ମହିଳାଙ୍କ ପାଇଁ ଟଣାଓଟରା: ବିଜେଡି-ବିଜେପି ମଧ୍ୟରେ ଟ୍ବିଟ୍ ଯୁଦ୍ଧ

ପ୍ରଣବ ପ୍ରକାଶ କହିଲେ, ‘‘ଧର୍ମେନ୍ଦ୍ର ଭାଇ, ଆପଣ କ’ଣ ଚାହାନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ?’’

ଭୁବନେଶ୍ବର: ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ଶନିବାର ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ଏ ପ୍ରସଙ୍ଗରେ ରାଜନୈତିକ ଆନ୍ଦୋଳନ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବ ଦେଇଥିଲେ। କହିଥିଲେ, ମହିଳାଙ୍କୁ ସଶକ୍ତ କରିବା ସହିତ ସେମାନଙ୍କର ବିକାଶ ହେଉଛି ମୋଦୀ ସରକାରଙ୍କ ମୂଳସ୍ତମ୍ଭ। ଉଜ୍ଜ୍ବଳା ଯୋଜନା ଠାରୁ ଆରମ୍ଭ କରି ମହିଳାଙ୍କ ପାଇଁ କେନ୍ଦ୍ର ଯୋଜନାର ତାଲିକା ରଖିଥିଲେ। ଏହାର ୨୪ ଘଣ୍ଟା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହେଲାଣି। ଆଜି ବିଜେଡି ପୁଣି ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସିଧା ଟାର୍ଗେଟ କରିଛି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀଙ୍କୁ ପଚାରିଛନ୍ତି, ‘‘ଧର୍ମେନ୍ଦ୍ର ଭାଇ, ମୁଖ୍ୟମନ୍ତ୍ରୀ ଚାହାନ୍ତି ଆମର ମା’ ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଧାରଣ କରନ୍ତୁ। ଆପଣ କ’ଣ ଚାହାନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା’ ଓ ଭଉଣୀମାେନ ଆଜି ବି ଚମତ୍କାର ରୋଷେଇ କରନ୍ତି। ହେଲେ ସୁଯୋଗ ମିଳିଲେ, ସେମାନେ େଦଶ ମଧ୍ୟ ଚଳାଇପାରିବେ।’’

ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ

ଶ୍ରୀ ଦାସଙ୍କ ଏଭଳି ଟ୍ବିଟ୍ ପରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ କୌଣସି ମତମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମରେ ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ଏକପ୍ରକାର ଝଡ଼ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଟ୍ବିଟ୍‌ର ଜବାବ ଦେଇ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା’ ଭଉଣୀ ଓ ଶିଶୁଙ୍କୁ ବଳାତ୍କାର, ହତ୍ୟା ଓ ତସ୍କରୀ ଭଳି ରାକେଟ୍ ଚଳାଇଛନ୍ତି। ଆପଣଙ୍କ ଦଳର ମା’ ଓ ଭଉଣୀଙ୍କୁ ସଂସଦ ଏବଂ ବିଧାନସଭାରେ ବି ମୁହଁରେ ତୁଣ୍ଡି ବାନ୍ଧି ରଖିଛନ୍ତି। ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ ତା ପରେ ମହିଳା ସଶକ୍ତୀକରଣ କହିବେ।” ସେହିଭଳି ବିଜେପି ନେତ୍ରୀ କସ୍ତୁରୀ ମିଶ୍ର ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ଓ ଭଉଣୀଙ୍କୁ ସୁରକ୍ଷା ଦିଅନ୍ତୁ। ଦିନ ଦ୍ବିପ୍ରହରରେ ଓଡ଼ିଶାରେ ମହିଳା ଅସୁରକ୍ଷିତ। ସର୍ବପ୍ରଥମେ ନିର୍ଭୟରେ ବଞ୍ଚିଲେ, ଘର ବା ଦେଶ ଚଳାଇବା କଥା ଭାବିପାରିବେ। ସୁଜାତା ପାଢୀ କହିଛନ୍ତି, ମା’ ଓ ଭଉଣୀ ଆଜି ବି ରୋଷେଇ ଭଲ କରନ୍ତି ମାନେ କ’ଣ ଆଜ୍ଞା? ଆପଣଙ୍କ ପୀଡ଼ା ବୁଝିହେଉଛି। ଚୁଲି ଫୁଙ୍କି ଫୁଙ୍କି ଛାତି ରୋଗରେ ପୀଡିତ ହେଲେ ମାଆ ଓ ଭଉଣୀ ନିଜ ପରିବାର ଚଳାଇବା କଷ୍ଟ। ଆପଣ ଦେଶ ଚଲାଇବା କଥା କହୁଛନ୍ତି? ବିଜେପି ମହି​​ଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ସାମ୍ବାଦିକ ସମ୍ମିଳନୀ କରି ମହିଳା ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ବିଷୋଦ୍‌ଗାର କରିଥିଲେ।

ସେହିପରି ବିେଜଡି କର୍ମୀ ମଧ୍ୟ ଟ୍ବିଟ୍ କରି ଏହି ଲଢେଇରେ ସାମିଲ ହୋଇଛନ୍ତି। ସୁଶାନ୍ତ ପଣ୍ଡା କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଆମ ହିରୋ। ଆମ ମା’ ଓ ଭଉଣୀ ଦେଶ ଚଳାଇପାରିବେ। ଆମ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାଂସଦ କରିବେ ଓ ବିଧାୟକ ବି। ସେହିଭଳି ସୁନୀଲ କୁମାର ସ୍ବାଇଁ ମଧ୍ୟ ଶ୍ରୀ ଦାସଙ୍କୁ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର