ମହିଳାଙ୍କୁ ନେଇ ଥମୁନି ବିଜେଡି-ବିଜେପି ଟ୍ବିଟ୍‌ ଯୁଦ୍ଧ

ଭୁବନେଶ୍ବର : ମହିଳାଙ୍କୁ କିଏ ସମ୍ମାନ ଦେଉଛି ? ସେମାନଙ୍କୁ ହକ୍‌ ଦେବା ପାଇଁ କିଏ ଲଢ଼ୁଛି? ସେମାନଙ୍କ ସଶକ୍ତୀକରଣ ପାଇଁ କିଏ କାମ କରୁଛି? ଏମିତି କିଛି ପ୍ରଶ୍ନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ବିଜେଡି ପ୍ରତିଷ୍ଠା ଦିବ‌ସରେ ମହିଳା ସଶକ୍ତୀକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ ପରେ ବିବୃତି ଯୁଦ୍ଧ ଓ ଟ୍ବିଟ୍‌ ଯୁଦ୍ଧ ଥମିବାର ନାଁ ଧରୁନି। ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ମଧ୍ୟରେ ଟ୍ବିଟ୍‌ ଯୁଦ୍ଧ ଦେଖିବାକୁ ମିଳିଛି।

ଗତକାଲି ବିଜେଡି ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସ କରିଥିବା ଟ୍ବିଟ୍‌ର ଜବାବ ଦେଇ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ ଆପଣ ଓଡ଼ିଆ ମହିଳାମାନଙ୍କୁ ସାଂସଦ, ବିଧାୟକ କରିବା ପ୍ରସଙ୍ଗ କଥା କହୁଛନ୍ତି। ଅପର ପକ୍ଷରେ ମୋଦୀ ସରକାର ମହିଳାଙ୍କୁ ଘରେ ବନ୍ଦ କରି ରୋଷେଇରେ ସୀମିତ କରୁଛନ୍ତି ବୋଲି ଆପଣଙ୍କ ଅଭିଯୋଗ। ମୋଦୀ ଯାହା କରିଛନ୍ତି ତାହା ମହିଳାଙ୍କୁ ରୋଷେଇ ଘରେ ସୀମିତ ନା ସେମାନଙ୍କ ସ୍ୱାସ୍ଥ୍ୟ, ରୋଜଗାର ଏବଂ ସମ୍ମାନ ପାଇଁ ବଡ଼ କାମ କରିଛନ୍ତି, ଟିକେ ଚିନ୍ତା କରନ୍ତୁ। କରୋନା ସମୟରେ ମୋଦୀ ଓଡ଼ିଶାର ୮୫.୨୦ ଲକ୍ଷ ମହିଳାଙ୍କ ଜନଧନ ଖାତାରେ ୧୫୦୦ ଟଙ୍କା ହିସାବରେ ୧୨୫୮.୨୦ କୋଟି ଟଙ୍କା ପହଞ୍ଚାଇଛନ୍ତି ନା ନାହିଁ ? ୪୭ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ମିଳିଛି ନା ନାହିଁ ? ସାରା ରାଜ୍ୟର ଗରିବ ମହିଳାଙ୍କ ପାଇଁ ୭୭ ଲକ୍ଷ ୧୪ ହଜାର ୮୦୯ ଶୌଚାଳୟ ବାବଦରେ ୯,୨୫୮ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି କି ନାହିଁ ? ମୋଦୀଙ୍କର ଏ ସମସ୍ତ ଉଦ୍ୟମ ଆମ ମହିଳାମାନଙ୍କର ସ୍ବାସ୍ଥ୍ୟ, ରୋଜଗାର ଓ ସମ୍ମାନ ପାଇଁ ଉଦ୍ଦିଷ୍ଟ ନୁହେଁ କି ? ମୋଦୀ କେବଳ ସ୍ଲୋଗାନରେ ବିଶ୍ବାସ କରନ୍ତି ନାହିଁ । ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ସମ୍ମାନ ଦେଲେ, ସମୟ ବଞ୍ଚାଇ ସେମାନେ ରୋଜଗାର କରି ସଶକ୍ତ ହୋଇପାରିବେ। ଭାରତର ପ୍ରତିରକ୍ଷା ଏବଂ ଅର୍ଥ ମନ୍ତ୍ରଣାଳୟ ପରି ଗୁରୁ ଦାୟିତ୍ବ ମହିଳାଙ୍କ ହାତରେ ସୁରକ୍ଷିତ କରିଛନ୍ତି। ମହିଳାଙ୍କ ପାଇଁ ପ୍ରତୀକାତ୍ମକ ପ୍ରସଙ୍ଗ ନୁହେଁ ବରଂ ଠୋସ୍ ପଦକ୍ଷେପ ଜରୁରୀ। ଗୃହ ଓ ଅର୍ଥ ବିଭାଗ ତାଙ୍କ ଦଳର ମହିଳା ବିଧାୟିକାଙ୍କ ହାତରେ ଦେଇ ମହିଳାଙ୍କୁ ପ୍ରତୀକାତ୍ମକ ଭାବରେ ନୁହେଁ ସତରେ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବା ପାଇଁ ଶ୍ରୀ ନାଏକ ଆହ୍ବାନ ଦେଇଛନ୍ତି।

ଶ୍ରୀ ଦାସଙ୍କୁ ସିଧା ଟାର୍ଗେଟ୍‌ କରି ବିରୋଧୀ ଦଳ ନେତା କହିଛନ୍ତି, ଆପଣଙ୍କ ଜିଲ୍ଲା ଯାଜପୁରରେ ସ୍ମିତାରାଣୀଙ୍କୁ ହତ୍ୟା କରାଯିବାର ଅଭିଯୋଗ ହେଲା। ମହିଳା ସରପଞ୍ଚଙ୍କ ସ୍ବାମୀ ମହିଳା ପିଇଓଙ୍କୁ ହତ୍ୟା କରିଥିବାର ଅଭିଯୋଗ ଆସିଲା। ପୀଡ଼ିତାକୁ ନ୍ୟାୟ ମିଳିଲା ନା ଦଳୀୟ ଆଧାରରେ ସରପଞ୍ଚଙ୍କ ସ୍ବାମୀକୁ ସୁରକ୍ଷା ମିଳିଲା?

ଶ୍ରୀ ନ‌ା‌ଏକଙ୍କ ଟ୍ବିଟ୍‌ ଉପରେ ଜବାବ ଦେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ କହିବାକୁ ଚାହୁଁଛନ୍ତି ତାହା ବିଜେପି ନେତାମାନେ ବୁଝି ପାରୁ ନାହାନ୍ତି। ମହିଳା ସଶକ୍ତୀକରଣର ମାନେ ନୁହେଁ କେବଳ ଆର୍ଥିକ ସଶକ୍ତୀକରଣ। ସେମାନଙ୍କ ରାଜନୈତିକ ଓ ସାମାଜିକ ସଶକ୍ତୀକରଣ ବି ଜରୁରୀ। ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ରାଜନୈତିକ ସଶକ୍ତୀକରଣର ଏକ ଅଂଶ। ବିଜେଡି ସୁପ୍ରିମୋ ଏହା ହିଁ ଚାହୁଁଛନ୍ତି। ମହିଳାଙ୍କ ସାମାଜିକ ସଶକ୍ତୀକରଣ ପାଇଁ ସାମାଜିକ ସ୍ତରରେ ଗଣ ଆନ୍ଦୋଳନର ଆହ୍ବାନ ବି ଦେଇଛନ୍ତି।

ସମ୍ବନ୍ଧିତ ଖବର