ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଧୀନରେ ଘଟିଥିବା ବହୁଚର୍ଚ୍ଚିତ ପ୍ରଶାନ୍ତ ପ୍ରଧାନ ଓରଫ ଟୁଟୁଆ ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ଏହି ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ରୋହିତ ପ୍ରଧାନ ଓରଫ ମିଞ୍ଜାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବ ମିଞ୍ଜା। ଅନ୍ୟ ଅଭିଯୁକ୍ତମାନେ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଛନ୍ତି। ସେହିପରି ମୃତ ଟୁଟୁଆଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମାନ୍ୟବର ବିଚାରପତି ଜିଲ୍ଲା ଆଇନ ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ୨୦୧୦ ଜୁଲାଇ ୬ ତାରିଖରେ ବାଲିପାଟଣା ଥାନା ଅଧୀନ ଭୈରୀପୁରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ନିମାପଡ଼ା କନକପୁର ଅଞ୍ଚଳର ଟୁଟୁଆଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡଖଣ୍ଡ କରି ହାଣିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ଟୁଟୁଆଙ୍କ ଦରପୋଡ଼ା ମାଂସକୁ ଅଖାରେ ଭର୍ତି କରି ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ବହୁ ଖୋଜାଖୋଜି ପରେ ପରିବାରଲୋକ ନିମାପଡ଼ା ଥାନାରେ ଟୁଟୁଆଙ୍କ ନିଖୋଜ ହେବା ନେଇ ଏତଲା ଦେଇଥିଲେ। ସେହି ମାସ ୯ ତାରିଖରେ ବାଲିପାଟଣା ପୁଲିସ ପୋଖରୀ ଭିତରୁ ଟୁଟୁଆଙ୍କ ଗଳିତ ଶବକୁ ଜବତ କରିଥିଲା। ପରେ ପରିବାରଲୋକଙ୍କ ଅଭିଯୋଗ କ୍ରମେ ବାଲିପାଟଣା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ମାମଲାରୁ ଜଣାପଡ଼ିଥିଲା ଯେ ଟୁଟୁଆ ଓ ମିଞ୍ଜା ଦୁହେଁ କେରଳରେ କାମ କରୁଥିଲେ। ସେଠାରେ ଶ୍ରମିକ ସୁପରଭାଇଜର୍‌ ଥିଲେ ଟୁଟୁଆ। ତାଙ୍କ ସହଯୋଗୀ ଭାବେ କାମ କରୁଥିବା ମିଞ୍ଜା ସୁପରଭାଇଜର୍‌ ହେବାକୁ ଚେଷ୍ଟା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଟୁଟୁଆଙ୍କୁ ରାସ୍ତାରୁ ହଟାଇ ସେ ସୁପରଭାଇଜର୍‌ ହେବାକୁ ଯୋଜନା କରିଥିଲା। ଦୁହେଁ ଗାଁକୁ ଆସିବା ପରେ ଘଟଣା ଦିନ ମିଞ୍ଜା କୌଶଳକ୍ରମେ ଟୁଟୁଆଙ୍କୁ ବାଲିପାଟଣା ଭୌରୀପୁରଠାରେ ଥିବା ନିଜ ଭଉଣୀ ଘରକୁ ଡକାଇଥିଲା। ସେଠାରେ ଏକ ଫାର୍ମ ହାଉସ୍‌ରେ ଭୋଜିଭାତ କରିବା ସହ ଯୋଜନାବଦ୍ଧ ଭାବେ ଟୁଟୁଆଙ୍କୁ ପ୍ରଚୁର ମଦ ପିଆଇଥିଲେ। ଏହା ପରେ ମିଞ୍ଜା ଓ ତା’ର ସାଙ୍ଗସାଥୀ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବା ବାଲିପାଟଣା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମିଞ୍ଜା ସମେତ ସେଖ୍ ସହବତ, ପ୍ରଦୀପ ନାୟକ, ବିପିନି ବେହେରା, ସଦାଶିବ ପ୍ରଧାନ ଓ ଜଣେ ସମ୍ପର୍କୀୟ ମହିଳା ମନୋରମା ନାୟକଙ୍କୁ ଗିରଫ କରିଥିଲା। ପରେ ବାଲିପାଟଣା ଥାନା ପୁଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା। ଏଡିଜେ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମିଞ୍ଜା କୋର୍ଟରେ ନିଜର ସମସ୍ତ ଦୋଷ ସ୍ବୀକାର କରିନେଇଥିଲା। ଶୁଣାଣି ବେଳେ ୨୨ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଛି। ୨୩ଟି କାଗଜପତ୍ର ଓ ଦସ୍ତାବିଜ୍‌ ମଧ୍ୟ କୋର୍ଟଙ୍କ ହସ୍ତଗତ ହୋଇଥିଲା। ମାନ୍ୟବର ବିଚାରପତି ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଆଜି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ତଥା ଅତିରିକ୍ତ ସରକାରୀ ଓକିଲ ଡ. ସୁରେଶ କୁମାର ବାରିକ। ତାଙ୍କୁ ସହଯୋଗ କରୁଥିଲେ ଆଇନଜୀବୀ ଆଶୁତୋଷ ମହାନ୍ତି।