‘ବର୍ଜ୍ୟ’କୁ ‘ସମ୍ପଦ’ରେ ରୂପାନ୍ତରିତ କର, ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଲେ ମୁଖ୍ୟ ସଚିବ

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛତମ ସହର ପୁରସ୍କାରକୁ ଜନ ଆନ୍ଦୋଳନରେ ପରିଣତ କରାଯିବ, କିନ୍ନରଙ୍କୁ ଅଣୁ ଖତ କେନ୍ଦ୍ର ପରିଚାଳନା ଦାୟିତ୍ବ ଦେବାକୁ ନିଷ୍ପତ୍ତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛତମ ସହର ପୁରସ୍କାରକୁ ଏକ ଜନ ଆନ୍ଦୋଳନରେ ପରିଣତ କର। ବର୍ଜ୍ୟକୁ ସମ୍ପଦରେ ରୂପାନ୍ତରିତ କରିବା ପାଇଁ ପଦକ୍ଷେପ ନିଅ। ଆଜି ଲୋକସେବା ଭବନରୁ ଭିଡିଓ କନଫରେନ୍‌ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବଚ୍ଛ ସହର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଓ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ‘ଆମ ସହର ପୋର୍ଟାଲ୍‌’, ‘ଆମ ସହର ମୋବାଇଲ୍ ଆପ୍‌’ ଓ ‘ମୋ ସରକାର’ ଜରିଆରେ ମିଳୁଥିବା ନାଗରିକଙ୍କ ମତାମତ ଆଧାରରେ ଏକ ବୈଷୟିକ କମିଟି ଗଠନ କରାଯାଇ ସ୍ବଚ୍ଛ ସହର ମୂଲ୍ୟାଙ୍କନ କରିବାକୁ ବୈଠକରେ ସ୍ଥିର କରାଯାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ସହର ପୁରସ୍କାର ଏକ ଅଭିନବ ନିଷ୍ପତ୍ତି। ଏହାଦ୍ବାରା ସହରାଞ୍ଚଳରେ ସ୍ବଚ୍ଛତା ଓ ପରିମଳ ପ୍ରସଙ୍ଗରେ ଏକ ସକାରାତ୍ମକ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରାଯାଇପାରିବ। ଏ କ୍ଷେତ୍ରରେ ଅଣୁ ଖତ କେନ୍ଦ୍ର ବ୍ୟବସ୍ଥା କଠିନ ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ଏକ ଉତ୍ତମ ବୈଜ୍ଞାନିକ ପଦ୍ଧତି ସାବ୍ୟସ୍ତ ହୋଇଛି। ଏହାଦ୍ବାରା ସହରାଞ୍ଚଳରେ କାର୍ବନ ମାତ୍ରା ହ୍ରାସ ପାଇବା ସହିତ ଡମ୍ପିଂୟାର୍ଡ଼ ସମସ୍ୟାର ସମାଧାନ ହୋଇପାରିବ। ବ୍ୟାପକ ସଚେତନତା, ଅଭ୍ୟାସ ପରିବର୍ତ୍ତନ ମୂଳକ ପ୍ରେରଣା ଓ ଲୋକମାନଙ୍କର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଏହି ପୁରସ୍କାରକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମିସନ ଶକ୍ତି ଏବଂ କିନ୍ନର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ‘ଅଣୁ ଖତ କେନ୍ଦ୍ର’ ଓ ‘ମ୍ୟାଟେରିଆଲ୍‌ ରିକଭରି’ ପଚିଚାଳନା ଦାୟିତ୍ବ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସହରାଞ୍ଚଳରେ ଥିବା କାଗଜ ଓ ଜରି ଗୋଟାଳିମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ମଧ୍ୟ ଏହି କେନ୍ଦ୍ରଗୁଡ଼ିକର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସ୍ଥିର କରାଯାଇଛି। ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ୍‌ ପୁରସ୍କାର ପ୍ରତିଯୋଗିତାରେ ଭାଗନେବା ନିମନ୍ତେ ଆବଶ୍ୟକ ସର୍ତ୍ତାବଳୀ, ମୂଲ୍ୟାଙ୍କନର ମାନ ଓ ମୂଲ୍ୟାଙ୍କନ ପଦ୍ଧତି ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଶ୍ରୀ ମାଥିଭାଥନନ୍‌ କହିଥିଲେ, ଏହି ପୁରସ୍କାର ପ୍ରତି ବର୍ଷ ୩ଟି ବର୍ଗରେ ଦିଆଯିବ। ଅମୃତ ଯୋଜନାରେ ସାମିଲ ୯ଟି ସହର ମଧ୍ୟରୁ ପ୍ରଥମ ଦୁଇଟି, ୪୪ଟି ପୌରାଞ୍ଚଳରୁ ପ୍ରଥମ ୩ଟି ଓ ୬୧ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ପ୍ରଥମ ୩ଟି ସହରାଞ୍ଚଳକୁ ମୁଖ୍ୟମନ୍ତ୍ରୀ ସ୍ବଚ୍ଛତମ ସହର ପୁରସ୍କାର ପ୍ରଦାନ କରାଯିବ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିକୁ ଦେଖି ଏହି ପୁରସ୍କାରର ସର୍ତ୍ତ ମଧ୍ୟ ବଦଳିବ। ଏ ସମ୍ବନ୍ଧରେ ଆଗୁଆ ସହରାଞ୍ଚଳ କର୍ତ୍ତୃପକ୍ଷମାନଙ୍କୁ ବିସ୍ତୃତ ଭାବେ ଜଣାଇ ଦିଆଯିବ। ଚଳିତ ବର୍ଷର ପ୍ରଥମ ୩ ମାସ ପାଇଁ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା’ ଓ ‘ଦୃଶ୍ୟମାନ ପରିମଳ ସ୍ଥିତି’ ଉପରେ ଗୁରୁତ୍ବାରୋପ କରିବାକୁ ସ୍ଥିର କରାଯାଇଛି।

ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ କହିଥିଲେ, ପ୍ରତ୍ୟେକ ମାସରେ ସବୁ ସହରାଞ୍ଚଳ କର୍ତ୍ତୃପକ୍ଷ କଠିନ ବର୍ଜ୍ୟବସ୍ତୁ ପରିଚଳନା ସମ୍ପର୍କିତ ଭିତ୍ତିଭୂମି, ସେବାଯୋଗାଣ, ନାଗରିକ ସନ୍ତୁଷ୍ଟି, କାର୍ଯ୍ୟାନ୍ବୟନ ଦକ୍ଷତା, ଆର୍ଥିକ କାରବାର ଓ ଆନୁଷ୍ଠାନିକ ବ୍ୟବସ୍ଥା ତଥ୍ୟଗୁଡ଼ିକ ୱେବ୍‌ ସାଇଟ୍‌ରେ ଅପଲୋଡ଼ କରିବେ। କମିଟି ଏସବୁ ତଥ୍ୟ ଯାଞ୍ଚ କରି ପୁରସ୍କାର ପାଇଁ ସ୍ବଚ୍ଛ ସହର ଚୟନ କରିବେ। ଏହି କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ କଲ୍ୟାଣ କୁମାର ରଥଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାପାଳ ଓ ୧୧୪ଟି ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର