ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ତହସିଲ କୁରସୁଡ଼ ପଞ୍ଚାୟତ ତଥା ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ଗାଁ ନିକଟ ଘିଷରି ପାହାଡ଼ ସଂପୂର୍ଣ୍ଣ ଉଡ଼ାଇବାକୁ ସାଂଘାତିକ ଷଡ୍ଯନ୍ତ୍ର ହୋଇଛି। ଏବେ ପାହାଡ଼ ଉପରେ ବୋର୍ୱେଲ୍ ଗାଡ଼ି ଲଗାଇ ବିଭିନ୍ନ ସ୍ଥାନରେ ଡ୍ରିଲ୍ କରାଯାଉଛି। ପ୍ରଶାସନ ଅବଗତ ଥାଇ ବି ଏହା ବନ୍ଦ ହେଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି ଜାରି ରହିଲେ ପାହାଡ଼ଟି ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରାଯାଉଛି।
ଅଭିଯୋଗ ଅନୁସାରେ, ପାହାଡ଼ର କୋତମରା ୧ ଓ ୨ ନମ୍ବର କ୍ବାରିକୁ ଦୁଇଜଣ ଲିଜ୍ରେ ନେଇଛନ୍ତି। ହେଲେ ପାହାଡ଼ର ଲିଜ୍ ସ୍ଥାନ ବାହାରେ ଅନ୍ୟ ସ୍ଥାନରେ ଖନନ କରୁଥିବା ଜଣାପଡ଼ିଥିଲା। ଅଭିଯୋଗ ହେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏ ବିଷୟରେ ଦିଗଶିରା ଆର୍ଆଇ ନିରଞ୍ଜନ ସାହୁଙ୍କୁ ପଚାରିବାରୁ ଡ୍ରିଲ୍ ହେଉଥିବା କଥା ସ୍ବୀକାର କରିଥିଲେ। ମଙ୍ଗଳବାର ସେ ଉକ୍ତ ପାହାଡ଼କୁ ପହଞ୍ଚି ଡ୍ରିଲ୍ ନକରିବାକୁ ଲିଜ୍ଧାରୀଙ୍କୁ ତାଗିଦ କରିଥିବା କହିଥିଲେ। ଏହା ସତ୍ତ୍ବେ ବୁଧବାର ମଧ୍ୟ ଡ୍ରିଲିଂ କାମ ଜାରି ରହିଥିବା ଦେଖିବାକୁ ମିଳିଥିଲା। ଏହି ପାହାଡ଼କୁ ନେଇ କିଛିଦିନ ତଳେ ତୁରୁକଭଟା ଗ୍ରାମବାସୀ ସିନ୍ଧେକେଲା ଥାନା, ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ପଥର ଖନନକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରେ ସିନ୍ଧେକେଲା ଥାନା ପୁଲିସ ଦୁଇ ପକ୍ଷଙ୍କୁ ଥାନାକୁ ଡାକି ସବୁ ଶୁଣିଲା ପରେ ପଥର ଖନନ ବନ୍ଦ କରିବାକୁ ତାଗିଦ କରିଥିଲା।
ଅନ୍ୟପକ୍ଷରେ ବୋରୱେଲ ଗାଡ଼ିରେ ଡ୍ରିଲ୍ କରିବା ଅନୁମତି ନଥିବା ଓ ଏହା ବେଆଇନ ବୋଲି ଜଣେ ଆଇନଜୀବୀ ପ୍ରକାଶ କରିଛନ୍ତି। ଏହି ପଥର ଖାଦାନ ଭବାନୀପାଟଣା- ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥର ଚାନ୍ଦୋତରା ଓ ତୁରୁକଭଟା ଛକ ନିକଟ ରାସ୍ତାକଡ଼ରେ ରହିଛି। ଏହା ସିନ୍ଧେକେଲା ଥାନାଠାରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ। ତଥାପି ଖୋଲାଖୋଲି ଭାବେ ବୋରୱେଲ ଗାଡ଼ିରେ ଡ୍ରିଲିଂ ଚାଲିଥିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। କାହାର କେଉଁ ଆଦେଶ ବଳରେ ଏପରି ଡ୍ରିଲିଂ କରାଯାଉଥିବା ଜାଣିବାକୁ ଲିଜଧାରୀଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍ ଉଠାଇ ନଥିଲେ। ଏପଟେ ଚାରି ଦିନ ତଳେ ବିନା ରୟାଲ୍ଟି ଫର୍ମରେ ଗୋଟିଏ ଗାଡ଼ିରେ ପଥର ଚାଲାଣ କରୁଥିବାରୁ ଲିଜଧାରୀଙ୍କୁ ୧୫ ହଜାର ଟଙ୍କା ଜରିମାନା କରାଯାଇଥିବା କହିଛନ୍ତି ରାଜସ୍ବ ନିରୀକ୍ଷକ। ତଥାପି ଡ୍ରିଲିଂ ବନ୍ଦ ହେଉ ନଥିବାରୁ ପ୍ରଶାସନିକ ଅଧିକାରୀମାନଙ୍କ ଅପାରଗତାକୁ ସୂଚାଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି।
ସୂଚନାଯୋଗ୍ୟ ଯେ, ପ୍ରାୟ ୬ ମାସ ତଳେ ବଙ୍ଗୋମୁଣ୍ଡା ତହସିଲ ତଥା ସିନ୍ଧେକେଲା ଥାନ ଅନ୍ତର୍ଗତ ମୁଙ୍ଗେ ପାହାଡ଼କୁ ଉଡ଼ାଇବା ପାଇଁ ମଧ୍ୟ ବୋର୍ୱେଲ୍ ସାହାଯ୍ୟରେ ଲିଜ୍ଧାରୀ ଡ୍ରିଲ୍ କରିଥିଲେ। ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ ପରେ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଥିଲା।