ଠିକା ସଂସ୍ଥାକୁ ନେଇ ବିଧାନସଭା ହୁଲସ୍ତୁଲ; ଗୃହକାର୍ଯ୍ୟ ବାଧାପ୍ରାପ୍ତ, ବାରମ୍ବାର ମୁଲତବୀ

ଭୁବନେଶ୍ବର : ଠିକା ସଂସ୍ଥା ଏଲ୍ ଆଣ୍ଡ୍ ଟି ନିର୍ମାଣସୌଧରେ ସରକାରଙ୍କ ସମ୍ପତ୍ତି ଜବତ କରିଛି। ଏପରି ଏକ ଅଭାବନୀୟ ଘଟଣାକୁ ନେଇ ସୋମବାର ଦିନ ବିଧାନସଭା ହୁଲସ୍ତୁଲ ହୋଇଛି। ଏହି ପ୍ରସଙ୍ଗ ଉପରେ ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାଚସ୍ପତି ଗ୍ରହଣ କରି ନ ଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସ ତୀବ୍ର ବିରୋଧ କରିଥିଲେ। ଫଳରେ ପୂର୍ବାହ୍ନରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ବିଜେପି ପକ୍ଷରୁ ସୋମବାର ଦିନ ‘ସରକାର ଗଣିବେ ୧୦୦ କୋଟିର ତଣ୍ଡ, କି ବିଚିତ୍ର କଥା କାନ ଶୁଣିଲା, ସରକାରୀ ସମ୍ପତ୍ତିକୁ ଘରୋଇ କମ୍ପାନି ଜବତ କଲା’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ କରି ନଥିଲେ। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ମିଳିତ ଭାବେ ଏହାର ପ୍ରତିବାଦ କରିଥିଲେ। ଉଭୟ ଦଳର ବିଧାୟକମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ନାରାବାଜି କରିଥିଲେ। ସରକାର ଆଲୋଚନାକୁ ଡରୁଛନ୍ତି ବୋଲି ଆରୋପ ଲଗାଇଥିଲେ। ବାଚସ୍ପତି ପ୍ରଶ୍ନକାଳ ଜାରି ରଖିବାକୁ ଆରମ୍ଭ କରିଥିଲେ ବି ବିରୋଧୀ ଦଳଙ୍କ ହୋହଲ୍ଲାରେ ତାହା ସମ୍ଭବ ହୋଇ ନଥିଲା। ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ଯାଏ ମୁଲତବୀ ରଖିଲେ।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି କହିଲେ, ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ ହୋଇଛି। ତେଣୁ ମାମଲାଟି ବିଚାରାଧୀନ ଥିବାରୁ ନିୟମ ଅନୁସାରେ ଏହା ବିଧାନସଭା ଗୃହରେ ଆଲୋଚନାର ପରିସରଭୁକ୍ତ ହେବ ନାହିଁ। ସେଥିପାଇଁ ଏହି ବିଷୟକୁ ଆଲୋଚନା ପାଇଁ ଅଣାଯାଉ ନାହିଁ।

କିନ୍ତୁ ବିରୋଧୀ ସଭ୍ୟମାନେ ବାଚସ୍ପତିଙ୍କ ଏହି ଯୁକ୍ତିକୁ ଗ୍ରହଣ କରି ନଥିଲେ। ବିଜେପିର ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର କହିଲେ, ସରକାର ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ଆଜି ପର୍ଯ୍ୟନ୍ତ ତାହା ବିଚାରଯୋଗ୍ୟ ବୋଲି ଗ୍ରହଣ କରାଯାଇ ନାହିଁ। ତେଣୁ ମାମଲାଟିକୁ ବିଚାରାଧୀନ କହିବା ଠିକ୍ ନୁହେଁ। ବାଚସ୍ପତି ଏହାକୁ ଆଲୋଚନା ପାଇଁ ଗ୍ରହଣ କରନ୍ତୁ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ। ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟିଛି। ସରକାରଙ୍କ ପିଟିସନ୍ ପୂର୍ବରୁ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସରକାର ଏବେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ ଏ ଯାଏ ଗ୍ରହଣ କରିନାହାନ୍ତି। ଏହାର ଅର୍ଥ ନୁହେଁ ମାମଲା ବିଚାରାଧୀନ ଅଛି। ସରକାର ଆଲୋଚନାକୁ ଡରୁଛନ୍ତି।

ମାମଲା ବିଚାରାଧୀନ ଥିବାରୁ ଆଲୋଚନା ହୋଇପାରିବନି: ବାଚସ୍ପତି
କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ ମାନେ ନୁହେଁ ମାମଲା ବିଚାରାଧୀନ: ବିରୋଧୀ

ବରିଷ୍ଠ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ସୁପ୍ରିମକୋର୍ଟ ହୁଏତ ସରକାରଙ୍କ ପିଟିସନ୍‌କୁ ଅଗ୍ରାହ୍ୟ କରିଦେଇପାରନ୍ତି। ତେଣୁ ମାମଲାଟିକୁ ବିଚାରାଧୀନ ବୋଲି କୁହାଯାଇପାରିବ ନାହିଁ। ବରିଷ୍ଠ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ଯଦି ମାମଲା ବିଚାରାଧୀନ ଥିଲା, ତେବେ ଏଲ୍ ଆଣ୍ଡ୍ ଟି କିପରି ସରକାରଙ୍କ ସମ୍ପତ୍ତି ସିଜ୍ କଲା। ସରକାରଙ୍କ ୧୮ଟି କମ୍ପ୍ୟୁଟର କମ୍ପାନି ନେଇଯାଇଛି। ସେଥିରେ ସରକାରଙ୍କ ଗୁପ୍ତ ତଥ୍ୟ ଥାଇପାରେ। ରାଜ୍ୟ ସରକାର କିପରି ଚୁପ୍ ବସିଛନ୍ତି? ଏଲ୍ ଆଣ୍ଡ୍ ଟି କମ୍ପାନିକୁ ସରକାର ସବୁ ବିଭାଗରୁ କାମ ଦେଇଛନ୍ତି। ସେ କମ୍ପାନିକୁ କଳା ତାଲିକାଭୁକ୍ତ କରାନ୍ତୁ। ଯେଉଁ ଅଧିକାରୀ ଏଥି ପାଇଁ ଦାୟୀ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବରିଷ୍ଠ ସଭ୍ୟ ସୁରେଶ ରାଉତରାୟ କହିଥିଲେ, ଏଲ୍ ଆଣ୍ଡ୍ ଟିକୁ ଚଢ଼ା ଦରରେ ସରକାର କାମ ଦେଉଛନ୍ତି। କିନ୍ତୁ ସେହି ସଂସ୍ଥା ସରକାରୀ ଅଫିସ୍‌ରେ ପଶି ଜିନିଷ ନେଇଗଲା। ଏହା ଲଜ୍ଜାଜନକ ଘଟଣା। ଏହା ଉପରେ ବିଧାନସଭାରେ ଆଲୋଚନା ହେବା ଦରକାର।

ଶାସକ ଦଳ ସଭ୍ୟ ଅମର ଶତପଥୀ ଓ ଭୂପିନ୍ଦର ସିଂହ ଯୁକ୍ତି ବାଢ଼ିଥିଲେ, ସରକାର ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିନାହାନ୍ତି। ତେଣୁ ମାମଲାଟି ବିଚାରାଧୀନ ବୋଲି ଧରିବାକୁ ପଡ଼ିବ। ବିଧାନସଭାର ନିୟମ ଅନୁଯାୟୀ ଏହି ପ୍ରସଙ୍ଗରେ ଆଲୋଚନା ସମ୍ଭବ ନୁହେଁ। ବାଚସ୍ପତି ଠିକ୍ ରୁଲିଂ ଦେଇଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ବାଚସ୍ପତିଙ୍କ ରୁଲିଂକୁ ସମସ୍ତେ ମାନିନେବା ଉଚିତ ବୋଲି କହିଥିଲେ। କିନ୍ତୁ ବିରୋଧୀ ଦଳ ତାଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସେମାନେ ଅଡ଼ି ବସିଥିଲେ। ବାଚସ୍ପତି ଯେତେ ଅନୁରୋଧ କରିଥିଲେ ବି ସେମାନେ ଶାନ୍ତ ହୋଇ ନଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ। ୪ଟା ବେଳେ ମଧ୍ୟ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ପୁଣି ହୋହଲ୍ଲା କରିଥିଲେ। ତେବେ ବାଚସ୍ପତି କହିଥିଲେ ଯେ ଏହି ପ୍ରସଙ୍ଗ ଉପରେ ଅଧିକ ଆଇନଗତ ତର୍ଜମାର ଆବଶ୍ୟକତା ରହିଛି। ଆଜି ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ଗୃହରେ ସଂକଳ୍ପ ଆଗତ ହେବ। ତେଣୁ ବିରୋଧୀ ଦଳର ସଭ୍ୟମାନେ ଗୃହ କାର୍ଯ୍ୟ ସହଯୋଗ କରନ୍ତୁ। ଏହା ପରେ ବିଜେପି ସଭ୍ୟମାନେ ନିଜ ନିଜ ଆସନକୁ ଫେରିଥିଲେ ଓ ଗୃହ ସ୍ବାଭାବିକ ଭାବେ ଚାଲିଥିଲା।

ସମ୍ବନ୍ଧିତ ଖବର