କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଜାମୁଟଝୁଲା ଗାଁ ଶାନ୍ତିପଡ଼ାରେ ଗୁଣିଗାରେଡ଼ିର କରୁଣ ପରିଣତି ଦେଖାଦେଇଛି। ଗାଁର ଜଣେ ତାନ୍ତ୍ରିକ ବାବା ସିନ୍ଧେକେଲା ଅନ୍ତର୍ଗତ ଇଚ୍ ଗାଁର ରେଶ୍ମା ବେହେରାଙ୍କୁ ଚିକିତ୍ସା କରି ଶେଷରେ ଜେଲ୍ ଯାଇଛନ୍ତି। ତାନ୍ତ୍ରିକ ବାବା ଜଣକ ହେଲେ ଶାନ୍ତିପଡ଼ାର ତେଜରାଜ ରଣା। ସୂଚନା ଅନୁସାରେ, ୨୦୨୧ ମସିହାରେ ସିନ୍ଧେକେଲା ଥାନା ଇଚ୍ ଗାଁର ଜଣେ ଯୁବତୀଙ୍କୁ ତେଜରାଜ ଚିକିତ୍ସା କରିଥିଲେ। ମା’ର ମୃତ୍ୟୁ ପରେ ଯୁବତୀ ଜଣକ ବିଭିନ୍ନ ସମୟରେ ହଠାତ୍‌ ଚମକି ଭୟଭୀତ ହୋଇପଡ଼ୁଥିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇ ଚିକତ୍ସା କରାଇଥିଲେ। ବିଭିନ୍ନ ପ୍ରକାର ପରୀକ୍ଷା କରାଯିବା ପରେ ମଧ୍ୟ ଯୁବତୀ ଜଣକ ସୁସ୍ଥ ହୋଇନଥିଲେ। ପରେ ଲୋକଙ୍କ କଥାରେ ପଡ଼ି ପରିବାର ଲୋକେ ଗୁଣିଗାରେଡ଼ି କଲେ ହିଁ ଠିକ୍ ହେବ ବୋଲି ମନସ୍ଥ କରିଥିଲେ। ଗୁଣିଆ ସାଜିଥିବା ଜାମୁଟଝୁଲା ଗାଁର ତାନ୍ତ୍ରିକ ବାବା ତେଜରାଜଙ୍କ ନିକଟକୁ ଯୁବତୀଙ୍କୁ ନେଇଥିଲେ। ସେଠାରେ ଥିବା ଏକ ମନ୍ଦିରରେ ପ୍ରାୟ ଘଣ୍ଟାଏ ଧରି ପୂଜା କରିଥିବା ପରିବାରବର୍ଗ କହିଛନ୍ତି।

Advertisment

ପୂଜା ସମୟରେ ତାନ୍ତ୍ରିକ ଜଣକ ଯୁବତୀଙ୍କ ମୁଣ୍ଡ ଓ ହାତରେ ଅନେକ ଛୁଞ୍ଚି ପୂରାଇଥିବାରୁ ରକ୍ତସ୍ରାବ ହୋଇଥିଲା। ସେହିପରି ଶରୀରର ଅନେକ ସ୍ଥାନରେ କ୍ଷତ ମଧ୍ୟ ରହିଥିବା ପରିବାର ଲୋକେ କହିଛନ୍ତି। ପରେ ମୁଣ୍ଡରୁ ୮ରୁ ଅଧିକ ଛୁଞ୍ଚି ବାହାର କରିସାରିଥିବା ଯୁବତୀଙ୍କ ବାପା ବିଷ୍ଣୁ ବେହେରା କହୁଥିବା ବେଳେ ସିଟି ସ୍କାନ୍‌ କରିବାରୁ ଆହୁରି ପ୍ରାୟ ୩୦ରୁ ଅଧିକ ଛୁଞ୍ଚି ଥିବା ଜଣାପଡ଼ୁଥିବା ସେ କହିଛନ୍ତି। ତେବେ ୪ ବର୍ଷ ତଳେ ଏଭଳି ଚିକିତ୍ସା କରି ଯୁବତୀଙ୍କୁ ଏକ ପ୍ରକାରର ମାରି ଦେବା ପାଇଁ  ପ୍ରାୟସ କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଚିକିତ୍ସା ସମୟରେ ତାନ୍ତ୍ରିକ ତେଜରାଜଙ୍କୁ ଲକ୍ଷାଧିକ ଟଙ୍କା ଦିଆଯାଇଥିବା କହିଛନ୍ତି। ତେବେ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏ ନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ପରେ ପୁଲିସ ତେଜରାଜକୁ ଗିରଫ କରିଛି। ଜାମିନ ନାମଂଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।