କଣିହାଁ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ରୁ ବାହାରି କଣିହାଁ ବ୍ଲକ୍‌ ଅଞ୍ଚଳ‌ ଦେଇ ପ୍ରବାହିତ ଡେମ୍ଫାନାଳ ଏବେ ମରଣ ମୁହଁରେ। ଦିନ ଥିଲା ଏହି ନାଳରେ ବର୍ଷସାରା ପାଣି ରହୁଥିଲା। ଅଞ୍ଚଳବାସୀଙ୍କ ପାଇଁ ଏହାଥିଲା ପ୍ରକୃତିର ଆଶୀର୍ବାଦ। ନାଳଟି କିନ୍ତୁ ମରି ମରି ଯାଉଛି। ଏହାର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କଣିହାଁ ବ୍ଲକ୍‌ର ସାନତ୍ରିବିଡ଼ା, ବଡ଼ତ୍ରିବିଡ଼ା, କମରେଇ, ବିଜିଗୋଳ ପଞ୍ଚାୟତ ଅଞ୍ଚଳ ଦେଇ ଡେମ୍ଫାନାଳ ବହିଯାଇଛି। ବ୍ଲକ୍‌ର ପାଖାପାଖି ୨୫ କିଲୋମିଟର ଅତିକ୍ରମ କରି ଏହା ବ୍ରାହ୍ମଣୀ ନଦୀରେ ମିଶିଛି। ଚିରସ୍ରୋତା ଥିବାରୁ ଅଞ୍ଚଳବାସୀ ଏଥିରେ ସ୍ନାନଶୌଚ ହେଉଥିଲେ। ଜୀବଜନ୍ତୁ ଏଥିରୁ ପାଣି ପିଉଥିଲେ। ଲୋକମାନେ ପାନୀୟଜଳ ସଂଗ୍ରହ କରୁଥିଲେ। ଏହାର କୂଳରେ ନିର୍ମାଣ ହୋଇଥିଲା ଉଠା ଜଳସେଚନ ପଏଣ୍ଟ। ବଡ଼ତ୍ରିବିଡ଼ା, ହରିଚନ୍ଦନପୁର, ବାରିହାପୁରଠାରେ ଚେକ୍‌ ଡ୍ୟାମ୍‌ ନିର୍ମାଣ କରାଯାଇଛି। କିଛିବର୍ଷ ହେଲା ନାଳ ଶୁଖିଲା ପଡ଼ୁଛି।

Advertisment

ବର୍ଷରେ ପ୍ରାୟ ୯ ମାସ ନାଳର ଜଳଧାରା ଶୁଖିଯାଉଛି। ଚେକ୍‌ ଡ୍ୟାମ୍‌ଗୁଡ଼ିକ ଦ୍ବାରା କେବଳ ବର୍ଷାଋତୁରେ ପାଖ ଜମିରେ ପାଣି ମାଡ଼ୁଛି। ଅନ୍ୟ ଋତୁରେ ଚେକ୍‌ ଡ୍ୟାମ୍‌ରେ ପାଣି ରହୁନାହିଁ। ଉଠାଜଳସେଚନ ପଏଣ୍ଟଗୁଡ଼ିକ ମଧ୍ୟ କାମରେ ଲାଗୁନାହିଁ। ସେଗୁଡ଼ିକ ଅଚଳ ହୋଇ ପଡ଼ିଛି। ନାଳ ଭିତରେ ବଢ଼ୁଛି କାଇଁଶ(କାଶତଣ୍ଡୀ), ଅନାବନା ଗଛର ଜଙ୍ଗଲ। ଏଥିରେ ଜଙ୍ଗଲୀ ହିଂସ୍ରଜନ୍ତୁ ବାସକରୁଥିବା ଶୁଣାଯାଉଛି। ତେଣୁ ନାଳକୁ ଯିବା ପାଇଁ ଲୋକେ ଭୟ କରୁଛନ୍ତି। ଏହି ନାଳ ଅନେକ ଜାଗାରେ ପୋତି ହୋଇଗଲାଣି। ମାଫିଆମାନେ ନାଳର କେତେକ ଜାଗାରୁ ବାଲି ଖୋଳି ନେଉଛନ୍ତି। ସେହି ଜାଗାରେ ବଡ଼ ବଡ଼ ଖାଲ ଥିବା ଦେଖାଯାଇଛି। ନାଳ ଶଯ୍ୟାରୁ ବାଲି ଖୋଳି ନିଆଯିବାରୁ ନାଳଟି ଶୁଖିଯିବାର ଅନ୍ୟତମ କାରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ନାଳରୁ ଜଳସେଚନ ଦ୍ବାରା ପୂର୍ବରୁ ଯେପରି ଫସଲ ଚାଷ ହେଉଥିଲା, ଏବେ ତାହା ସମ୍ଭବ ହେଉନାହିଁ। ଅଞ୍ଚଳବାସୀଙ୍କ ପାଇଁ ତାହା ଚିନ୍ତାର କାରଣ ପାଲଟିଛି।