ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷାରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାସ୍‌ କରିଥିଲେ। ଆଶଙ୍କା କରାଯାଉଥିଲା, ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଏକାଦଶ ଶ୍ରେଣୀରେ ଆବେଦନ କରିଥିବା ସବୁ ପିଲା ସିଟ୍ ପାଇବେ ନା ନାହିଁ? ନାମଲେଖା ଶେଷ ହୋଇ ପାଠପଢ଼ା ଆରମ୍ଭ ହେବା ପରେ ପ୍ରକୃତ ସ୍ଥିତି ପଦାକୁ ଆସିଛି। ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ବେ ରାଜ୍ୟର ୨୧୬୮ କଲେଜ ପାଇଁ ମଞ୍ଜୁର ହୋଇଥିବା ୫ଲକ୍ଷ ୧୦ ହଜାର ୪୧ ସିଟ୍‌ ମଧ୍ୟରୁ ୧ ଲକ୍ଷ ୩୨ ହଜାର ୫୧୩ ସିଟ୍‌ (୨୫.୯୮%) ବଳକା ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଜ୍ଞାନ ବିଭାଗ ସିଟ୍‌ ବୃଦ୍ଧି କରିବାକୁ ରାଜ୍ୟ ସରକାର ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକୁ ହାତ ଖୋଲି ଅନୁମତି ଦେଉଛନ୍ତି। ମାତ୍ର ବିଜ୍ଞାନ ପଢ଼ିବାକୁ ପିଲାଙ୍କ ମଧ୍ୟରେ ଆଗ୍ରହ ଦେଖାଯାଉନି। ୨୦୨୩-୨୪ ଶିକ୍ଷାବର୍ଷରେ ୧ ଲକ୍ଷ ୫୭ହଜାର ୮୦୧ ସିଟ୍‌ ଅନୁମୋଦନ ହୋଇଥିବା ବେଳେ ୧ ଲକ୍ଷ ୩ହଜାର ୩୮୧ ପୂରଣ ହୋଇଛି। ଆହୁରି ୫୪ ହଜାର ୪୨୦ ଅର୍ଥାତ୍‌ ୩୫% ସିଟ୍‌ ଖାଲି ପଡ଼ିଛି। କଳା ବିଭାଗରେ ୨ ଲକ୍ଷ ୮୯ ହଜାର ୬୨୪ ସିଟ୍‌ରୁ ୪୯,୬୭୮, ବାଣିଜ୍ୟରେ ୩୯, ୩୭୬ରୁ ୧୬, ୨୦୪, ସଂସ୍କୃତରେ ୧୨, ୭୩୬ରୁ ୬, ୨୦୧ ଓ ଧନ୍ଦାମୂଳକ ବିଭାଗରେ ୧୦, ୫୦୪ ସିଟ୍‌ରୁ ୬,୦୦୦ ସିଟ୍‌ ବଳକା ରହିଥିବା ସାମ୍‌ସ ପକ୍ଷରୁ ସୂଚନା ମିଳିଛି।

Advertisment

କିସ୍‌ ବ୍ୟତୀତ ଭୁବନେଶ୍ବରରେ ଥିବା କୌଣସି ଗୋଟିଏ ସରକାରୀ କିମ୍ବା ସେଲ୍ଫ ଫାଇନାନ୍ସିଂ କଲେଜର ସିଟ୍‌ ପୂରଣ ହୋଇନାହିଁ। କିସ୍‌ର କଳା ବିଭାଗରେ ଥିବା ୮୬୪, ବିଜ୍ଞାନର ୫୧୨ ଓ ବାଣିଜ୍ୟର ୬୪୦ ସିଟ୍‌ରେ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସହରର ୪ଟି କଲେଜରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଅଙ୍କରେ ରହିଥିବା ବେଳେ ୩ଟିରେ ଜଣେ ବି କେହି ନାମ ଲେଖାଇ ନାହାନ୍ତି। ଏହି ୭ଟି ଯାକ କଲେଜ ସେଲ୍ଫ ଫାଇନାସିଂ ସଂସ୍ଥା। ଭୁବନେଶ୍ବରରେ ଥିବା ୩ଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ରମାଦେବୀ ଓ ରାଜଧାନୀରେ ଥିବା ୪୮ଟି ଲେଖାଏଁ ସିଟ୍‌ରେ ୩୫ଜଣ ଲେଖାଏଁ ନାମ ଲେଖାଇଛନ୍ତି। ମାତ୍ର ବିଜୁ ପଟ୍ଟନାୟକ ଧନ୍ଦାମୂଳକ ବିଦ୍ୟାଳୟରେ ମାତ୍ର ୬ଟି ସିଟ୍ ପୂରଣ ହୋଇଛି।

ଗଣଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ଭୁବନେଶ୍ବର ମହାନଗର ଅଞ୍ଚଳରେ ଥିବା ୬୧ଟି କଲେଜର ୧୭ହଜାର ୮୧୪ ସିଟ୍ ପାଇଁ ନାମଲେଖା ହେଉଥିଲା। ସେଥିରୁ ୧୩ ହଜାର ୩୬୨ଟି ପୂରଣ ହୋଇଥିବା ବେଳେ ୪୪୫୨ଟି ବଳକା ରହିଛି। କଳା ବିଭାଗରେ ଥିବା ୫୨୯୪ ସିଟ୍ ମଧ୍ୟରୁ ୪୮୨୬ ପୂରଣ ହୋଇଛି। ୪୬୬ ସିଟ୍ ବଳକା ରହିଛି। ବିଜ୍ଞାନରେ ୧୦ ହଜାର ୮୮ ସିଟ୍ ମଧ୍ୟରୁ ୬୫୯୦ ପୂରଣ ହୋଇଥିବା ବେଳେ ୩୪୯୮ଟି ଖାଲି ପଡ଼ିଛି। ବାଣିଜ୍ୟରେ ମଧ୍ୟ ୨୪୩୨ ସିଟ୍ ମଧ୍ୟରୁ ୧୯୪୪ପୂରଣ ଓ ୪୮୮ଟି ଖାଲି ପଡ଼ିଛି। ଅର୍ଥାତ୍‌ ତିନୋଟି ବିଷୟରେ କେବଳ ଭୁବନେଶ୍ବରରେ ୨୫% ସିଟ୍‌ ବଳକା ରହିଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ଥିବା କଲେଜ ଅବସ୍ଥା କିଭଳି ଥିବ ସ୍ପଷ୍ଟ ଅନୁମେୟ। ବିଜେବି ସମେତ ସହରରେ ଥିବା ନାମକରା କଲେଜରେ ଛାତ୍ରଛାତ୍ରୀଙ୍କ ନାମଲେଖା ହାର ଭଲ ରହିଛି। ଛୋଟ କଲେଜରେ କଳା ବ୍ୟତୀତ ଅନ୍ୟ କେଉଁଥିରେ ସେତେଟା ଉତ୍ସାହ ଦେଖିବାକୁ ମିଳିନାହିଁ। ହାତଗଣତି ସେଲ୍ଫ ଫାଇନାନ୍ସିଂ କଲେଜ ପ୍ରତି ପିଲାଙ୍କ ଆଗ୍ରହ ନଜରକୁ ଆସିଛି। ବିଜ୍ଞାନ ପାଇଁ ପ୍ରସିଦ୍ଧ ଥିବା ବେସିକ୍ ସାଇନ୍ସ କଲେଜରେ ଅନୁମୋଦିତ ହୋଇଥିବା ୩୮୪ ସିଟ୍ ମଧ୍ୟରୁ ମାତ୍ର ୬୬ଟି ବଳକା ରହିଛି। ବିଜେବିରେ କଳା ବିଭାଗର ୫୧୨ ସିଟ୍ ମଧ୍ୟରୁ ୧୨ଟି ଖାଲିଥିବା ବେଳେ ବିଜ୍ଞାନରେ ୫୪୪ରୁ ୧୯ ଏବଂ ବାଣିଜ୍ୟରେ ୩୮୪ ସିଟ୍‌ରୁ ୬ଟି ଖାଲି ପଡ଼ିଛି।