ଟ୍ୟୁସନ ସାର୍‌ଙ୍କୁ ଛାଟ! ୧୧୧ ଜଣ ଅଧ୍ୟାପକଙ୍କ ତାଲିକା ଭାଇରାଲ, ଅଧ୍ୟାପକ ଛାନିଆ, ସ୍ପଷ୍ଟ କଲାନି ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ପାଠପଢ଼ାଇବା ସହ ଟ୍ୟୁସନ କରୁଥିବା ଅଧ୍ୟାପକ/ଅଧ୍ୟାପିକାଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ପ୍ରଥମେ କାରଣଦର୍ଶାଅ ନୋଟିସ୍‌ ପଠାଯିବ। ୭ ଦିନ ମଧ୍ୟରେ ସଠିକ୍‌ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ନାଲିଆଖି ପରେ ଏଭଳି ୧୧୧ ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କ ତାଲିକା ପ୍ରସ୍ତୁତ କରିଛି ଉଚ୍ଚଶିକ୍ଷା ବିଭାଗ। ତାଲିକାରେ ଯେଉଁମାନେ ରହିଛନ୍ତି ସେମାନେ କଲେଜରେ ପିଲାଙ୍କୁ ପଢ଼ାଇବା ସହ ଟ୍ୟୁସନ ଓ କୋଚିଂ ସେଣ୍ଟରରେ ବି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି। ଏମିତିକି କଲେଜ ସମୟରେ ସେମାନେ କୋଚିଂ ‌ସେଣ୍ଟର ଯାଉଛନ୍ତି। ଅଧ୍ୟାପକ ଭାବେ ସରକାରଙ୍କଠାରୁ ମାସକୁ ମାସ ମୋଟା ଅଙ୍କର ଦରମା ପାଉଥିବା ବେଳେ କୋଚିଂ ସେଣ୍ଟରରୁ ବି ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି।

ଏନେଇ ଆଜି ଦିନତମାମ ସୋସିଆଲ୍‌ ମିଡିଆରେ ୧୧୧ ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କ ତାଲିକା ବୁଲୁଛି। ଏଥିରେ ରାଜ୍ୟର ନାମକରା କଲେଜଗୁଡ଼ିକର ଅଧ୍ୟାପକଙ୍କ ନାମ ବି ରହିଛି। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ କଲେଜ, ଏକାମ୍ର କଲେଜ, ରାଜଧାନୀ କଲେଜର ଅଧ୍ୟାପକଙ୍କ ନାଁ ରହିଛି। ଏଥିସହ ଖୋର୍ଧାସ୍ଥିତ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ କଲେଜ, ରେଭେନ୍ସା ମହାବିଦ୍ୟାଳୟ, ଶୈଳବାଳା ମହିଳା ମହାବିଦ୍ୟାଳୟ, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, ପୁରୀସ୍ଥିତ ଏସ୍‌ସିଏସ୍‌ କଲେଜର କିଛି ଅଧ୍ୟାପକ/ଅଧ୍ୟାପିକାଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଛି। ଯେଉଁମାନେ କି ପଦାର୍ଥ ବିଜ୍ଞାନ, ଇଂରାଜୀ, ଗଣିତ, ବାଣିଜ୍ୟ, ଅର୍ଥନୀତି, ଜୀବ ବିଜ୍ଞାନ, ରସାୟନ ବିଜ୍ଞାନ ଆଦି ବିଭାଗରେ ଶିକ୍ଷାଦାନ କରୁଛନ୍ତି। ଏହି ତାଲିକା ଭାଇରାଲ ହେବା ପରେ ଅଧ୍ୟାପକଙ୍କ ମଧ୍ୟରେ ଛନକା ପଶିଛି। ତାଲିକାରେ ତାଙ୍କ ନାଁ ରହିଛି କି ନାହିଁ ଦେଖିବା ପାଇଁ ରାଜ୍ୟର ସବୁ କଲେଜ କ୍ୟାମ୍ପସରେ ଅଧ୍ୟାପକ ଛାନିଆ ହୋଇପଡ଼ିଥିଲେ।

ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ତାଲିକାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଧ୍ୟାପକମାନେ ଟ୍ୟୁସନ କିମ୍ବା କୋଚିଂ ‌ସେଣ୍ଟର ଯାଇପାରିବେ ନାହିଁ ବୋଲି ଆଗରୁ ‌ବିଜ୍ଞପ୍ତି ଜାରି ହୋଇଛି। ଅଧ୍ୟାପକମାନେ ମଧ୍ୟ ଏନେଇ ଅଣ୍ଡରଟେକିଂ ଲେଖି ଦେଇଛନ୍ତି। ତା’ପରେ ବି ଯଦି କୌଣସି ଅଧ୍ୟାପକ ଟ୍ୟୁସନ କରୁଥିବା ଆମ ନଜରକୁ ଆସିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁମାନେ ଅବମାନନା କରିବେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ। ଆଜି ଯେଉଁ ତାଲିକା ଭାଇରାଲ୍‌ ହୋଇଛି ସେଥିରେ ସତ୍ୟତା ରହିଛି କି ନାହିଁ ଆମେ କହିପାରିବୁ ନାହିଁ।

ସମ୍ବନ୍ଧିତ ଖବର