ନଭେମ୍ବର ୧ରୁ କଇଁଛ ଋତୁ : ମିସନ ଅଲିଭରିଡ୍‌ଲେ ବାଧାପ୍ରାପ୍ତ ଆଶଙ୍କା

ସ୍ପିଡ୍‌ବୋଟ ‘ଗହୀର ମଥା-୧,୨’ ଅଚଳ; ଏଯାଏ ପ୍ରସ୍ତୁତ ହୋଇନି ‘ଅଲଭିୟା’

ରାଜନଗର, (ସୂର୍ଯ୍ୟ ନାରାୟଣ ଲେଙ୍କା): ନଭେମ୍ବର ୧ ରୁ ଆରମ୍ଭ ହେଉଛି କଇଁଛ ଋତୁ। କଇଁଛ ଋତୁ ଆରମ୍ଭରୁ ମିସନ ଅଲିଭରିଡ୍‌ଲେ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ପାଟ୍ରୋଲିଂ ପାଇଁ ବ୍ୟବହୃତ ହେଉଥିବା ଦୁଇଟି ହାଇସ୍ପିଡ ବୋଟ ଗହୀରମଥା–୧, ୨ ଅଚଳ ହୋଇପଡିଛି। ମରାମତି ପାଇଁ ଆର୍ଥିକ ଅନୁଦାନ ନ ଥିବା, ସ୍ଥାନୀୟ ଅଂଚଳରେ ମେକାନିକ୍‌ ମିଳୁ ନ ଥିବା ଭଳି କାରଣରୁ ଦୀର୍ଘ ୧ ବର୍ଷ ହେଲା ଏହା ଅଚଳ ହୋଇପଡ଼ିରହିଛି। ଅନ୍ୟପକ୍ଷରେ ‘ଅଲଭିଆ’ ଟ୍ରଲର୍‌କୁ ଉଚ୍ଚ ଶକ୍ତିସମ୍ପନ୍ନ କରିବା ପାଇଁ ଚାଲିଥିବା କାର୍ଯ୍ୟ ଏଯାଏ ସରିନି।

ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ବିଶ୍ବରେ ପରିଚିତ ୧୪୩୭ ବର୍ଗକିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ନଭେମ୍ବର ୧ରୁ ମଇ ୩୧ ଯାଏ ୭ ମାସ ଧରି ଏହି କଟକଣା ଜାରି ରହିବ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବର୍ଷତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ନିଷେଧାଜ୍ଞା ଥିବାବେଳେ କଇଁଛ ଋତୁ ନିମନ୍ତେ ଧାମରାଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିଲୋମିଟର ଯାଏ ଯନ୍ତ୍ର ଚାଳିତ ଟ୍ରଲର, ବୋଟ, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛଧରା ଉପରେ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ଚଳିତମାସ ୨୦ ତାରିଖ ଦିନ କଇଁଛ ଋତୁ ଆରମ୍ଭ ପୂର୍ବରୁ ବିରଳ କଇଁଛଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବନବିଭାଗର ବରିଷ୍ଠ ଅଧିକାରୀମାନେ ମତ୍ସ୍ୟଜୀବୀ ଓ ଟ୍ରଲର ସଂଘର ନେତାଙ୍କ ସହ ବୈଠକ କରି ସହଯୋଗ ଲୋଡ଼ିଥିଲେ। ନଭେମ୍ବର ୧ରୁ କଇଁଛ ସୁରକ୍ଷାରେ ଭଦ୍ରକ ଡିଭିଜନର ଗୋଟିଏ ଟ୍ରଲର, ରାଜନଗର ବନବିଭାଗର ‘ଅଲଭିୟା’ ଟ୍ରଲର ସହିତ ଦୁଇଟି ସ୍ପିଡବୋଟ ସାମିଲ ହେବ ବୋଲି ରାଜନଗର ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଥିଲେ। ମାତ୍ର ଆଜି ଯାଏ ବନବିଭାଗ ପାଖରେ ପାଟ୍ରୋଲିଂ ପାଇଁ ସ୍ପିଡବୋଟ ନାହିଁ।

ମିଳିଥିବା ସୂଚନା ମୁତାବକ ହାଇସ୍ପିଡ ବୋଟ ମରାମତି ପାଇଁ ବର୍ଷେ ହେ‌ଲା ଆର୍ଥିକ ଅନୁଦାନ ଆସୁନାହିଁ। ଏପଟେ ବୋଟର ଯନ୍ତ୍ରାଂଶ ସ୍ଥାନୀୟ ଅଂଚଳରେ ମିଳୁ ନ ଥିବାବେଳେ ଏହାକୁ ମରାମତି ପାଇଁ ମେକାନିକ୍‌ ବି ମିଳୁନାହାନ୍ତି। ଅନ୍ୟପକ୍ଷରେ ବନବିଭାଗ ନିକଟରେ ଥିବା ୨୨୦ ଏଚପି ‘ଅଲଭିୟା’ ଟ୍ରଲରକୁ ଉଚ୍ଚଶକ୍ତି ସମ୍ପନ୍ନ କରାଯାଉଛି। ଏହାର କାର୍ଯ୍ୟ ଧାମରାରେ ଜାରି ରହିଛି। ନଭେମ୍ବର ୧ ପୂର୍ବରୁ ‘ଅଲଭିୟା’ ପାଟ୍ରୋଲିଂରେ ସାମିଲ ହେବା ପାଇଁ ବନବିଭାଗ ଠିକାଦାରଙ୍କ ସହ ଚୁକ୍ତି କରିଥିଲେ ମଧ୍ୟ ଆଜିଯାଏ କାର୍ଯ୍ୟ ଶେଷ ହୋଇ ନ ଥିବା ଜଣାପଡିଛି। ଏଭଳି ସ୍ଥିତିରେ ବେଆଇନ ଭାବେ ଟ୍ରଲରଗୁଡିକ ପାଇଁ ବେଧଡ଼କ ମାଛ ମାରିବା ବାଟ ଖୋଲା ଛାଡି ଦିଆଯାଇଛି।

ଏ ସଂପର୍କରେ ଡିଏଫଓ ବିକାଶ ରଂଜନ ଦାଶ କହିଛନ୍ତି ଯେ ଦୁଇଟି ସ୍ପିଡବୋଟର ଗୋଟିଏ ଗୋଟିଏ ଇଂଜିନ ଖରାପ ଅଛି। ଶୀଘ୍ର ଏଗୁଡିକର ସଜଡା କାର୍ଯ୍ୟ ସରିଯିବ।

ସମ୍ବନ୍ଧିତ ଖବର