ବ୍ରହ୍ମପୁର : ନିଶା ନିବାରଣ ଅଭିଯାନ ଶତପ୍ରତିଶ୍ରତ ଫଳପ୍ରଦ ହେଉ ନାହିଁ। ସରକାରଙ୍କ ଆନ୍ତରିକତା ଅଭାବରୁ ଓଡ଼ିଶାକୁ ମଦମୁକ୍ତ ରାଜ୍ୟରେ ପରିଣତ କରା ଯାଇପାରୁ ନଥିବା ଅଭିଯୋଗ ହେଉଛି। ଏଣୁ ଓଡ଼ିଶାରୁ ନିଶାକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି। ନିଶା କାରବାରକୁ ନେଇ ଅଧିକ ବଦନାମ୍ ହୋଇଥିବା ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏଭଳି ଅଭିଯାନ ଆରମ୍ଭ ହୋଇଛି। ‘ଆରଣ୍ୟକ ଗାୟତ୍ରୀ ସେବାଶ୍ରମ’ ତରଫରୁ ଏହି ସାଧୁ ଉଦ୍ୟମ ହାତକୁ ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ୍ ଚଷାନିମଖଣ୍ଡି ପଞ୍ଚାୟତର ଆସିବାସୀ ଅଧ୍ୟୁଷିତ ଗାଁ ସିନ୍ଧବାରେ ମଦମୁକ୍ତ ସମାଜ ଗଠନର ମୂଳଦୁଆ ପଡ଼ିଛି। ଆଶ୍ରମ ଦ୍ବାରା ପୋଷ୍ୟ ଗ୍ରହଣ କରାଯାଇଥିବା ଗାଁ ମଧ୍ୟରୁ ତୁଳସୀନଗର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।
ଗଞ୍ଜାମ-ଗଜପତି ସୀମାନ୍ତ ମୋହନା ବ୍ଲକ୍ ଅନ୍ତର୍ଗତ ଢ଼େପାଗୁଡ଼ା ପଞ୍ଚାୟତ ଅଧୀନରେ ରହିଛି ଆଦିବାସୀ ଗାଁ ତୁଳସୀନଗର। ଏହି ଗାଁରେ ପ୍ରାୟ ୨୦ ଆସିବାସୀ ପରିବାର ରହୁଛନ୍ତି। ଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏମାନେ ଚଳିଥାନ୍ତି। ଆଶ୍ରମର ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଏହି ଗାଁ ସମ୍ପୂର୍ଣ୍ଣ ମଦମୁକ୍ତ ଗ୍ରାମ ଭାବେ ପରିଚୟ ସୃଷ୍ଟି କରିପାରିଛି। ଗାଁର ପ୍ରତ୍ୟେକ ଘର ସମ୍ମୁଖରେ ଗୋଟିଏ ଲେଖାଏଁ ତୁଳସୀ ଗଛ ଲାଗିଛି। ଗାଁକୁ ଭଲ ରାସ୍ତା କି ବିଦ୍ୟୁତ ସୁବିଧା ନାହିଁ। ତଥାପି ଏହି ଗାଁର ବିକାଶ ପାଇଁ ଆଶ୍ରମ ତରଫରୁ ଉଦ୍ୟମ ଜାରି ରହିଥିବା ଶ୍ରୀ ମିଶ୍ର କହିଛନ୍ତି। ସରକାରୀସ୍ତରରେ ମଧ୍ୟ ଏଭଳି ଗାଁଗୁଡ଼ିକର ବିକାଶ ପାଇଁ ପ୍ରୟାସ କରାଗଲେ ଗ୍ରାମବାସୀ ବିଶେଷ ଭାବେ ଉପକୃତ ହେବେ ବୋଲି ସେ କହିଛନ୍ତି।
ପ୍ରାୟ ଦେଢ଼ବର୍ଷ ହେଲା ଆଶ୍ରମର ପ୍ରତିଷ୍ଠାତା ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ବୃନ୍ଦାବନ ମିଶ୍ରଙ୍କ ତତ୍ତ୍ବାବଧାନରେ ଏହି ଅଭିଯାନ ଚାଲିଛି। ଆଜି ପର୍ଯ୍ୟନ୍ତ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରାୟ ୪୦ଟି ଗାଁକୁ ଏହି ଆଶ୍ରମ ତରଫରୁ ପୋଷ୍ୟଭାବେ ଗ୍ରହଣ କରାଯାଇ ମଦମୁକ୍ତ ଗ୍ରାମ ଗଠନ ପାଇଁ ଉଦ୍ୟମ କରାଯାଉଥିବା ଶ୍ରୀ ମିଶ୍ର କହିଛନ୍ତି। ନିଶା ଯୋଗୁଁ ବହୁ ପରିବାର ଉଜୁଡ଼ି ଯାଉଛି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଗାଁର ଲୋକଙ୍କ କ୍ଷେତ୍ରରେ ନିଶା ସେବନ ଏକ ପ୍ରକାର ଅଭ୍ୟାସ ପାଲଟି ସାରିଲାଣି। ଏଣୁ ସେଭଳି ଆଦିବାସୀ ଗାଁକୁ ଚିହ୍ନଟ କରି ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ଶ୍ରୀ ମିଶ୍ର ତାଙ୍କର ଆଶ୍ରମ ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କର ନିଜ ଗାଁ ସିନ୍ଧବାରୁ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ସିନ୍ଧବା ଗାଁରେ ପ୍ରାୟ ଦେଢ଼ଶହରୁ ଦୁଇଶହ ପରିବାର ରହୁଛନ୍ତି। ଗାଁର ଲୋକ ସଂଖ୍ୟା ୬ଶହରୁ ୭ଶହ ହୋଇଥିବା ବେଳେ ଅଧିକାଂଶ ଲୋକ ମଦ୍ୟପାନ ସହିତ ଅନ୍ୟ ନିଶା ସେବନ କରୁଥିଲେ।
ଆଶ୍ରମର ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦/୭୦ ପ୍ରତିଶତ ଲୋକ ନିଶା ଛାଡ଼ି ସୁସ୍ଥ ଜୀବନ ବିତାଇବା ପାଇଁ ଆଗକୁ ଆସିଥିବା ଶ୍ରୀ ମିଶ୍ର କହିଛନ୍ତି। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଆଶ୍ରମ ତରଫରୁ ପ୍ରତି ଶନିବାର ଓ ରବିବାର ଦିନ ଗାଁରେ ସତ୍ସଙ୍ଗ କାର୍ଯ୍ୟକ୍ରମ କରାଯାଉଛି। ସେହିପରି ନିଶାର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ପୋଷ୍ୟଭାବେ ଗ୍ରହଣ କରାଯାଇଥିବା ୪୦ଟି ଗାଁ ମଧ୍ୟରୁ ୧୦ଟି ଗାଁରେ ଦୁଇଟି ଲେଖାଏଁ କଳାପଟା ତିଆରି କରି ସେଠାରେ ୭ଦିନରେ ଥରେ ନୀତିବାଣି ଲେଖାଯାଉଛି। ଯାହାକି ଲୋକଙ୍କୁ ପରିବର୍ତ୍ତନ କରିବାରେ ସହଯୋଗ କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଚଷାନିମଖଣ୍ଡି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ତଥା ଆଇନଜୀବୀ ରବି ଚନ୍ଦ୍ର ଗୌଡ଼ କହନ୍ତି, ସିନ୍ଧବା ଗାଁକୁ ମଦମୁକ୍ତ କରିବା ପାଇଁ ଆଶ୍ରମ ତରଫରୁ ଉଦ୍ୟମ କରାଯାଇଛି। ଗାଁର ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରି ସେମାନଙ୍କୁ ଭଲ ରାସ୍ତାକୁ ଅଣାଯାଉଛି। ଏଭଳି ଉଦ୍ୟମ ଫଳରେ ବହୁ ଲୋକ ଭଲ ରାସ୍ତାକୁ ଫେରିଛନ୍ତି ବୋଲି ସେ କହିଛନ୍ତି।