ରାଜନଗର: ଅଲିଭ୍‌ରିଡଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଭୁବନେଶ୍ବରରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ବସିଥିଲା। କିନ୍ତୁ ସେହିଦିନ ଭିତରକନିକାରେ ଦୁଇଟି ଟ୍ରଲର୍‌ ଜବତ ହୋଇଥିବା ବେଳେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଗୋଟିଏକୁ ଧରି କୂଳକୁ ଆସିଥିବା ବେଳେ ଅନ୍ୟ ଏକ ଟ୍ରଲରକୁ ଫୋନ୍ କଲ ପାଇ ମଝି ସମୁଦ୍ରରେ ଛାଡି ଦେଇଛି। ଗୋଟିଏ ଟ୍ରଲର୍‌ରେ ଥିବା ୧୦ଜଣ ମତ୍ସ୍ୟଜୀବୀ ଜେଲ୍‌ ଯାଇଥିବା ବେଳେ ସମାନ ଅପରାଧ କରି ଅନ୍ୟ ଏକ ଟ୍ରଲରରେ ଥିବା ୧୦ ମତ୍ସ୍ୟଜୀବୀଙ୍କୁ ବନବିଭାଗ ମାଫ୍ କରିଦେଇଛି। କାହା ଫୋନ୍ କଲ୍‌ ପାଇ ପାଟ୍ରୋଲିଂ ଟିମ୍ ମଝି ସମୁଦ୍ରରେ ଜବତ ଟ୍ରଲରକୁ ଛାଡିଦେଲେ ତାହାକୁ ନେଇ ଚର୍ଚ୍ଚା ଚାଲିଛି।

Advertisment

କଇଁଛଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ପରି ଚଳିତବର୍ଷ ନଭେମ୍ବର ୧ ରୁ ମଇ ୩୧ ତାରିଖ ଯାଏ ସମୁଦ୍ର ଭିତରେ କଟକଣା ଜାରି କରାଯାଇଛି। ୧୪୩୭ ବର୍ଗ ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଧାମରାରୁ ଦେବୀ ମୁହାଣ ଯାଏ ୧୬୦କିମି ପର୍ଯ୍ୟନ୍ତ କୂଳଠାରୁ ୨୦ କିମି ଯାଏ ଟ୍ରଲର ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଚଳିତବର୍ଷ ଅତିଥି କଇଁଛଙ୍କ ସୁରକ୍ଷା ଏକ ପ୍ରକାର ନାହିଁ କହିଲେ ଚଳେ। ବନବିଭାଗ ପାଖରେ ଆବଶ୍ୟକ ସଂଖ୍ୟକ ଟ୍ରଲର ନ ଥିବାରୁ କାଁ ଭାଁ ପାଟ୍ରୋଲିଂ କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ଗତକାଲି ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ବରେ ବନବିଭାଗ ପାଟ୍ରୋଲିଂ ଟିମ୍ ପଇଁତରା ମାରୁଥିବା ବେଳେ ଦୁଇଟି ଟ୍ରଲର ଜବତ କରିଥିଲେ। ରାତି ପ୍ରାୟ ସାଢେ ୯ଟା ବେଳେ ଚିଂଚିରି ମୁହାଣ ନିକଟରୁ ଧାମରା ଅଂଚଳର ‘ସି-କିଙ୍ଗ–୨ ଟ୍ରଲର ଜବତ କରିବା ସହ ସେଥିରେ ଥିବା ୧୦ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲେ। ଏହି ଟ୍ରଲରକୁ ନେଇ କୂଳକୁ ଆସୁଥିବା ବେଳେ ଅଗରନାସୀ ପଛରେ ନିଷିଦ୍ଧାଂଚଳରେ ମାଛ ମାରୁଥିବା ପାରାଦୀପ ଅଂଚଳର ଗୋଟିଏ ଟ୍ରଲରକୁ ଜବତ କରିଥିଲେ। କୂଳଠାରୁ ୬/୭ କିମି ଦୂରରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଂଚଳରେ ଏହି ଟ୍ରଲର ଜବତ କରାଯାଇଥିଲା। ପାରାଦୀପ ଟ୍ରଲରରେ ଥିବା ୧୦ ମତ୍ସ୍ୟଜୀବୀ ଓ ଟ୍ରଲରକୁ ବନବିଭାଗ ପାଟ୍ରୋଲିଂ ଟିମ ନିଜ ଅକ୍ତିଆରକୁ ନେଇ ଶାସନପେଟାକୁ ଆଣୁଥିଲା। ଦୁଇଟି ଜବତ ଟ୍ରଲରକୁ ଶାସନପେଟା ଅଣାଯାଉଥିଲା। ଟ୍ରଲର ଜବତ ହେବା ସ୍ଥାନରୁ ୩ ନଟିକାଲ ମାଇଲ ବା ୫ କିମି ଜଳପଥରେ ଜବତ ଟ୍ରଲରକୁ ଅଣାଯିବା ପରେ ପେଣ୍ଠ ନିକଟରେ ପାଟ୍ରୋଲିଂ ଟିମ୍ ନିକଟକୁ ଫୋନ୍‌ କଲ ଆସିଥିଲା। ଫରେଷ୍ଟର ଶ୍ରୀ ପୃଷ୍ଟି ଏହି ଫୋନ୍‌ କଲ ପାଇବା ପରେ ମଝି ସମୁଦ୍ରରେ ପାରାଦୀପ ଅଂଚଳର ଜବତ ଟ୍ରଲରକୁ ମଝି ସମୁଦ୍ରରେ ଛାଡିଦେଇ ‘ସି–କିଙ୍ଗ–୨ ଟ୍ରଲରକୁ ଧରି ଶାସନପେଟା ଆସିଥିଲେ। ଆଜି ‘ସି–କିଙ୍ଗ ଟ୍ରଲରରେ ଥିବା ୧୦ଜଣ ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି। ଏ ସଂପର୍କରେ ଫରେଷ୍ଟର ଶ୍ରୀ ପୃଷ୍ଟିଙ୍କୁ ପଚାରିବାରୁ ଦୁଇଟି ଟ୍ରଲର ଜବତ ହୋଇଥିଲା। ସାର୍‌ଙ୍କ ଫୋନ୍‌ କଲ୍‌ ପରେ ଗୋଟିଏ ଟ୍ରଲରକୁ ଛାଡି ଦେଇଥିବା ସେ ସ୍ବୀକାର କରିଛନ୍ତି। ଏ ସଂପର୍କରେ ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କୁ ପଚାରିବାରୁ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି। ଗିରଫ ହୋଇ ଜେଲ ଯାଇଥିବା ୧୦ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଶକ୍ତିପଦ ମୁଦିଙ୍କ କହିବା କଥା ହେଲା, ଦୁଇଟି ଟ୍ରଲର ଧରି ଶାସନପେଟା ଆଣୁଥିଲେ। ଗୋଟିଏ ଟ୍ରଲରକୁ ମଝି ସମୁଦ୍ରରେ ଛାଡିଦେଲେ। ସମାନ ଦୋଷକରି ଆମେ ଜେଲ ଯାଉଛୁ। ସେମାନଙ୍କୁ ବନ ବିଭାଗ ମାଫ୍ କରିଦେଉଛି ବୋଲି ସେ କହିଛନ୍ତି। କଇଁଛଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଭୁବନେଶ୍ବରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକ ବସି ବିଭିନ୍ନ ନିଷ୍ପତ୍ତି ନିଆଯାଉଛି। ମାତ୍ର ଏପଟେ କଇଁଛଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ଟ୍ରଲରକୁ ଅତ୍ୟନ୍ତ ସନ୍ଦେହଜନକ ଭାବେ ଛାଡ଼ି ଦିଆଯିବା ଘଟଣା ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହ‌ଘେରକୁ ଟାଣି ଆଣିଛି।