କୋରାପୁଟ: କୋରାପୁଟ-ଜୟପୁର ଘାଟି ରାସ୍ତାର ମୋଡ ସିଧାହେବ। ଏଥି ପାଇଁ ଗତ ୯ମାସ ହେବ ଅଭିବା କନଷ୍ଟ୍ରକ୍ସନ ୬ କୋଟି ୩୫ ଲକ୍ଷ ଟଙ୍କାରେ ଚୁକ୍ତି କରିଛି। ତେବେ କାମ ଆରମ୍ଭ କରିନି। ତେବେ ଏହାରି ମଧ୍ୟରେ କିଭଳି ଘାଟିର ମୋଡ଼ ଗୁଡିକ ସିଧା‌ ହୋଇ ପାରିବ ସେ ନେଇ  ବୈଷୟିକ ଟିମ୍ ଅନୁଧ୍ୟାନ କରିଛନ୍ତି।

Advertisment

କୋରାପୁଟ-ଜୟପୁର ଘାଟିର ମୋଡ ଯୋଗୁଁ ଦୁର୍ଘଟଣା ବଢିବାରେ ଲାଗିଛି। ଅନେକ ସମୟରେ ଟ୍ରାଫିକ ଜାମ୍ ରହୁଛି। ଘାଟି ଚଢିନପାରି ଅନେକ ଭାରୀଯାନ ରାସ୍ତା ମଝିରେ ଅଟକି ଯାଉଛି। ଘଣ୍ଟାଘଣ୍ଟା ରାସ୍ତା ଅବରୋଧ ହୋଇ ରହୁଛି। ଏସବୁ ସମସ୍ୟା ଦୂର କରିବାକୁ ଯୋଜନା କରିଥିଲା ଏନଏଚ। ଘାଟି ଉପରେ ଥିବା ମନ୍ଦିର ନିକଟରୁ ଏକ ସିଧା ରାସ୍ତା କରିବାକୁ ପରିକଳ୍ପନା କରିଥିଲା। ଏଥିଲାଗି ୬ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟଅଟକଳ କରିଥିଲା। ଟେଣ୍ଡର ପୂର୍ବରୁ ପ୍ରସ୍ତାବିତ ରାସ୍ତା କଡ଼ରେ ଥିବା ବଡ଼ବଡ଼ ଗଛ କଟାଯାଇଥିଲା। ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା। ଟେଣ୍ଡର ପାଇଥିବା ସଂସ୍ଥା ୨୦୨୪ ଫେବ୍ରୁଆରୀ ୨୦ରେ ଜାତୀୟ ରାଜପଥ ବିଭାଗ ସହ ଚୁକ୍ତି କରିଥିଲା।

ଚୁକ୍ତିର ବର୍ଷକ ମଧ୍ୟରେ କାମ ସାରିବାକୁ ଟାର୍ଗେଟ ଦିଆଯାଇଥିଲା। ପରିତାପର ବିଷୟ, ଚୁକ୍ତି ହୋଇ ୯ମାସ ବିତିଯାଇଛି । ଅବଧି ସରିବାକୁ ହାତରେ ଆଉ ମାତ୍ର ୩ ମାସ ରହିଛି। ରାସ୍ତା ନିର୍ମାଣ କାମ ଆରମ୍ଭ ହିଁ ହୋଇନି। ଏଣେ ପାହାଡ କଡ଼ରୁ ଗଛ କଟାଯାଇଥିବାରୁ ବର୍ଷାରେ ମାଟି ଧସୁଛି। ବଡବଡ ପଥର ରାସ୍ତା ଉପରେ ପଡୁଛି। ପୂର୍ବଭଳି ପ୍ରତିଦିନ ରାସ୍ତାରେ ଦୁର୍ଘଟଣା ଘଟୁଛି ଏବଂ ଭାରୀଯାନ ଯୋଗୁ ରାସ୍ତା ଅବରୋଧ ହେଉଛି। ଏବେ ଏହି ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ।

ପୂର୍ବରୁ ୧ କିମି ରାସ୍ତା ଲାଗି ଡିପିଆର ପ୍ରସ୍ତୁତ ହୋଇଥିଲା। ପ୍ରକୃତରେ ଏହା ୧୧୦୦ ମିଟର ହେବ। ଡିଜାଇନ ପ୍ରସ୍ତୁତ କରିଥିବା ଭୁବନେଶ୍ବରର ସଂସ୍ଥା ନ୍ୟୁ ଜେନ , ଅଭିବା କନଷ୍ଟ୍ରକ୍ସନର ଯନ୍ତ୍ରୀ, ଏନଏଚର ନିର୍ବାହୀ ଯନ୍ତ୍ରୀ ଇଂ.ରବିନ୍ଦ୍ର କୁମାର ବେହେରା , କନିଷ୍ଠ ଯନ୍ତ୍ରୀ ଇଂ.ଗୌତମ ପ୍ରକାଶ ବିଶ୍ବାଳ ଆଦି ଯୁଗ୍ମ ଯାଞ୍ଚ କରିଥିଲେ। ୧୦୦ମିଟର ବଢ଼ୁଥିବାରୁ ଏହାକୁ ମଞ୍ଜୁର କରିବାକୁ ଭୁବନେଶ୍ଵରରେ ଥିବା ଆଞ୍ଚଳିକ ଜାତୀୟରାଜପଥ ବିଭାଗକୁ ପଠାଯିବ ବୋଲି ସୂଚନା ମିଳିଛି। ଅନୁମୋଦନ ହୋଇ ଆସିବା ମଧ୍ୟରେ ପୂର୍ବ ଅନୁମୋଦିତ ଅଂଚଳରେ କାମ ଆରମ୍ଭ କରାଯିବ ବୋଲି ଏନଏଚ୍ ପକ୍ଷରୁ ସୂଚନା ମିଳିଛି।