ତୁଟୁନି ବାଲେଶ୍ବର-ବାରିପଦା ବସ୍‌ ମାଲିକ ସଂଘ ବିବାଦ

ଥାନାରେ ଏତଲା ଦେଲେ ବୈଶିଙ୍ଗା ଅଞ୍ଚଳବାସୀ, ସମାଧା‌ନ ନହେଲେ ବସ୍‌ ଅଟକ ଚେତାବନୀ

ବୈଶିଙ୍ଗା: ବର୍ଷର ଅଧିକାଂଶ ସମୟରେ ବାରିପଦା ଓ ବାଲେଶ୍ବର ବସ୍‌ ମାଲିକ ସଂଘ‌ ମଧ୍ୟରେ ବିବାଦ ଉପୁଜିଛି। ଏହାର ପରିଣାମ ଭୋଗୁଛନ୍ତି ସାଧାରଣ ଯାତ୍ରୀ। ଉଭୟ ସଂଘର ବିବାଦ ପାଇଁ ସେମାନେ ଅଯଥା ହଇରାଣ ହେଉଛନ୍ତି। ବାରିପଦା ସଂଘର ବସ୍‌ଗୁଡିକୁ ବାଲେଶ୍ବର ବସ୍‌ ଷ୍ଟାଣ୍ଡରେ ଓ ବାଲେଶ୍ବର ସଂଘର ବସ୍‌ଗୁଡିକୁ ବାରିପଦା ବସ୍‌ ଷ୍ଟାଣ୍ଡରେ ଯାତ୍ରୀ ଉଠାଇବାକୁ ଦିଆଯାଉନି। ଶେଷରେ ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ଚଳିତ ମାସ ପ୍ରଥମାର୍ଦ୍ଧରେ ବସ୍ ଛାଡ଼ିବା ସମୟ ସାରଣୀକୁ ନେଇ ଉଭୟ ସଂଘ ମଧ୍ୟରେ ବିବାଦ ଦେଖାଦେଇଥିଲା। ଆଉ ଏହି ବିବାଦର ସମାଧାନ ହୋଇପାରୁନି। ଫଳରେ ବାରିପଦା ସଂଘର ବସ୍‌ ବାଲେଶ୍ବର ବସ୍‌ ଷ୍ଟାଣ୍ଡରୁ ଓ ବାଲେଶ୍ବର ସଂଘର ବସ୍‌ଗୁଡିକୁ ବାରିପଦା ବସ୍‌ ଷ୍ଟାଣ୍ଡରୁ ବିନା ଯାତ୍ରୀରେ ଖାଲି ଫେରୁଛନ୍ତି।

ବାଲେଶ୍ୱରରୁ ବାରିପଦା ଯିବାକୁ ଥିବା ଯାତ୍ରୀମାନେ ବାଲେଶ୍ୱର ବସ୍‌ ଷ୍ଟାଣ୍ଡରେ ବସ୍‌ରେ ଚଢି ନପାରି ରେମୁଣା ଗୋଲେଇ ଠାରେ ଅପେକ୍ଷା କରୁଥିବା ବେଳେ ଅନୁରୂପ ଭାବେ ବାରିପଦାରୁ ବାଲେଶ୍ୱର ଆସିବାକୁ ଥିବା ଯାତ୍ରୀମାନଙ୍କୁ ପାଲବଣୀ ଗୋଲେଇ ଠାରେ ଅପେକ୍ଷା କରିବାକୁ ପଡ଼ୁଛି। ଫଳରେ ବସ୍‌ ଷ୍ଟାଣ୍ଡକୁ ଯାଇଥିବା ଯାତ୍ରୀ ନିରାଶ ହେଉଛନ୍ତି। ଆଉ ଅନ୍ୟମାନେ ରେମୁଣା ଗୋଲେଇ ଓ ପାଲବଣି ଗୋଲେଇ ଯାଏ ଛୁଆପିଲା ଓ ଲଗେଜ ଧରି ହଇରାଣ ହୋଇ ଆସୁଛନ୍ତି। ବିଡମ୍ବନାର ବିଷୟ ବାଲେଶ୍ୱରରୁ ବୈଶିଙ୍ଗା ଆସିବାକୁ ଥିବା ଯାତ୍ରୀମାନଙ୍କୁ ବାଲେଶ୍ୱରରେ ବସ୍‌ରେ ପୂରାଇ ଦିଆଯାଉନି।

କେବଳ ବେତନଟୀ ଓ ବାରିପଦା ଯାତ୍ରୀଙ୍କୁ ଅଗ୍ରାଧିକାର ଦିଆଯାଉଛି। ଏମିତି କି ଦୁଇ ଦିନ ପୂର୍ବରୁ ବୈଶିଙ୍ଗାର ଜଣେ ଯାତ୍ରୀଙ୍କୁ ବସ୍‌ରୁ ଧକ୍କା ମାରି ତଳକୁ ଓହ୍ଲାଇ ଦିଆଯାଇବାର ମଧ୍ୟ ଖବର ରହିଛି। ଯେଉଁଥିପାଇଁ ଆଜି ବୈଶିଙ୍ଗା ଅଞ୍ଚଳର କିଛି ସମାଜସେବୀ, ବୈଶିଙ୍ଗା ଅଟୋ ସଂଘର ସଦସ୍ୟ ଓ ସାଧାରଣ ଜନତା ଏକତ୍ରିତ ହୋଇ ବୈଶିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କୁ ଏ ସମ୍ପର୍କରେ ଜଣାଇବା ସହ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ପ୍ରଶାସନ ଏଥିରେ ବିଫଳ ହେଲେ ବାଲେଶ୍ୱର-ବାରିପଦା ରାସ୍ତା‌ରେ ଚାଲୁଥିବା ସବୁ ବସ୍‌କୁ ବୈଶିଙ୍ଗାରେ ଅଟକ ରଖାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର