ହଳଦି ଯାହାକୁ ଯେତେ, ବିକିପାରୁନି ଚାଷୀ: ଅଭାବୀ ବିକ୍ରିର ସମ୍ମୁଖୀନ, ଦଲାଲ ସକ୍ରିୟ

କିଲୋ ୬୦ ବଦଳରେ ୩୦ ଟଙ୍କାରେ ଟେକିଦେଲେଣି

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ହଳଦି ଅମଳର ଋତୁ। ଆଉ ଚଳିତ ବର୍ଷ ଜିଲ୍ଲାରେ ଆଶାଠୁ ଅଧିକ ହଳଦି ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ବିଶେଷକରି ଦାରିଙ୍ଗବାଡ଼ି, ଘୁ.ଉଦୟଗିରି, ରାଇକିଆ, କ.ନୂଆଗାଁ ଓ ବାଲିଗୁଡ଼ା ଆଦି ବ୍ଲକ୍‌ରେ ଅଧିକ ଉତ୍ପାଦନ ପାଇଁ ଚାଷୀ ଆଶା ବାନ୍ଧିଛନ୍ତି। ଖାଲି ଏତିକି ନୁହେଁ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୦ ପ୍ରତିଶତ ହଳଦି ଅମଳ ଶେଷ ହୋଇଗଲାଣି। ହେଲେ ଦୁଃଖର କଥା ହେଲା ପ୍ରଚୁର ଉତ୍ପାଦନ ଚାଷୀ ମୁହଁରେ ହସ ଆଣିଛି ସତ। କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ପଡ଼ୁଛି।

ଦାରିଙ୍ଗବାଡ଼ି ବ୍ଲକ୍ ସାନିକ୍ରେତା ପଞ୍ଚାୟତ ଅନ୍ତର୍ଗତ ଡଣ୍ଡିମାହା ଗାଁର ଗୁରୁ ପ୍ରଧାନ, ଜିପୁନା ପ୍ରଧାନ, ଜହନ ପ୍ରଧାନ, ନବରାଜ ପ୍ରଧାନ, ରଜତ ପ୍ରଧାନ, ଗୌର ବିନ୍ଧାଣୀ, ବଣ ପ୍ରଧାନ ଓ ଦାଉ ପ୍ରଧାନଙ୍କ ଭଳି ଅନେକ ହଳଦି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାରଣ ହଳଦି ଖୋଳି ସାରିବା ପରେ ତାହା ବିକ୍ରି ହୋଇପାରୁନି। ସରକାରୀ ସଂସ୍ଥା ‘କସମ୍‌’ ସେମାନଙ୍କଠୁ ହଳଦି କିଣୁ ନଥିବା ଅଭିଯୋଗ କରିଛନ୍ତି। ଫଳରେ ଚାଷୀ ବାଧ୍ୟ ହୋଇ ଦଲାଲଙ୍କ ହାତକୁ ଶାଗମାଛ ଦର‌ରେ ଅମଳ ହଳଦି ଟେକି ଦେଉଛି। ଦଲାଲମାନେ ହଳଦି କିଲୋ ପ୍ରତି ୩୦ ଟଙ୍କାରେ କିଣି ନେଉଥିବା କଥା ଡଣ୍ଡିମାହା ଗାଁର ଚାଷୀ ଗୁରୁ ପ୍ରଧାନ କହିଛନ୍ତି। ସାଧାରଣତଃ ‘କସମ୍‌’ ଅନୁଷ୍ଠାନ କନ୍ଧମାଳ ଜିଲ୍ଲାର ଚାଷୀଙ୍କଠାରୁ କିଲୋ ପ୍ରତି ୬୦ ଟଙ୍କାରେ ହଳଦି କିଣିଥାଏ। ମାତ୍ର, ଡଣ୍ଡିମାହା ଗାଁର ଚାଷୀଙ୍କ ଠାରୁ ହଳଦି କିଣାଯାଉ ନଥିବାରୁ ସେମାନେ ଦଲାଲ ଓ ଅସାଧୁ ବେପାରୀମାନଙ୍କୁ କମ୍ ଟଙ୍କାରେ ବିକ୍ରି କରୁଛନ୍ତି। ଗୁରୁ ପ୍ରଧାନ ଚଳିତ ବର୍ଷ ୨ ଏକର ଜମିରେ ହଳଦି ଚାଷ କରିଥିବା ବେଳେ ଅନ୍ୟ ଚାଷୀମାନେ କିଏ ୪ ଏକର ତ, ଆଉ କିଏ ପାଞ୍ଚ ଏକର ଜମିରେ ଚାଷ କରିଛନ୍ତି। ଗୁରୁଙ୍କ କହିବା ଅନୁଯାୟୀ, ଗୋଟିଏ ଏକର ଜମିରୁ ପ୍ରାୟ ୧୦ କ୍ବିଣ୍ଟାଲ୍ ହଳଦି ଅମଳ ହୋଇଥାଏ। ‌

ସେ ଚଳିତ ବର୍ଷ ପାଖାପାଖି ୨୦ କ୍ବିଣ୍ଟାଲ୍ ହଳଦି ଅମଳ କରିଛନ୍ତି। ମାତ୍ର, ତାହା କେମିତି ବିକ୍ରି ହେବ ସେହି ଚିନ୍ତାରେ ପଡ଼ିଛନ୍ତି। କେବଳ ଗୁରୁ ନୁହନ୍ତି, ଜିଲ୍ଲାର ଶତାଧିକ ହଳଦି ଚାଷୀଙ୍କ ଭାଗ୍ୟ ଏଭଳି ଦୁ୍ର୍ଦ୍ଦିନ ସ୍ଥିତି ଦେଇ ଗତି କରୁଛି। କାରଣ ହଳଦି ତ ଭଲ ଅମଳ ହୋଇଛି। ହେଲେ ବିକ୍ରି କେମିତି ହେବ, ଏହି ଚିନ୍ତା ଘାରିଛି। ୨୦୨୧-୨୨ରେ କନ୍ଧମାଳ ଜିଲ୍ଲାରେ ମୋଟ ୧୩,୩୫୫ ହେକ୍ଟର୍ ଜମିରେ ହଳଦି ଚାଷ ହୋଇଛି। ମାତ୍ର ହଳଦି ବିକ୍ରି ହୋଇ ନ ପାରିବା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତବର୍ଷ କରୋନା ମହାମାରୀର ପ୍ରାଦୁର୍ଭାବ ସାଙ୍ଗକୁ ସଟଡାଉନ୍ ଓ ଲକଡାଉନ୍ ଜିଲ୍ଲାର ପ୍ରାୟ ୫୦ହଜାର ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ତେବେ ଚଳିତ ବର୍ଷ ମଧ୍ୟ ହଳଦି ବିକ୍ରି ହେବାର ସମ୍ଭାବନା କ୍ଷୀଣ ବୋଲି ଚାଷୀ କହିଛନ୍ତି।

ଅପରପକ୍ଷେ, କଞ୍ଚା ହଳଦିର ବଜାର ମଧ୍ୟ ସଙ୍କୁଚିତ ହୋଇଯାଇଛି। ଏବେ ଫୁଲବାଣୀ ବଜାରରେ କଞ୍ଚା ହଳଦି କିଲୋ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ଆଉ ଚଳିତ ବର୍ଷ ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଋଣ କରି ଚାଷ କରିଥିବା ଗରିବ ଚାଷୀମାନେ ବାଧ୍ୟ ହୋଇ କମ୍‌ ଦରରେ ହଳଦି ମହାଜନଙ୍କୁ ବିକ୍ରି କରୁଥିବା ଡଣ୍ଡିମାହାର ଚାଷୀ ଗୁରୁ ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ସରକାରୀ ସଂସ୍ଥା ‘କସମ୍’ ଚାଷୀଙ୍କଠାରୁ କିଲୋ ପ୍ରତି ୬୦ ଟଙ୍କାରେ ହଳଦି କିଣିଥାଏ। ମାତ୍ର, ଏହି ସଂସ୍ଥା ଜିଲ୍ଲାର ସବୁ ଚାଷୀଙ୍କ ଠାରୁ କିଣି ନଥାଏ। ଫଳ‌ରେ ହଳଦି କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି କରାଗଲେ ଚାଷରେ ହୋଇଥିବା ଖର୍ଚ୍ଚ ଉଠିପାରିବ ବୋଲି ଡଣ୍ଡିମାହାର ଚାଷୀ ଜିପୁନା କହଁର କହିଛନ୍ତି। ସରକାର ତୁରନ୍ତ ହଳଦିର ସର୍ବନିମ୍ନ ସହାୟକ ମୂଲ୍ୟ କିଲୋ ପିଛା ୧୦୦ ଟଙ୍କା ନିର୍ଦ୍ଧାରଣ କରିବାକୁ ଚାଷୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର