା, କୋକେଡ଼, ଅଡ଼ାର, ଦେଓସିଲ, କୋଟ୍ରାବେଡ଼ା ଭଳି ଗାଁରେ ହଳଦୀ ଚାଷ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ପ୍ରାଥମିକ ସ୍ତରରେ ପରୀକ୍ଷା ମୂଳକ ଚାଷୀ କରିବା ପାଇଁ ଏହି ଗ୍ରାମଗୁଡ଼ିକୁ ନିଆଯାଇଥିଲା। ଏଥିପାଇଁ ଅଡ଼ାରରେ ୩ ହେକ୍ଟର ପାଇଁ ୨୨୫୦ କେଜି, ଦେଓସିଲରେ ୨ ହେକ୍ଟର ପାଇଁ ୧୫୦୦ କେଜି, କୋଟ୍ରାବେଡ଼ାରେ ୫ ହେକ୍ଟର ପାଇଁ ୩୭୫୦ କେଜି, ସୁନାବେଡ଼ାରେ ୧୦ ହେକ୍ଟର ପାଇଁ ୭୫୦୦ କେଜି, କୋକେଡ଼ରେ ୫ ହେକ୍ଟର ପାଇଁ ୩୭୫୦ କେଜି ବିହନର ଆବଶ୍ୟକତା ରହିଥିବା ସିବିଡିଏ ତରଫରୁ ଲକ୍ଷ୍ୟ ରହିଥିଲା। ଅଭୟାରଣ୍ୟ ଭିତରେ ୨୫ ହେକ୍ଟର ପାଇଁ ୧୮୭.୫୦ କ୍ବିଣ୍ଟାଲ୍ ଆବଶ୍ୟକତା ଥିଲା। ଏଥିପାଇଁ ସବିଡିଏ ଆଇଏଇଇଟି ନାମକ ଏନ୍ଜିଓ ସଂସ୍ଥାକୁ ଠିକା ଭାବେ ଦେଇଥିଲା। ଭୁବନେଶ୍ବର ଆରସିଏମ୍ଏସରୁ ବିହନ ଆଣିବାକୁ ଏହି ଏନ୍ଜିଓକୁ ନିର୍ଦେଶ ରହିଥିଲା। ହେଲେ ବିଭାଗର ନିର୍ଦେଶକୁ ବେଖାତିର କରି ସମ୍ପୃକ୍ତ ଏନ୍ଜିଓ କେସିଙ୍ଗାର ଅନ୍ୟ ଏକ କମ୍ପାନିରୁ ହଳଦୀ ବିହନ ଆଣିଥିଲା। ଏହାକୁ ଚାଷୀଙ୍କୁ ନଦେଇ ସୁନାବେଡ଼ାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ସେହିପରି ବିଭାଗୀୟ ତଥା ଏନ୍ଜିଓ ପାଖରେ ଅଭାୟାରଣ୍ୟରେ କେତେ ଜଣ ଚାଷୀଙ୍କୁ ହଳଦୀ ବିହନ ଦିଆଯାଇଛି ତାହାର ରିପୋର୍ଟ ମଧ୍ୟ ବାରମ୍ବାର ବିଭାଗୀୟୀ ଅଧିକାରୀଙ୍କୁ ମାଗିବାରୁ ମିଳୁନାହିଁ। ସଂପୃକ୍ତ ଏନ୍ଜିଓ କର୍ତ୍ତୃପକ୍ଷଙ୍କୁ ଏନେଇ ପଚାରିବାରୁ ସେ କୌଣସି ଉତ୍ତର ରଖୁନାହାନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ହଳଦୀ ବିହନ ଚାଷୀଙ୍କୁ ନଦେଇ ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରାଯାଇଛି। ଏନେଇ ନୂଆପଡ଼ା ସିବିଡିଏ ଅଧିକାରୀ ବୁଦ୍ଧଦେବ ପଣ୍ଡା କହିଛନ୍ତି, ଏନ୍ଜିଓକୁ କାଗଜପତ୍ର ମଗାଯାଇଛି ଆଜି ପର୍ଯ୍ୟନ୍ତ ସେ କିଛି ତଥ୍ୟ ଦେଇନାହାନ୍ତି ବୋଲି କହିଛନ୍ତି ତଥ୍ୟ ଦେଲା ପରେ ତଦନ୍ତ ଆରମ୍ଭ କରାଯିବ ବୋଲି କହିଛନ୍ତି।